ଖୋଲୁ ଖୋଲୁ ତାଲା ! ଉତ୍କଳ କନିକା ଗ୍ୟାଲେରିଆକୁ ସିଲ୍ କଲା ପୁଲିସ
ଅଗ୍ନିଶମ ବିଭାଗରେ ପଡ଼ି ରହିଛି ଫାଇଲ୍, ବିଡିଏ ପାର୍କିଂ ଅନୁମୋଦନ ମିଳିଛି ତଥାପି ମଲ୍ ସିଲ୍ ଦୁର୍ଭାଗ୍ୟଜନକ: କର୍ତ୍ତୃପକ୍ଷ
ଭୁବନେଶ୍ୱର: କଳ୍ପନା ଛକରେ ଥିବା ବହୁ ଚର୍ଚ୍ଚିତ ଉତ୍କଳ କନିକା ଗ୍ୟାଲେରିଆକୁ ଝଟ୍କା ଲାଗିଛି। ଖୋଲୁ ଖୋଲୁ ଏହି ମଲ୍ରେ ତାଲା ପଡ଼ିଛି। ଗାଡ଼ି ରଖିବାକୁ ଯଥେଷ୍ଟ ପାର୍କିଂ ସ୍ଥାନନାହିଁ। କୋଠାଟି ଅଗ୍ନି ପ୍ରତିରୋଧ ପ୍ରମାଣିତ ହୋଇନାହିଁ। ଏଣୁ ସିଆର୍ପିସି ୧୪୪ ଧାରା ବଳରେ କମିସନରେଟ୍ ପୁଲିସ ଏହି ମଲ୍କୁ ସିଲ କରିଛି। ସମସ୍ତ ଅଭାବ ପୂରଣ ହେଲେ ଯାଇ ଖୋଲିବା ଦିଗରେ ବିଚାର କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।
ଫାୟାର ଷ୍ଟେସନ ଓ ମ୍ୟୁଜିୟମ ପାଖରେ ହିଁ ଏହି ମଲ୍ ରହିଛି। ଟ୍ରାଫିକ୍କୁ ନେଇ କଳ୍ପନା ଛକ ସବୁଠାରୁ ସମ୍ବେଦନଶୀଳ ଛକ ଭାବରେ ପରିଗଣିତ ହେଉଛି। ଏଠାକୁ ଶହ ଶହ ଗାଡ଼ି ଆସିବା ପରେ ଏଠାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଟ୍ରାଫିକ୍ ପୁଲିସ ତଦନ୍ତ ବେଳେ ଜାଣିଥିଲା କି ଏଠାରେ ୨୭୦ ଗାଡ଼ି ପାର୍କିଂ ପାଇଁ କୁହାଯାଉଥିଲେ ମଧ୍ୟ ସର୍ବାଧିକ ୨ଶହ ଗାଡ଼ି ରହିପାରିବ। ଏଣୁ ମଲ୍ ଚାଲିଲେ ଶହ ଶହ ଗାଡ଼ି ବାହାରେ ଛିଡ଼ା ହୋଇ ଟ୍ରାଫିକ୍ ବିଶୃଙ୍ଖଳା ସୃଷ୍ଟି କରିବ। ଟ୍ରାଫିକ୍ ଶୃଙ୍ଖଳା ପାଇଁ ମଲ୍ କର୍ତ୍ତୃପକ୍ଷ କୌଣସି ବ୍ୟବସ୍ଥା ମଧ୍ୟ ଗ୍ରହଣ କରିନାହାନ୍ତି। ମଲ୍କୁ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ମିଳିନାହିଁ। ଖୁବ୍ଶୀଘ୍ର ମଲ୍ରେ ତିନିଟି ଫିଲ୍ମ ହଲ୍ ଖୋଲିବାକୁ ଯାଉଥିବାରୁ ଟ୍ରାଫିକ୍ ସମସ୍ୟା ବହୁଗୁଣିତ ହେବାର ସମ୍ଭାବନା ରହିଛି। ଏ ସବୁକୁ ଆଖି ଆଗରେ ରଖି ଗତ ଅକ୍ଟୋବର ମାସରେ ଟ୍ରାଫିକ୍ ପୁଲିସ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଆଧାରରେ ତଦନ୍ତ କରି ବଡ଼ଗଡ଼ ଥାନା ପୁଲିସ ଅତିରିକ୍ତ ଡିସିପିଙ୍କ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ରିପୋର୍ଟରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା ମଧ୍ୟ ଉଲ୍ଲେଖ ରହିଥିଲା। ଏହାର ବିଚାର କରି ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କରାଯାଇ ଥିଲା। ରିପୋର୍ଟରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମଲ୍କୁ ମିଳି ନ ଥିବା ଦର୍ଶାଯାଇ ଥିଲା। ରିପୋର୍ଟକୁ ଆଧାର କରି ସିଆରପିସି ଧାରା ୧୪୪ ବଳରେ ମଲ୍ ସିଲ୍ କରିବା ପାଇଁ ଆଦେଶ ହୋଇଥିଲା। ତେବେ ବିଡିଏ ଅକ୍ୟୁପାନ୍ସି ପ୍ରମାଣପତ୍ର ଦେଉ ନ ଥିବା ବେଳେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଆବେଦନ ମାସ ମାସ ଧରି ଅଗ୍ନିଶମ ବିଭାଗରେ ପଡ଼ି ରହିଥିବା ମଲ୍ ପକ୍ଷରୁ କୁହାଯାଇଛି। ଉତ୍କଳ ବିଲଡର୍ସ ଡେଭଲପର୍ର ମ୍ୟାନେଜିଂ ଡାଇରେକ୍ଟର୍ ଶରତ ବୈଦ କହିଛନ୍ତି, ମଲ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ମଲ୍କୁ ନିରାପତ୍ତା ପ୍ରମାଣପତ୍ର ଦିଆଯାଉ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। କିନ୍ତୁ ଦୀର୍ଘ ଦିନ ହେବ ଫାଇଲ୍ ଅଗ୍ନିଶମ ବିଭାଗରେ ପଡ଼ି ରହିଛି। ମଲ୍ର ଯଥେଷ୍ଟ ପାର୍କିଂ ବ୍ୟବସ୍ଥା ରହିଛି, ଯାହାକୁ ବିଡିଏ ଅନୁମୋଦନ କରିଛି। ଏହା ସତ୍ତ୍ବେ ବିଲଡିଂକୁ ସିଲ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।