ଭାଙ୍ଗିଗଲାଣି କାନପୁର ଏସ୍‌କେ ଗେଟ୍‌ ସୁରକ୍ଷା ବାଡ଼

ତ୍ରିଶୁଳିଆ: ପୁରୀ ମୁଖ୍ୟ କେନାଲରେ ପ୍ରବାହିତ ଜଳସ୍ତରକୁ ନିୟନ୍ତ୍ରଣ କରିବା ସହ କୁଆଖାଇ ଶାଖାନଦୀର ବନ୍ୟାଜଳକୁ ନିୟନ୍ତ୍ରଣ କରିବା ପାଇଁ କାନପୁରଠାରେ ଏସ୍‌କେ ଗେଟ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ୧୯୬୦ ମସିହାରେ କାନପୁରଠାରେ ଏହି ଗେଟ୍‌ ନିର୍ମାଣ କରାଯାଇଥିଲା। ଯାତାୟାତ ପାଇଁ ଏହା ଉପରେ ଏକ ବ୍ରିଜ୍‌ ନିର୍ମାଣ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏହି ବ୍ରିଜ୍‌ର ଦୁଇ ଧାରରେ ସୁରକ୍ଷା ବାଡ଼ ରହିଛି। ମାତ୍ର ଏବେ ଏହି ବାଡ଼ ଭାଙ୍ଗିରୁଜି ଗଲାଣି। ବାଡ଼ରୁ ପ୍ଲାଷ୍ଟର ଖସି କଳଙ୍କି ଲଗା ଲୁହାରଡ୍‌ ଦେଖାଗଲାଣି। ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଏହା ଉପରେ ଯାତାୟାତ କରୁଛନ୍ତି। ଏହି ବ୍ରିଜ୍‌ ଦେଇ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶହ ଶହ ଜନସାଧାରଣ ଯାଉଛନ୍ତି। ୫ ନମ୍ବର ଜାତୀୟ ରାଜପଥ ଓ ବାରଙ୍ଗ ଭିଆଇପି ମୁଖ୍ୟ ରାସ୍ତାକୁ ଏହା ସଂଯୋଗ କରୁଛି।

ତେଣୁ ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଯାନବାହନ ଚଳାଚଳ କରିଥାଏ। ଏବେ ବ୍ରିଜ୍‌ ବାଡ଼ ଭାଙ୍ଗି ଯାଇଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ଜୀବନକୁ ପାଣି ଛଡ଼ାଇ ଏହା ଉପରେ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଅନନ୍ତ ଗୋପାଳ ପଟ୍ଟନାୟକଙ୍କ କହିବା କଥା ଖୁବ୍‌ ଶୀଘ୍ର ଏହି ବାଡ଼ ମରାମତି କରାଯିବ।

ସମ୍ବନ୍ଧିତ ଖବର