କପିଳେଶ୍ବରଙ୍କ ପରମ୍ପରା ଭଙ୍ଗ ପ୍ରସଙ୍ଗ: କୈଫିୟତ ଦେବେ ଆପଟିଆ ସେବାୟତ

ବାହାରିବ ମଲିଆ ଓ ଖୁଣ୍ଟିଆ ବିବାଦର ସମାଧାନ ରାସ୍ତା

ପୁରୁଣା ଭୁବନେଶ୍ୱର: ବାରମ୍ବାର ପ୍ରଭୁ କପିଳେଶ୍ବରଙ୍କ ପରମ୍ପରା ଭଙ୍ଗ ହେଉଛି। କେତେବେଳେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ପାଇଁ ପରମ୍ପରା ଭଙ୍ଗ ହେଉଛି ତ କେତେବେଳେ ଆପଟିଆ ସେବାୟତଙ୍କ ସମସ୍ୟା ନେଇ ବିଧିବିଧାନ ଭ‌ାଙ୍ଗୁଛି। ଏହାକୁ ଗୁରୁତ୍ବର ସହ ନେଇଛି ମନ୍ଦିର ପରିଚାଳନା କମିଟି। ଏଣୁ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଏସବୁ ସମସ୍ୟାର ସମାଧାନ କରିବାକୁ ପରିଚାଳନା କମିଟି ତତ୍ପରତା ଦେଖାଇଛି। ବର୍ଷ ବର୍ଷ ଧରି ଲାଗି ରହିଥିବା ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତ ବିବାଦର ସମାଧାନ ସୂତ୍ର ବାହାରିବ ଓ ଆପଟିଆ ସେବାୟତଙ୍କୁ କୈଫିୟତ ମଗାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ଆଜି ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ମନ୍ଦିର ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ତଥା କପିଳେଶ୍ବର ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ ସାହୁଙ୍କ ସଂଯୋଜନାରେ ଏହି ବୈଠକ ବସିଥିଲା। ଏଥିରେ ମନ୍ଦିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ କାର୍ତ୍ତିକ ମାସ ଶେଷ ଶନିବାରରେ ଠାକୁରଙ୍କ ପରମ୍ପରା ଭଙ୍ଗକୁ ନେଇ ପରିଚାଳନା କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ଆପଟିଆ ସେବାୟତମାନେ ଠାକୁରଙ୍କ ବେଢ଼ା ପରିକ୍ରମା ବେଳେ ବିମାନ କାନ୍ଧେଇନଥିଲେ। ପାଉଣା ଦାବି କରି ବିମାନ କାନ୍ଧେଇଲେ ନାହିଁ। ଫଳରେ ଅନ୍ୟ ସେବାୟତମାନେ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ କାନ୍ଧରେ ବସାଇ ବେଢ଼ା ପରିକ୍ରମା କରାଇଥିଲେ। ଆପଟିଆ ସେବାୟତମାନଙ୍କ ଏହି ଅସହଯୋଗ କାରଣରୁ ପରମ୍ପରା ଭଙ୍ଗ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଆପଟିଆ ସେବାୟତଙ୍କୁ କୈଫିୟତ ମଗାଯିବ ବୋଲି ଆଜି ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ଦୀର୍ଘ ୬ ବର୍ଷ ହେଲା ମନ୍ଦିରରେ ଖୁଣ୍ଟିଆ ଓ ମଲିଆଙ୍କ ବିବାଦ ସମାଧାନ ହୋଇପାରୁନାହିଁ। ଏଥିପାଇଁ ରାଜ୍ୟ ଦେବୋତ୍ତର କମିସନରଙ୍କ ସହ ଆଲୋଚନା କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହି ଦୁଇ ସମସ୍ୟା ସହ ମନ୍ଦିରର ଅନ୍ୟାନ୍ୟ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଦିନକୁ ଦିନ ମନ୍ଦିର ଆୟ କମୁଥିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ କପିଳନାଥଙ୍କ ନାମରେ ଥିବା ସବୁ ଜମିକୁ ଚିହ୍ନଟ କରାଯିବ ବୋଲି ସ୍ଥିର କରାଯାଇଛି। ଏଥିପାଇଁ ପଦକ୍ଷେପ ନିଆଯାଇ ଦେବୋତ୍ତର ଆକ୍ଟ୍‌ର ୧୯ଧାରା ଓ ୨୫ ଧାରାରେ ଠାକୁରଙ୍କ ଜମି ପୁନରୁଦ୍ଧାର କରାଯିବ। ବର୍ଷା ଦିନେ ମନ୍ଦିରରେ ପାଣି ଗଳୁଛି। ତେଣୁ ମନ୍ଦିରର ମରାମତି କାମ କରାଯିବା ସହ ବିଦ୍ୟୁତ୍ ସଂଯୋଗ ଓ ଆର୍ଥିଂ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସୁପରିଟେଣ୍ଡେଣ୍ଟ୍‌ଙ୍କ ସହ ଆଲୋଚନା କରାଯିବ। ମନ୍ଦିରରେ ଓ ମନ୍ଦିର ବାହାରେ ଅଧିକ ଲାଇଟ୍‌ ଲଗାଇବା ପାଇଁ ବିଏମ୍‌ସିକୁ ପୁର୍ନବାର ଚିଠି କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ କମିସନରେଟ୍‌ ପୁଲିସ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଅବନୀକାନ୍ତ ପଟ୍ଟନାୟକ ଓ ଟ୍ରଷ୍ଟ ବୋର୍ଡର ସଭ୍ୟ, ଲ୍ୟାଣ୍ଡ୍‌ ଅଫିସର ହରିହର ମଲିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର