ଭୁବନେଶ୍ବର: ରାସ୍ତାକଡ଼ରେ ମାଂସ କଟା ହୋଇପାରିବନି କି ବିକ୍ରି ହୋଇପାରିବନି। ଏହା କୋର୍ଟଙ୍କ ଆଦେଶ। ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି ହୋଇଛି। କିନ୍ତୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ ଏହି ନିୟମକୁ ପାଦରେ ଦଳି ଦିଆଯାଇଛି। କୋର୍ଟଙ୍କ ଆଦେଶକୁ ବାରମ୍ବାର ଅବମାନନା କରାଯାଉଛି। ବିଏମ୍‌ସି ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ଲକ୍ଷ୍ମୀସାଗର ଝାରପଡ଼ା କେନାଲ୍ ରାସ୍ତାରେ ବିଏମ୍‌ସି ପକ୍ଷରୁ କଂସେଇଖାନା ନିର୍ମାଣ କରାଯାଇଥିଲେ ବି ମାଂସ ଦୋକାନୀମାନେ ରାସ୍ତା ଉପରେ ଛେଳି କାଟୁଛନ୍ତି ଓ ବିକୁଛନ୍ତି। ପଶୁ କ୍ରୁରତା ନିରୋଧୀ ଆଇନର ଖୋଲା ଅବମାନନା କରୁଛନ୍ତି। ଏହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକଙ୍କ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଉଛି।

Advertisment

ସେପଟେ ଯେଉଁ କଂସେଇଖାନା ତିଆରି ହୋଇଥିଲା, ତାହା ଅବ୍ୟବହୃତ ଅବସ୍ଥାରେ ପଡ଼ି ଭୂତକୋଠି ପାଲଟିଲାଣି। ରାସ୍ତାକଡ଼ରେ ମାଂସ ବିକ୍ରି ବନ୍ଦ କରିବା ଓ ମାଂସଦୋକାନୀଙ୍କ ଉପରେ ନଜର ରଖିବାକୁ ବିଏମ୍‌ସି କର୍ତ୍ତୃପକ୍ଷ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟଙ୍କୁ ନେଇ ଯୁଗ୍ମ କମିଟି ରହିଛି। ଏହି ଟିମ୍‌ ପ୍ରତି ବୁଧବାର ଓ ରବିବାର ଚଢ଼ଉ କରି ରାସ୍ତାକଡ଼ ବେଆଇନ୍ ମାଂସ କଟା ଓ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ କମିଟି ହାତବାନ୍ଧି ବସିଛି। ଭୁବନେଶ୍ବର ମହାନଗର ନିଗମ ସାରା ଏଭଳି ମାଳମାଳ ମାଂସ ଦୋକାନ ରାସ୍ତା କଡ଼ରେ ଖୋଲିଛି। ସେପଟେ ଏମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଜାଗା ଯୋଗାଇଦେବାକୁ କୋର୍ଟଙ୍କ ଯେଉଁ ଆଦେଶ ରହିଥିଲା, ତାହା ବି ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନି।

ରାସ୍ତାକଡ଼ ମାଂସ କଟା ଓ ମାଂସଦୋକାନ ବନ୍ଦ କରି ବ୍ୟବସାୟର ଭିତ୍ତିଭୂମି ଯୋଗାଇଦେବା ଲକ୍ଷ୍ୟରେ ବିଏମ୍‌ସି ପକ୍ଷରୁ ୨୦୦୭ ମସିହା ସ୍ବାୟତ୍ତ ଶାସନ ଦିବସରେ ଆରମ୍ଭ ହୋଇଥିଲା ଲକ୍ଷ୍ମୀସାଗର କଂସେଇଖାନା। ସେ ସମୟରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଥିଲା। ଏଠାରେ ମାଂସ ବିକ୍ରି ପାଇଁ ୧୦ଟି ଦୋକାନ ଘର କରାଯାଇଥିଲା। ମାଂସ କାଟିବା ପାଇଁ ସ୍ବତନ୍ତ୍ର ଘର ବି କରାଯାଇଥିଲା ଓ ଟାଙ୍ଗିବା ପାଇଁ ଲୁହାର ଭାରା ବ୍ୟବସ୍ଥା କରାଯାଇଥିଲା। ପାଣିର ସୁବିଧା ପାଇଁ ୫ଟି ଓଭରହେଡ୍ ଟାଙ୍କି ବ୍ୟବସ୍ଥା ଥିଲା। ଆରମ୍ଭରୁ ଦୋକାନୀମାନେ ଏହି କଂସେଇଖାନା ଭିତରେ ବେପାର କଲେ। କିନ୍ତୁ ସମୟ ଗଡ଼ିବା ସହ ପୁଣି ରାସ୍ତାରେ ଆସି ମାଂସ କାଟି‌ଲେଣି ଓ ବିକିଲେଣି। ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିବା କାରଣରୁ କଂସେଇଖାନାର ଭିତ୍ତିଭୂମି ଉଜୁଡ଼ିଗଲାଣି।

ଟାଙ୍କିକୁ ପାଣି ଉଠିବା ବ୍ୟବସ୍ଥା ଅଚଳ ଅବସ୍ଥାରେ। ଏଠାରେ ପ୍ରତିଦିନ ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶାଦ୍ରବ ସେବନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ରକ୍ଷଣାବେକ୍ଷଣ ଅଭାବରୁ ଏହି କଂସେଇଖାନା କ୍ରମେ ଭାଙ୍ଗିଗଲାଣି। କାନ୍ଥ, ଛାତରୁ ସିମେଣ୍ଟ ଛେଲା ଖସୁଛି। ଚାରିପାର୍ଶ୍ବରେ ଅନାବନା ଗଛର ଜଙ୍ଗଲିଆ ପରିବେଶ ବିଷାକ୍ତ ସରୀସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଲାଣି। ଏ ସମ୍ପର୍କରେ ୩୨ ନମ୍ବର ୱାର୍ଡ କର୍ପୋରେଟର୍‌ ଶ୍ରୀଧର ଜେନା କହିଛନ୍ତି ଯେ , ଏହି କଂସେଇଖାନାକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଖୁବ୍‌ ଶୀଘ୍ର ବିଏମ୍‌ସି ପକ୍ଷରୁ ଏହାକୁ ଭଙ୍ଗାଯିବ। ତେବେ  ନୂତନ କଂ‌ସେଇଖାନା ନିର୍ମାଣ ଓ ରାସ୍ତାକଡ଼ ମାଂସଦୋକାନୀଙ୍କ ଥଇଥାନ ସମ୍ପର୍କରେ ଏବେ କୌଣସି ଯୋଜନା କରାଯାଇନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।