କପିଳେଶ୍ବର‌ ମନ୍ଦିରରେ ପରମ୍ପରା ଭାଙ୍ଗିଲା: ମଣିକର୍ଣ୍ଣିକା ପୁଷ୍କରିଣୀରେ ମାଛ ମଡ଼କ

ଦୁର୍ଗନ୍ଧରେ ଫାଟୁଛି ମନ୍ଦିର ପରିସର, ସେବାରେ ଲାଗିପାରୁନି ପୁଷ୍କରିଣୀ ଜଳ

ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଥିବା ପ୍ରଭୁ କପିଳେଶ୍ବର ମନ୍ଦିରରେ ଭାଙ୍ଗିଛି ହଜାର ବର୍ଷର ପରମ୍ପରା। ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ମଣିକର୍ଣ୍ଣିକା ପୁଷ୍କରିଣୀ ଜଳ ଠାକୁରଙ୍କ ସେବାରେ ଲାଗି ଆସୁଥିଲା। କିନ୍ତୁ ମାଛ ମଡ଼କ ଯୋଗୁଁ ପୁଷ୍କରିଣୀର ଜଳ ଆଉ ବ୍ୟବହାର ଉପଯୋଗୀ ହୋଇରହିନାହିଁ। ଏହି କାରଣରୁ ପ୍ରାୟ ସପ୍ତାହ ହେବ ଦେବନୀତିରେ ମଣିକର୍ଣ୍ଣିକା ପୁଷ୍କରିଣୀ ଜଳ ଲାଗି ପାରୁନାହିଁ। ସେବାୟତମାନେ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ମନ୍ଦିର ଦାୟିତ୍ବରେ ଥିବା ଦେବୋତ୍ତର ବିଭାଗ ଚୁପ୍‌ ବସିଛି, ମନ୍ଦିର ଟ୍ରଷ୍ଟ ବୋର୍ଡ ବି ନିରବ। ଯାହାକୁ ନେଇ ସେବାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶା‌ର ଗଜପତି ରାଜା କପିଳେନ୍ଦ୍ର‌‌ଦେବ ନିଜେ କପିଳେଶ୍ବର ମନ୍ଦିର ନିର୍ମାଣ କରାଇଥିଲେ। ଏଥିସହ ପ୍ରଭୁ କପିଳେଶ୍ବରଙ୍କ ସେବା ଓ ପୂଜାର୍ଚ୍ଚନା ସମସ୍ତ ବ୍ୟବସ୍ଥା ଖଞ୍ଜି ଥିଲେ। ଏହି କ୍ରମରେ ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ମଣିକର୍ଣ୍ଣିକା ପୁଷ୍କରିଣୀ ଖୋଳା ଯାଇଥିଲା। ପୁଷ୍କରିଣୀରେ କପିଳେଶ୍ବରଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସ୍ନାନ ଶୌଚ ନିମିତ୍ତ ୧୧ଟି ଘାଟ ଅଛି। ଏବେ ବି ଗାଁ ଲୋକେ ଏହି ପୁଷ୍କରିଣୀରେ ଗାଧୋଇବା ପରେ ଠାକୁରଙ୍କୁ ଦର୍ଶନ କରିଥାନ୍ତି। ଏଠାରେ କପିଳେଶ୍ବରଙ୍କ ପାଇଁ ଉଦ୍ଦିଷ୍ଟ ଘାଟରୁ ପାଣି ଯାଇ ଠାକୁରଙ୍କ ନୀତି କରାଯାଏ। କିନ୍ତୁ ପ୍ରାୟ ସପ୍ତାହ ହେବ ଫୋଖରୀରେ ମାଛ ମରି ଭାସୁଥିବାରୁ ଏହି ପାଣିରେ ନୀତି ହେଉନାହିଁ। ସେବାୟତ ଅରବିନ୍ଦ ମଲିଆଙ୍କ କହିବା ଅନୁସାରେ ସକାଳୁ ଦ୍ବାରଫିଟା ପରେ ପ୍ରଥମ ପୁଷ୍କରିଣୀର ଠାକୁରଙ୍କ ଘାଟରୁ ପାଣି ଆସି କପିଳେଶ୍ବରଙ୍କ ମାର୍ଜନା, ସ୍ନାନ ଓ ବେଶ ସହ ମଙ୍ଗଳ ଆଳତି କରାଯାଏ। ହଜାର ହଜାର ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି। କିନ୍ତୁ ଏବେ ମାଛର ଟୁକୁଡ଼ା ଓ କାତି ପୋଖରୀ ପାଣିରେ ଭାସୁଛି। ଆଇଁଷ ଦୁର୍ଗନ୍ଧ ଏପରି ହେଉଛି ଯେ, ମନ୍ଦିର ପରିସରରେ ପଶି ହେଉନାହିଁ। ଏବେ ଉପାୟ ଶୂନ୍ୟ ହୋଇ କପିଳକୁଣ୍ଡ (ବାମ୍ଫି)ରୁ ପାଣି ନେଇ ନୀତିକାନ୍ତି କରାଯାଉଛି। ଏହା ଦ୍ବାରା ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗିଛି।

ମଣିକର୍ଣ୍ଣିକା ପୁଷ୍କରିଣୀରେ ମାଛ ମଡ଼କ
ଦୁର୍ଗନ୍ଧରେ ଫାଟୁଛି ମନ୍ଦିର ପରିସର
ସେବାରେ ଲାଗିପାରୁନି ପୁଷ୍କରିଣୀ ଜଳ
ଦେବୋତ୍ତର ବିଭାଗ ଚୁପ୍‌, ଟ୍ରଷ୍ଟବୋର୍ଡ ନିଶ୍ଚଳ

ବଡ଼ କଥା ହେଲା ମନ୍ଦିର ଦାୟିତ୍ବରେ ଦେବୋତ୍ତର ବିଭାଗ ରହିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଖୋର୍ଦ୍ଧା ଜିଲ୍ଲାପାଳ ରହିଛନ୍ତି। ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ସମତେ ମୋଟ ୭ ଜଣ ଟ୍ରଷ୍ଟ ବୋର୍ଡରେ ଅଛନ୍ତି। କିନ୍ତୁ ମନ୍ଦିର ପ୍ରତି କାହାର ଆନ୍ତରିକତା ନଥିବା ଭଳି ମନେ ହେଉଛି। ସପ୍ତାହ ହେବ ମନ୍ଦିରରେ ଏଭଳି ଅଭାବନୀୟ ପରିସ୍ଥିତି ଲାଗି ରହିଥିଲେ ହେଁ ଏଥିପ୍ରତି କେହି ହେଲେ ତତ୍ପରତା ଦେଖାଉ ନାହାନ୍ତି। ସେବାୟତଙ୍କ କହିବା କଥା ମଣିକର୍ଣ୍ଣିକା ପୋଖରୀ ନିକଟରେ ଅନ୍ୟ ଦୁଇଟି ପୋଖରୀ ଅଛି। କିନ୍ତୁ ସେଠାରେ ମାଛ ମଡ଼କ ହେଉନାହିଁ। ଏହି ପୋଖରୀ ଦୀର୍ଘ ଦିନ ହେବ ସଫା ହୋଇନାହିଁ। ଲଗାତାର ଭାବେ ଖରା ଦିନେ ପୋଖରୀର ଜଳସ୍ତର କମି କମି ଯାଉଛି। ପୋଖରୀରୁ ପାଣି ବାହାରକୁ ଯିବା ବା ବାହାର ପାଣି ପୋଖରୀକୁ ପଶିବାର ବ୍ୟବସ୍ଥା ନାହିଁ। ତେଣୁ ପାଣି ସବୁବେଳେ ସ୍ଥିର ରହୁଛି। ଏବେ ପାଣି ନୀଳ ରଙ୍ଗ ପଡ଼ିଯିବା ସହ ସେଥରୁ ଦୁର୍ଗନ୍ଧ ବାହାରୁଛି। ଯାହା ବ୍ୟବହାର ଉପଯୋଗୀ ନୁହେଁ। ଆଜି ଗ୍ରାମବାସୀ ପୋଖରୀରେ ଚୂନ ପକାଇବା ସହ କିଛି କିଛି ସ୍ଥାନ ସଫା କରିଛନ୍ତି। ପାଣି ଟାଙ୍କିରୁ ପାଇପ୍‌ ଲଗାଇ ‌ଉଚ୍ଚରୁ ପୋଖରୀକୁ ପାଣି ଛାଡ଼ିଛନ୍ତି। ହେଲେ ଏହା ଯଥେଷ୍ଟ ନୁହେଁ। ତୁରନ୍ତ ଏ ଦିଗରେ ସଂପୃକ୍ତ ବିଭାଗ ଉଚିତ ପଦକ୍ଷେପ ନେବା ସହ ପରମ୍ପରାକୁ ରକ୍ଷା କରିବାକୁ ସେବାୟତ ଓ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର