ଖୋଲିଲା କପିଳେଶ୍ବର ମନ୍ଦିର, ସେବାରୁ ବଞ୍ଚିତ ହେଲେ ଖୁଣ୍ଟିଆ ସେବାୟତ

ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀକପିଳନାଥଙ୍କ ମନ୍ଦିର ଖୋଲିଲା। ଦୁଇ ଗୋଷ୍ଠୀ ସେବାୟତ ବିବାଦରୁ ଠାକୁର ୪ ଦିନ ଉପାସ ରହିବା ପରେ ଆଜି ମନ୍ଦିର ଖୋଲିଥିଲା। କିନ୍ତୁ ସେବାୟତ ବିବାଦର ଅନ୍ତ ହେଲା ନାହିଁ। ଖୁଣ୍ଟିଆ ସେବାୟତମାନେ ଠାକୁରଙ୍କ ସେବା କରିବାରୁ ବଞ୍ଚିତ ହେଲେ ବୋଲି ଅଭିଯୋଗ ହୋଇଛି। ଖୁଣ୍ଟିଆ ସେବାୟତମାନେ ଆଜି ଉପଜିଲ୍ଲାପାଳ ଓ ଦେବୋତ୍ତର କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ତେଣୁ ଆଗକୁ ଏହି ବିବାଦ ପୁଣି କି ରୂପ ନେବାକୁ ଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଗତକାଲି ପ୍ରଶାସନର ନିଷ୍ପତ୍ତି ଓ ଚୁକ୍ତି ଅନୁଯାୟୀ ଆଜି ସକାଳୁ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ ବାବା ଶ୍ରୀକପିଳେଶ୍ୱରଙ୍କ ‌ସେବା କରିବାକୁ ଯାଇଥିଲେ। ହେଲେ ଖୁଣ୍ଟିଆ ସେବାୟତମାନଙ୍କ ଅଭିଯୋଗ ଯେ ସେମାନଙ୍କୁ ସେବା କରିବାର ସୁଯୋଗ ଦିଆଗଲା ନାହିଁ। ଖୁଣ୍ଟିଆ ସେବାୟତ ଭୋର୍‌ରେ ପହଞ୍ଚିବା ବେଳକୁ ମଲିଆ ସେବାୟତ ସେମାନଙ୍କ ସେବା କରି ଦେଇଥିଲେ। ତେଣୁ ଖୁଣ୍ଟିଆ ସେବାୟତମାନଙ୍କ ପାଇଁ ନୀତିକାନ୍ତି ବାକି ନଥିଲା। ଗତକାଲିର ନିଷ୍ପତ୍ତି ବିରୋଧରେ ଏଭଳି କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରି ଦେବୋତ୍ତର କମିସନର ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି, ଶନିବାରଠାରୁ ଏହି ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ପୁଣି ମୁଣ୍ଡ ଟେକିବାରୁ ୪ ଦିନ ଧରି ମନ୍ଦିରରେ ତାଲା ପଡ଼ି ରହିଥିଲା ଓ ଠାକୁର ବିନା ନୀତିକାନ୍ତିରେ ଉପାସ ରହିଥିଲେ। ଗତକାଲି ବୈଠକରେ ଉଭୟ ପକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସେବା କରିବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଆଜି ପୁଣି ସେହି ବିବାଦ ପୁଣି ମୁଣ୍ଡ ଟେକିଛି।

ସମ୍ବନ୍ଧିତ ଖବର