କନିକା ମଣ୍ଡପ କେୟାର୍‌ଟେକର୍‌ ହତ୍ୟା ମାମଲା: ୨୫ ଦିନରେ ଧରାପଡ଼ିଲା ବାଉନ୍‌ସର୍‌ ଭକ୍ତ

ଧଉଳି: ଦୀର୍ଘ ୨୫ ଦିନ ପରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଉପରେ କନିକା କଲ୍ୟାଣ ମଣ୍ଡପର କେୟାର୍‌ଟେକର ରାମଚନ୍ଦ୍ର ନାୟକ(୩୦)ଙ୍କ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଧଉଳି ଥାନା ପୁଲିସ। ଡିସେମ୍ବର ୧୬ ରାତିରେ ଘଟିଥିବା ଏହି ନିର୍ମମ ହତ୍ୟାକାଣ୍ଡର ଅଭିଯୁକ୍ତ ହେଲା ବାଉନ୍‌ସର ଭକ୍ତହରି ଲେଙ୍କା। ପୂର୍ବ ରାଗର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ଭକ୍ତ କେୟାର୍‌ଟେକର ରାମଚନ୍ଦ୍ରଙ୍କୁ ବୀଭତ୍ସ ଭାବେ ପିଟିପିଟି ହତ୍ୟା କରି ଫେରାର୍ ହୋଇଯାଇଥିଲା। ଏନେଇ ମୃତ ରାମଚନ୍ଦ୍ରଙ୍କ ଭାଇ ମିଟୁ ଧଉଳି ଥାନାରେ ସେହି ମାସ ୧୮ ତାରିଖରେ ଅଭିଯୋଗ କରିଥିଲେ ବି ଘଟଣା ପ୍ରଘଟ ହୋଇନଥିଲା। ଗତକାଲି ରାତିରେ ପୁଲିସ ଭକ୍ତକୁ ଗିରଫ କରିବା ପରେ ଏହି ହତ୍ୟାକାଣ୍ଡ ଖବର ପଦାକୁ ଆସିଛି। ଆଜି ପୁଲିସ ବାଉନ୍‌ସର ଭକ୍ତକୁ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନାନୁସାରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଅମୀୟ ଦ୍ବିବେଦୀଙ୍କର ହୋଟେଲ ମିଡ୍‌ ନାଇଟ୍‌ ଏବଂ କନିକା କଲ୍ୟାଣ ମଣ୍ଡପ ରହିଛି। ଭଦ୍ରକ ଧାମନଗର ଥାନା ବାଂଶେରା ଗ୍ରାମର ଭକ୍ତହରି ଏଠାରେ ବାଉନ୍‌ସର ଭାବେ କାର୍ଯ୍ୟ କରୁଥିଲା। ତେବେ ପରେ ସେ ହୋଟେଲ୍‌ ମିଡ୍‌ନାଇଟ୍‌କୁ ଲିଜ୍ ସୂତ୍ରରେ ନେଇ ନିଜେ ପରିଚାଳନା କରୁଥିଲା। କିନ୍ତୁ ଗଞ୍ଜାମ ଭଞ୍ଜନଗର ଥାନା ଅଧୀନ ଶ୍ରୀରାମନଗର ଅଞ୍ଚଳର ରାମଚନ୍ଦ୍ର ନାୟକ ପୂର୍ବ ଭଳି ମାଲିକ ଶ୍ରୀ ଦ୍ବିବେଦୀଙ୍କ ଅଧୀନରେ ରହି କଲ୍ୟାଣ ମଣ୍ଡପର ଦେଖାଶୁଣା କରୁଥିଲେ। ହୋଟେଲ୍‌ ମିଡ୍‌ନାଇଟ୍‌କୁ ଲିଜ୍‌ରେ ନେବା ପରେ ଭକ୍ତ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଭକ୍ତର ବାରଣ ସତ୍ତ୍ବେ କେୟାର୍‌ଟେକର ରାମଚନ୍ଦ୍ର କଲ୍ୟାଣ ମଣ୍ଡପରେ ଅତିଥି ତଥା ଆଗନ୍ତୁକମାନଙ୍କୁ ରୁମ୍‌ ଦେଉଥିବାରୁ ଏହି ବିବାଦ ଉପୁଜିଥିଲା ବୋଲି କୁହାଯାଉଛି।

କଲ୍ୟାଣ ମଣ୍ଡପରେ ରୁମ୍‌ ଭଡ଼ା ଦେବାରୁ ଭକ୍ତର ହୋଟେଲ ବେପାର ମାନ୍ଦା ହେଉଥିଲା। କାରଣ ଅତିଥିମାନେ କମ୍ ବ୍ୟୟରେ କଲ୍ୟାଣ ମଣ୍ଡପର ରୁମ୍‌ ବୁକ୍ କରୁଥିଲେ। ଗତ ମାସ ୧୬ ତାରିଖ ଅପରାହ୍ନରେ ହୋଟେଲ୍‌କୁ ଆସିଥିବା ଏକ ଦମ୍ପତିଙ୍କୁ ରାମଚନ୍ଦ୍ର କଲ୍ୟାଣ ମଣ୍ଡପରେ ରୁମ୍‌ ଦେଇଥିଲେ। ସେମାନେ ହୋଟେଲ୍‌ ମିଡ୍‌ନାଇଟ୍‌ରେ ରହିବାକୁ ଆସିଥିଲେ ମଧ୍ୟ କମ୍‌ ଖର୍ଚ୍ଚରେ ରାମଚନ୍ଦ୍ର ତାଙ୍କୁ କଲ୍ୟାଣ ମଣ୍ଡପରେ ରୁମ୍‌ ଦେଇଥିଲେ ବୋଲି ଭକ୍ତ ଅଭିଯୋଗ କରିଥିଲା। ଏ ନେଇ ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ମାଲିକଙ୍କୁ ଜଣାଇ ଦମ୍ପତିଙ୍କୁ କଲ୍ୟାଣ ମଣ୍ଡପରେ ରୁମ୍‌ ଦିଆଯାଇଛି ବୋଲି କେୟାର୍‌ଟେକର ରାମଚନ୍ଦ୍ର କହିଥିଲେ। କିନ୍ତୁ ଭକ୍ତ, ମାଲିକ ଶ୍ରୀ ଦ୍ବିବେଦୀଙ୍କୁ ଏନେଇ କିଛି ପଚାରି ବୁଝିବା ବଦଳରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା।

ବିଳମ୍ବିତ ରାତିରେ ବାଉନ୍‌ସର ଭକ୍ତ ରାଗରେ ରାମଚନ୍ଦ୍ରଙ୍କୁ ନିସ୍ତୁକ ପିଟିଥିଲା। ଶେଷରେ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲା। ଫଳରେ ରାମଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ମୁମୂର୍ଷ ଅବସ୍ଥାରେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଫୋପାଡ଼ି ଭକ୍ତ ପଳାଇଥିଲା। ପ୍ରବଳ ମାଡ଼ରେ ନିସ୍ତେଜ ହୋଇପଡ଼ିଥିବା ରାମଚନ୍ଦ୍ର ପାଟି କରିପାରିନଥିଲେ କିମ୍ବା କାହାକୁ ଯୋଗାଯୋଗ କରିପାରିନଥିଲେ। ପରଦିନ ସକାଳେ ବହୁ ବିଳମ୍ବରେ କଲ୍ୟାଣ ମଣ୍ଡପର ଅନ୍ୟ କର୍ମଚାରୀମାନେ ତାଙ୍କୁ ଦେଖିବା ପରେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା, କିନ୍ତୁ ସନ୍ଧ୍ୟାରେ ରାମଚନ୍ଦ୍ର ପ୍ରାଣ ହରାଇଥିଲେ। ଖବର ପାଇ ରାମଚନ୍ଦ୍ରଙ୍କ ବଡ଼ ଭାଇ ମିଟୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ବ୍ୟବଚ୍ଛେଦ ପରେ ମୃତଦେହ ନେଇଥିଲେ। ୧୮ ତାରିଖରେ ସେ ଧଉଳି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର