ରାଜଧାନୀରେ ଟ୍ରାଫିକ ସଚେତନ କରାଇଲେ କଂସ ମହାରାଜ

ଭୁବନେଶ୍ୱର: ମଥୁରାଧୀଶ ମହାରାଜ କଂସ ଆଜି ନଗର ପରିକ୍ରମା କରିଥିଲେ। ରାଜକୀୟ ସବାରୀ ସହ ପାଟମନ୍ତ୍ରୀ ଓ ସେନାପତିଙ୍କ ଗହଣରେ ଯାଉଥିବା କଂସଙ୍କୁ ଦେଖିବାକୁ ବେଶ ଭିଡ଼ ଜମିଥିଲା। ଥିଲା ରାଜକୀୟ ଠାଣି, ନିର୍ଦେଶ ବି କଡ଼ା ଥିଲା। ଆଜି ଲଷ୍ମୀସାଗର ଗ୍ରାମରେ ସୃଷ୍ଟି ହୋଇଥିଲା ମଥୁରା ନଗରୀର ଭ୍ରମ। ଗ୍ରାମର ମହିଳାମାନେ ବନ୍ଦାପନା କରି ବରଗଡ଼ ଧନୁ ଯାତ୍ରାର କଂସରାଜାଙ୍କୁ ସ୍ୱାଗତ କରିଥିଲେ। ଅବସର ଥିଲା ଲଷ୍ମୀସାଗର ଯବାନ କ୍ଲବର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱିତୀୟ ଦିନ। ମହାରାଜା କଂସ ଗାଁ ଦାଣ୍ଡ ବୁଲିବା ସହ ରାସ୍ତା ଉପରେ ଗାଡ଼ି ରଖି ଅବରୋଧ କରିଥିବା ଲୋକଙ୍କୁ ଟ୍ରାଫିକ ସଚେତନ କରିଥିବା ବେଳେ କେତେକଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହ ସାନ୍ଧ୍ୟ ଅଧିବେଶନରେ ସମ୍ବଲପୁର କଳାକାରମାନେ ଶ୍ରୀ ଭାଗବତ ବାସୁଦେବ ମେଳଣ ପଡ଼ିଆରେ ନାଟକ ‘କଂସ ଦରବାର’ ପରିବେଷଣ କରିଥିଲେ। କ୍ଲବ ସଭାପତି ଶ୍ରୀବତ୍ସ ରାଉତଙ୍କ ତତ୍ତ୍ବାବଧାନରେ ସମାରୋହ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର