କନ୍ୟା ଅନମୋଲ ହେ ପକ୍ଷରୁ ‘ଚରଣ ସ୍ପର୍ଶ’: ଶିକ୍ଷିତ ଓ ରୋଜଗାରକ୍ଷମ ନାରୀ ଅବହେଳିତ ହୋଇପାରିବନି

ଚନ୍ଦ୍ରଶେଖରପୁର: ବିଶ୍ବରେ ଏମିତି କୌଣସି କ୍ଷେତ୍ର ନାହିଁ କି’ କାମ ନାହିଁ, ଯାହା ନାରୀଟିଏ କରିପାରିବ ନାହିଁ। ଆଜିର ଯୁଗରେ ପୁରୁଷଙ୍କ ତୁଳନାରେ ମହିଳା ଯଥେଷ୍ଟ ଆଗରେ। କିନ୍ତୁ ଆଜି ବି ଆମ ସମାଜରେ ମହିଳାଟିଏ ରାତି ୧୨ଟା ପରେ ଏକୁଟିଆ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହିଁ। ରାତି ତ ରାତି, ଦିନରେ ମଧ୍ୟ ସେ ପଦାକୁ ବାହାରିବାକୁ କୁଣ୍ଠାବୋଧ କରୁଛି। ଯେଉଁଦିନ ଆମ ସମାଜରୁ ଏ ଭୟ ଦୂର ହୋଇପାରିବ, ସେଦିନ ଆମେ ସ୍ବାଧୀନ ହେଲେ ବୋଲି ଭାବିନେବା। ଏଥିପାଇଁ ଆମ ସାମାଜିକ ବ୍ୟବସ୍ଥା‌ରେ ସୁଧାର ଆଣିବାକୁ ପଡ଼ିବ। ବିଶେଷକରି, ମହିଳାମାନେ ରୋଜଗାରକ୍ଷମ ଓ ଶିକ୍ଷିତ ହୋଇଗଲେ ଅନେକ ସମସ୍ୟା ଆପେ ଦୂର ହୋଇଯିବ। ଶିକ୍ଷିତ ଓ ରୋଜଗାରକ୍ଷମ ଝିଅଟିଏ କେବେ ଅଲୋଡ଼ା ବା ଅବହେଳିତ ହେବ ନାହିଁ। ଅନେକ ଲୋକ ଏହାକୁ ଅଙ୍ଗେ ନିଭାଇଛନ୍ତି। ଉତ୍କଳ ରଙ୍ଗମଞ୍ଚଠା‌ରେ ସାମାଜିକ ସଂଗଠନ ‘କନ୍ୟା ଅନ୍‌ମୋଲ ହେ’ ପକ୍ଷରୁ ଆୟୋଜିତ ଚତୁର୍ଥ ଚରଣ ସ୍ପର୍ଶ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ଅନୁଷ୍ଠାନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ସରୋଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ମଣିଷର ସବୁଠାରୁ ବଡ଼ ରୋଗ ହେଉଛି ଅହଂକାର। ଆଧୁନିକ ଯୁଗର ଅଧିକାଂଶ ଲୋକଙ୍କୁ ଏବେ ଏହି ରୋଗ ଗ୍ରାସି ସାରିଲାଣି। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଆଗକୁ ବଢ଼ିବା‌‌‌‌ରେ ଏହି ଅହଂକାର ସବୁବେଳେ ବାଧକ ସାଜିଥାଏ। ତେଣୁ ଏହି ଅହଙ୍କାରକୁ ପରିହାର କରିବାକୁ ସେ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଶାନ୍ତନୁ ପାଣି ଯୋଗଦେଇ ମହିଳା ସଶକ୍ତୀକରଣ ଉପରେ ମତ ପ୍ରଦାନ କରିଥିଲେ। କଠିନ ପରିଶ୍ରମ, ଏକାଗ୍ରତା ଏବଂ ଦୃଢ଼ ମନୋବଳ ଦ୍ୱାରା ଆଗକୁ ବଢ଼ିବା ଲାଗି ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ରୋଟାରିଆନ୍ ଯଜ୍ଞାଶିଷ ମହାପାତ୍ର କହିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଦାଶ କହିଲେ ଯେ ନିଷ୍ଠା ଏବଂ ସାଧୁତା ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କନ୍ୟା ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଓ ପାରଦର୍ଶିତା‌ ପାଇଁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ, ଲେଖିକା ସୁଷମା ମିଶ୍ର, ସମାଜସେବୀ କାଜଲ ରକ୍ଷିତ ଓ ସ୍ୱରୂପା ଚକ୍ରବର୍ତ୍ତୀଙ୍କୁ ଚରଣ ସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯାଯାବର ଟ୍ରଷ୍ଟକୁ ସମ୍ମାନିତ କରାଯାଇଥିଲା।
ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟ ଓ ଚରଣ ସ୍ପର୍ଶର ଟାଇଟଲ୍ ସଂଗୀତ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସସ୍ମିତା ଦାଶ, ଅଧ୍ୟକ୍ଷା ଅଂଶୁ ତ୍ରିପାଠୀ, ସଭାପତି ଅର୍ଚ୍ଚନା ପାଣିଗ୍ରାହୀ, ଆବାହକ ତପସ୍ୱିନୀ ପଟ୍ଟନାୟକ, ଦେବସ୍ମିତା ଦାଶ, ଲିପୁନ ମହାରଣା, ସୌମ୍ୟରଞ୍ଜନ ବେହେରା, ବାଦଲ ଆକାଶ କୁମାର, ରାଜଲକ୍ଷ୍ମୀ ନନ୍ଦ, ଐଶ୍ୱର୍ଯ୍ୟା ନାୟକ, ମଧୁସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର