ଭୁବନେଶ୍ବର: ବସ୍ତିରେ ଡ୍ରେନ୍ ନାହିଁ। ବର୍ଜ୍ୟଜଳ ବୋହି ବୋହି ଖାଲୁଆ ସ୍ଥାନରେ ଢାଳିବାକୁ ପଡ଼ୁଛି। ଘରେ ଘରେ ପାଇଖାନା ନାହିଁ। ତେଣୁ ଲୋକେ ବାଧ୍ୟ ହୋଇ ବାହାରେ ଗାଧୁଆପାଧୁଆ ଓ ମଳତ୍ୟାଗ କରୁଛନ୍ତି। ବସ୍ତିରୁ ନିୟମିତ ଆବର୍ଜନା ଉଠୁନାହିଁ। ତେଣୁ ଚାରିଆଡ଼େ କୁଢ଼କୁଢ଼ ହୋଇ ଗଦା ହୋଇ ରହିଛି ଅଳିଆ ଆବର୍ଜନା। ଫଳରେ ପୂରା ପରିବେଶ ପୁତିଗନ୍ଧମୟ। ଏମିତି ଦୟନୀୟ ସ୍ଥିତିରେ ବର୍ଷ ବର୍ଷ ଧରି ୧୦୦ରୁ ଅଧିକ ପରିବାର କାଳ କାଟୁଛନ୍ତି ରାଜଧାନୀରେ। ଆବର୍ଜନା ବଳୟରେ ସଢ଼ୁଛନ୍ତି ଶହଶହ ଲୋକ। ଏ ହେଉଛି ଭୁବନେଶ୍ବର ମହାନଗର ନିଗମର ୪୧ ନମ୍ୱର ୱାର୍ଡ ୟୁନିଟ-୩ ଖାରବେଳ ନଗରସ୍ଥିତ କୁଞ୍ଜିଆହୁଦା ନିକଟସ୍ଥ ଦଳିତସାହିର ବାସିନ୍ଦାଙ୍କ ଦୁର୍ଦ୍ଦଶାର କାହାଣୀ। ରାଜଧାନୀର କେନ୍ଦ୍ରରେ ଏମିତି ଏକ ଅଞ୍ଚଳ ରହିଛି ବୋଲି ଆଖିରେ ଦେଖିଲେ ହିଁ କେବଳ ବିଶ୍ବାସ କରିହେବ। ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଏମ୍ସି ପ୍ରଶାସନର ଅଣହେଳାରୁ ଶହଶହ ଲୋକେ ଏମିତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବୋଲି ଅଭିଯୋଗ ହେଉଛି।
ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ସେମାନେ ପ୍ରାୟ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ରହି ଆସୁଛନ୍ତି। ସେମାନେ ସାଧାରଣତଃ ଶ୍ରମିକ, ଉଠା ବେପାରୀ, ଅଟୋ ଚାଳକ ଓ ଘରୋଇ ସହାୟକଭାବେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ସେମିତିରେ ଆକଳନ କଲେ ଏହି ବସ୍ତିର ଲୋକେ ପ୍ରତିଦିନ ରୋଜଗାର କଲେ ହିଁ ଚୁଲି ଜଳେ। ମାତ୍ର ଏତେ ବର୍ଷ ରହିବା ପରେ ବି ସେମାନଙ୍କୁ ସରକାରୀ ଯୋଜନାରେ ପକ୍କା ଘର ମିଳିନାହିଁ। ଝୁମ୍ପୁଡ଼ି ଘରେ ପଲିଥିନ୍ ଛପର ତଳେ ବହୁ ପରିବାର ରହୁଛନ୍ତି। ତେଣୁ ସେମାନେ ନିଜସ୍ବ ଖର୍ଚ୍ଚରେ ପାଇଖାନା ନିର୍ମାଣ କରିପାରିନାହାନ୍ତି। କୌଣସି ସରକାରୀ ଯୋଜନାରେ ମଧ୍ୟ ସେମାନଙ୍କୁ ବ୍ୟକ୍ତିଗତ ପାଇଖାନା ତିଆରି କରିବାକୁ ଅନୁଦାନ ମିଳିନାହିଁ। ତେବେ ଏଠାରେ ବିଏମ୍ସି ପକ୍ଷରୁ ବିଜୁଳି ଏବଂ ପାଣି ବ୍ୟବସ୍ଥା କରାଯାଇଛି ଓ କମ୍ୟୁନିଟି ପାଇଖାନା ମଧ୍ୟ କରାଯାଇଛି। କିନ୍ତୁ ସମସ୍ୟା ହେଉଛି, ବସ୍ତିବାସିନ୍ଦାଙ୍କ ସଂଖ୍ୟା ଅନୁପାତରେ ପାଇଖାନା ନିର୍ମାଣ ହୋଇନାହିଁ। ଫଳରେ ଅଧାରୁ ଅଧିକ ଲୋକ ବାହାରେ ଗାଧୁଆପାଧୁଆ କରିବା ସହ ମଳତ୍ୟାଗ ବି କରୁଛନ୍ତି। ବିଶେଷକରି ବୃଦ୍ଧବୃଦ୍ଧା ଓ ଛୋଟପିଲାମାନେ ବାହାରେ ମଳତ୍ୟାଗ କରୁଛନ୍ତି।
ବଡ଼ ସମସ୍ୟା ହେଉଛି ସାହିରେ ଡ୍ରେନ୍ ନାହିଁ। ଫଳରେ ଲୋକେ ବର୍ଜ୍ୟଜଳ ଢାଳିବା ପାଇଁ ଅସୁବିଧାରେ ପଡ଼ୁଛନ୍ତି। ଚଳପ୍ରଚଳ ରାସ୍ତା କାଦୁଆ ହୋଇଯିବା ଲାଗି ଦାଣ୍ଡରେ ଢାଳିବା ସମ୍ଭବ ହେଉନାହିଁ। ତେଣୁ ଗାଧୁଆପାଧୁଆ ଓ ବାସନକୁସନ ମଜାମଜି କରିବା ପରେ ଲୋକେ ଘରେ ସାଇତି ରଖିଥିବା ବର୍ଜ୍ୟଜଳକୁ ବୋହି ବୋହି ନିକଟସ୍ଥ ଖାଲରେ ଢାଳୁଛନ୍ତି। ତେଣୁ ବହୁ ସମୟରେ ଏହି ବସ୍ତିର କିଛି ଲୋକ ନିୟମିତ ଗାଧୋଉନଥିବା ଦେଖିବାକୁ ମିଳେ। ସେହିଳଭି ଲୋକେ ଉକ୍ତ ଖାଲରେ ସବୁ ପ୍ରକାର ବର୍ଜ୍ୟବସ୍ତୁ ପକାଉଛନ୍ତି। ଫଳରେ କାଳକ୍ରମେ ଉକ୍ତ ଖାଲ ପୋତି ହୋଇଗଲାଣି ଓ ସେଠାରେ ଆବର୍ଜନା ପାହାଡ଼ ସୃଷ୍ଟି ହୋଇଗଲାଣି। ଏହା ଦ୍ବାରା ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଆବର୍ଜନା ପଡ଼ୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବର୍ଷା ଦିନରେ ଏମିତି ପରିସ୍ଥିତି ହେଉଛି ଯେ ଘରେ ପୋକଜୋକ ଭର୍ତ୍ତି ହୋଇଯାଉଛି।
ବସ୍ତିବାସିନ୍ଦା ତ୍ରିଲୋଚନା ସାହୁ କୁହନ୍ତି ଯେ ଏହିସବୁ ସମସ୍ୟା ବାବଦରେ ସେମାନେ ବହୁଥର ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛୁ। କିନ୍ତୁ କେହି କର୍ଣ୍ଣପାତ କରିନାହାନ୍ତି। ବସ୍ତିବାସିନ୍ଦା ଲିଲି ନାୟକଙ୍କ କହିବା କଥା ମହିଳାମାନେ ଗାଧୋଇବା ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଏମିତିକି ଅସମୟରେ ନିତ୍ୟକର୍ମ କରିବାକୁ ଅସୁବିଧାରେ ପଡ଼ୁଛନ୍ତି।