ପଥୋତ୍ସବ ମଞ୍ଚରେ କଂସ

ଭୁବନେଶ୍ୱର: ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇଉଠିଥିଲା ଜନପଥ। ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ସହ ଦେଶାତ୍ମବୋଧ ଗୀତରେ ଗୁଞ୍ଜରି ଉଠିଥିଲା ସମଗ୍ର ପରିବେଶ। ରଙ୍ଗୋଲିରେ ସଜେଇ ହୋଇଥିଲା ସଂଗ୍ରାମୀଙ୍କ ଚିତ୍ର। ସଂଗ୍ରାମୀଙ୍କ ଜନ୍ମସ୍ଥାନର ଆଧାରରେ ତିଆରି ହୋଇଥିଲା ଭାରତ ମାନଚିତ୍ର। ଅବସର ଥିଲା ୭୫ତମ ପଥୋତ୍ସବ। ‘ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ’ଙ୍କ ପାଇଁ ସମର୍ପିତ ହୋଇଥିଲା ଆଜିର ଏହି ଲୋକପ୍ରିୟ ମହୋତ୍ସବ। ମଞ୍ଚରେ କଂସ: ଆଜିର ପ‌ଥୋତ୍ସବର ଅନ୍ୟତମ ଆକର୍ଷଣ ଥିଲେ କଂସ। ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରାର ଯଦିଓ ସେ କଂସ ନୁହନ୍ତି, କିନ୍ତୁ ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେ ଥିଲେ ବି.କେ.ଦେବତା। ଆସନ୍ତା ‘ପୁଷପୁନି ଭେଟ୍‌’ରେ ତାଙ୍କ ଟ୍ରୁପ୍‌ କାର୍ଯ୍ୟକ୍ରମ ପରିବେଷଣ କରିବ। ସେହି ଟ୍ରୁପ୍‌ ଦ୍ବାରା ବରଗଡ଼ର ଧନୁଯାତ୍ରା ଢଙ୍ଗରେ ଉତ୍କଳ ମଣ୍ଡପରେ ଧନୁଯାତ୍ରା ଅନୁଷ୍ଠିତ ହେବ। ସେଇ ଟ୍ରୁପ୍‌ର ଏକ ଝଲକ ଆଜି ଦେଖିବାକୁ ମିଳିଥିଲା। ବାଲିରେ ପ୍ରତିଛବି: ଅଠା ଓ ବାଲିରେ ତିଆରି ହୋଇଥିଲା ବୀର ସୁରେନ୍ଦ୍ର ସାଏ, ପଣ୍ଡିତ ଗୋପବନ୍ଧୁ ଦାଶ ଓ ଜୟୀ ରାଜଗୁରୁଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ପ୍ରତିକୃତି। ଦୂରରୁ ଦେଖିଲେ କେବେବି ଅନୁମାନ କରାଯାଇପାରୁନଥିବା ଏହି କଳାକୃତିକୁ ଦେଖିବା ପାଇଁ ବେଶ୍‌‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଡିପିଆର ଆର୍ଟ ଲାଇଫ୍‌ ପକ୍ଷରୁ ଏହାକୁ ତିଆରି କରାଯାଇଥିଲା।

ସମ୍ବନ୍ଧିତ ଖବର