ଭୁବନେଶ୍ବର: ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ୧୯୧୪ ମସିହାରେ ପ୍ରତିଷ୍ଠିତ ୧୧୦ ବର୍ଷ ତଳର କପିଳେଶ୍ବର ପ୍ରାଥମିକ ବିଦ୍ୟାଳୟ ଭଙ୍ଗା ହେଲା। କୁହାଗଲା, ଏହି ସ୍ଥାନରେ ଏକ କମ୍ୟୁନିଟି ସେଣ୍ଟର କରାଯିବ। ହେଲେ ବର୍ଷ ପରେ ବର୍ଷ ଗଢ଼ୁଛି। କିନ୍ତୁ ଏଯାଏ କମ୍ୟୁନିଟି ସେଣ୍ଟର ହୋଇପାରୁନାହିଁ। ଯାହାକୁ ନେଇ ସ୍ଥାନୀୟ କର୍ପୋରେଟରଙ୍କୁ ଗ୍ରାମବାସୀ ଘେରଉ କରିଛନ୍ତି। ତେଣୁ ବିଏମ୍‌ସି କର୍ପୋରେସନ ବୈଠକରେ ୬୦ ନମ୍ବର ୱାର୍ଡ ପ୍ରତି ଅବହେଳା ହେଉଥିବା ଦର୍ଶାଇ କର୍ପୋରେଟର ଚନ୍ଦ୍ର ଶେଖର ମଲିଆ କ୍ଷୋଭ ପ୍ରକାଶ କରିଛନ୍ତି। 

Advertisment

୧୧୦ ବର୍ଷର ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିଦେଲେ
ଗ୍ରାମବାସୀ ଅସନ୍ତୁଷ୍ଟ, କ୍ଷୋଭ ପ୍ରକାଶ କଲେ କର୍ପୋରେଟର

ସରକାରୀ ନିୟମ ଅନୁସାରେ ଆବଶ୍ୟକ ପିଲା ନହେବାରୁ କପିଳେଶ୍ବର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା। ଏହି ବିଦ୍ୟାଳୟ ପିଲାଙ୍କୁ ନିକଟରେ ଥିବା କପିଳେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟପଟେ ବନ୍ଦ ହୋଇଯାଇଥିବା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣକୁ ଗ୍ରାମବାସୀମାନେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମରେ ବ୍ୟବହାର କରୁଥିଲେ। ତେବେ ବନ୍ଦ ହୋଇଥିବା ଏହି ବିଦ୍ୟାଳୟକୁ ଭାଙ୍ଗି ସେହି ସ୍ଥାନରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରିବାକୁ ପ୍ରସ୍ତାବ ଆସିଥିଲା। କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ୧୧୦ ବର୍ଷର ସ୍ମୃତି ବହନ କରୁଥିବା ଶିକ୍ଷାନୁଷ୍ଠାନ ଭଙ୍ଗାଯିବ ନାହିଁ ବୋଲି ଅଡ଼ି ବସିଥିଲେ। ଏହି ସମୟରେ ବିଏମ୍‌ସି କମିସନର ଓ ସ୍ଥାନୀୟ କର୍ପୋରେଟର ଲୋକଙ୍କୁ ବୁଝାଇବା ସହ ଖୁବ୍‌ ଶୀଘ୍ର ଏକ ଆଧୁନିକ ଶୈଳୀରେ କମ୍ୟୁନିଟି ସେଣ୍ଟର ଗ୍ରାମବାସୀଙ୍କ ପାଇଁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୫ ଲକ୍ଷ ୬୭ ହଜାର ଟଙ୍କା ଖର୍ଚ୍ଚ କରାଯାଇ ସ୍କୁଲ୍‌କୁ ଭଙ୍ଗାଯାଇଥିଲା। 

ବଡ଼ କଥା ହେଲା ଏହାପରେ ବିଏମ୍‌ସି ପକ୍ଷରୁ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଉନି। ଯାହାକୁ ନେଇ ଗ୍ରାମବାସୀମାନେ କର୍ପୋରେଟରଙ୍କ ଉପରେ ପ୍ରତିକ୍ରିୟାଶୀଳ ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏନେଇ କର୍ପୋରେସନ ବୈଠକରେ ଲିଖିତ ଭାବେ ଜଣାଇଛନ୍ତି ୬୦ ନମ୍ବର ୱାର୍ଡ କର୍ପୋରେଟର। ଶ୍ରୀ ମଲିଆ କହିଛନ୍ତି କମ୍ୟୁନିଟି ସେଣ୍ଟର ନଥିବାରୁ ଅନେକ ଗ୍ରାମବାସୀ ଘରର କୌଣସି ଉତ୍ସବକୁ ପାଳନ କରିପାରୁନାହାନ୍ତି। ଘରୋଇ ମଣ୍ଡପରେ ବ୍ୟୟବହୁଳ ଖର୍ଚ୍ଚ ହେଉଥିବାରୁ ଏଠାରେ କମ୍ୟୁନିଟି ସେଣ୍ଟରେ ହେଲେ କପିଳେଶ୍ବର ଗ୍ରାମବାସୀ ଉପକୃତ ହେବା ସହ ବିଏମ୍‌ସି ମଧ୍ୟ ରାଜସ୍ବ ପାଇବ। ଏହାକୁ ନେଇ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏହା‌କୁ ଗୁରୁତ୍ବ ଦିଆଯାଉନାହିଁ। ସେହିପରି କପିଳେଶ୍ବରରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ୫୩ କୋଟି ଟଙ୍କା ପୂର୍ତ୍ତ ବିଭାଗ ପାଖରେ ପଡ଼ିଛି। ହେଲେ କାମ ହେଉନାହିଁ। ଏ ସମ୍ପର୍କରେ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ଲିଖିତ ଦିଆଯାଇଛି। ୬୦ ନମ୍ବର ୱାର୍ଡର ଏହି ଦୁଇ ସମସ୍ୟା ଶୀଘ୍ର ସମାଧାନ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଏମ୍‌ସି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିନାହିଁ।