ଭୁବନେଶ୍ୱର: ପ୍ରଥା ଓ ପରମ୍ପରା ଅନୁସାରେ ବିନ୍ଦୁସାଗରରେ ଚନ୍ଦନଯାତ୍ରା ପାଇଁ କପିଳନାଥଙ୍କୁ ଅନୁମତି ମିଳିଲା। ଚଳିତ ବର୍ଷ କପିଳେଶ୍ୱରଙ୍କ ଚନ୍ଦନ ଯାତ୍ରା ପାଇଁ ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା ଅନୁମତି ପ୍ରଦାନ କରିଥିଲେ। ହେଲେ ପ୍ରଶାସନ ଉଦ୍ୟମ କଲା ନାହିଁ। ପ୍ରଶାସନର ଉଦାସୀନତା ଯୋଗୁ କପିଳନାଥ ସ୍ବତନ୍ତ୍ର ଭାବେ ମଣିକର୍ଣ୍ଣିକା ପୁଷ୍କରିଣୀରେ ଚାପ ଖେଳିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।  

Advertisment

ପ୍ରକାଶ ଥାଉକି, ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରାରେ କପିଳେଶ୍ୱରଙ୍କ ସମ୍ପର୍କ ରହିଛି। ପବିତ୍ର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗରରେ ୨୨ଦିନ ଧରି ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାରେ ପ୍ରଭୁ କପିଳେଶ୍ୱର ଯୋଗ ଦେଇଥାନ୍ତି। ୨୦୧୫ ମସିହାରୁ ଏହି ପରମ୍ପରା ପାଳନ ହୋଇପାରୁନାହିଁ। କପିଳେଶ୍ୱରଙ୍କ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ସେବାପୂଜା ଅଧିକାର ବିବାଦ ଯୋଗୁଁ ଶ୍ରୀଲିଙ୍ଗରାଜ ଚନ୍ଦନଯାତ୍ରାରେ କପିଳେଶ୍ୱର ସାମିଲ ହୋଇପାରୁ ନାହାନ୍ତି। ପୂର୍ବ ପରମ୍ପରା ଫେରାଇ ଆଣିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ବିଧାୟକ, ଆଇନମନ୍ତ୍ରୀ ଓ କପିଳନାଥ ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ମହାପ୍ରଭୁଙ୍କର ଅନେକ ପ୍ରାଚୀନ ପରମ୍ପରା ବନ୍ଦ ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟର ବିଚାରପତି ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରି ଠାକୁରଙ୍କ ପ୍ରାଚୀନ ପରମ୍ପରା ରକ୍ଷା କରିବାକୁ ଦେବୋତ୍ତର ଆୟୁକ୍ତ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ ଉଦ୍ୟମ କରୁନଥିବାରୁ ପରମ୍ପରା ଭଙ୍ଗ ହେଉଛି।

ଏନେଇ ସ୍ତମ୍ଭକାର ଭାଗିରଥୀ ମହାସୁଆର କୁହନ୍ତି, ଲିଙ୍ଗରାଜ ମନ୍ଦିରରେ ଅନେକ ଯାତ୍ରା ବିଧି ବନ୍ଦ ହେଲାଣି। ଶିବ ବିବାହରେ କପିଳନାଥ ଯୋଗ ଦେଉନାହାନ୍ତି। ଏଠାକାର ଦେବନୀତି ଶୃଙ୍ଖଳିତ କରିବା ସରକାରଙ୍କ କାମ। ଦେବୋତ୍ତର ବିଭାଗ ସେଥିପାଇଁ ଅଛି। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି କୁହନ୍ତି, ହାଣ୍ଡିଭଙ୍ଗା ଯାତ ପରମ୍ପରା ରହିଲେ ଖୁଣ୍ଟିଆ ସେବାୟତମାନେ ସହଯୋଗ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି।