ପୁରୁଣା ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କପିଳପ୍ରସାଦ-ହରିରାଜପୁର ନବୀକରଣ କାମ ଜାରି ରହିଛି। କିନ୍ତୁ କାମର ମନ୍ଥର ଗତିକୁ ନେଇ ଜନସାଧାରଣଙ୍କ ଭିତରେ ଚାପା ଅସନ୍ତୋଷ ଦେଖାଯାଇଛି। ଏବେ ବି ଜମି ଅଧିଗ୍ରହଣ ସମସ୍ୟାର ଅନ୍ତ ହୋଇପାରିନାହିଁ। ତେଣୁ ରାସ୍ତା କେବେ ସରିବ, ସେନେଇ ସମସ୍ତଙ୍କ ଉତ୍କଣ୍ଠା ଲାଗିରହିଛି। ସମ୍ପ୍ରତି ଏହି ରାସ୍ତା ରାଜଧାନୀବାସୀଙ୍କ ପାଇଁ ଏକ ପ୍ରମୁଖ ଗମନାଗମନର ବାଟ ହୋଇଥିବାରୁ ତୁରନ୍ତ କାମ ସାରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
୨୦୦୯ ମସିହାରେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ ଗଲା ଏବଂ ୨୦୧୨ ମସିହାରେ ଏହି ପ୍ରସ୍ତାବ ଅନୁ ମୋଦନ ଲାଭ କଲା। କିନ୍ତୁ ଟେଣ୍ଡର ହେବାକୁ ଲାଗିଗଲା ଦୀର୍ଘ ବର୍ଷ। ଶେଷକୁ ପ୍ରତୀକ୍ଷାର ଅନ୍ତ ଘଟିଲା ଏବଂ ୨୦୨୦ ମସିହାରେ କାମ ଆରମ୍ଭ କରାଗଲା। କିନ୍ତୁ ମାତ୍ର ୧୪ କିମି ରାସ୍ତା କାମ ୪ ବର୍ଷ ଭିତରେ ସରିପାରିଲା ନାହିଁ। ଏହା ଭିତରେ ୨ଟି ବ୍ରିଜ୍ ନିର୍ମାଣ ସରିଛି। ହରିରାଜପୁର ପଟୁ କାମ ଆରମ୍ଭ ହୋଇଯାଇଛି। ରାସ୍ତା ପ୍ରଶସ୍ତୀକରଣ ସହ ସମାନ୍ତରାଳ ଭାବେ ଡ୍ରେନ୍ କାମ ବି ଚାଲିଛି। ଏହା ଭିତରେ କିନ୍ତୁ ଜମି ଅଧିଗ୍ରହଣ ବାକି ରହିଛି। ପ୍ରଧାନସାହି, ଜାମୁକୋଳି, ନିରଞ୍ଜନପୁର ଆଦି ସ୍ଥାନରେ ଅନେକ ଲୋକଙ୍କ ଘରୋଇ ଜମି ରହିଛି। ଏହାକୁ ଅଧିଗ୍ରହଣ କରାଯାଇନାହିଁ। ଅଧିଗ୍ରହଣ ପାଇଁ ଅଙ୍କକଷା ସରୁନି। ଘରୋଇ ଜମିରେ ଗଢ଼ିଉଠିଛି ବ୍ୟବସାୟିକ ପ୍ରତିଷ୍ଠାନ। ସେସବୁକୁ ହଟାଇବାକୁ ପଡ଼ିବ। ଫଳରେ ଘରୋଇ ଜମି ମାଲିକ ଜମି ଦର ସାଙ୍ଗକୁ ବ୍ୟବସାୟିକ ସଂସ୍ଥା ଛାଡ଼ିବା ବାବଦରେ କ୍ଷତିପୂରଣ ଚାହୁଛନ୍ତି। ଏସବୁର ହିସାବକିତାବ ସରିପାରୁନଥିବା ଜଣାପଡ଼ିଛି। ତେଣୁ ସେଇଠି କାମ ଅଟକିଛି ବୋଲି କୁହାଯାଉଛି। ପୂର୍ବରୁ ଗଛ କଟା ସମସ୍ୟା ପାଇଁ ରାସ୍ତା କାମ ଧିମା ଗତିରେ ଚାଲିଥିଲା। ଏବେ କିନ୍ତୁ ଗଛ କଟା ପାଇଁ ବନ ବିଭାଗରୁ ଅନୁମତି ମିଳିଛି। ତେଣୁ କେବଳ ଜମି ଅଧିଗ୍ରହଣ ସରିବା ପରେ ରାସ୍ତା କାମ ଜୋର୍ଦାର ଚାଲିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର ଉପରେ ନିର୍ଭର କରୁଥିବା ଜଟଣୀ ଓ ପିପିଲି ଲୋକଙ୍କ ପାଇଁ ଏହି ରାସ୍ତା ବହୁ ଜରୁରୀ। ସେହିଭଳି ଜଟଣୀରେ ଗଢ଼ିଉଠିଥିବା ନାଇଜର୍, ଆଇଆଇଟି, ଫାଟୁଆ ଗବେଷଣା କେନ୍ଦ୍ର ଭଳି ପ୍ରତିଷ୍ଠାନ ଓ ଜାଭିୟର୍ ବିଶ୍ବବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପାଇଁ ରାଜଧାନୀବାସୀ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏହାବାଦ ଏବେ କୁହା, ବୋତଣ୍ଡା, ପ୍ରଧାନସାହି, ବୀରବନ୍ଧ, ଜାମୁକୋଳି ଆଦି ଅଞ୍ଚଳରେ ଶହଶହ ଆପାର୍ଟମେଣ୍ଟ ଗଢ଼ିଉଠିଲାଣି। ସେସବୁ ଅଞ୍ଚଳରେ ହଜାର ହଜାର ଲୋକ ବସବାସ କଲେଣି। ସେମାନେ ରାତିରେ ଯାତାୟାତ କଲା ବେଳେ ସମସ୍ୟାରେ ପଡ଼ୁଛନ୍ତି। ବର୍ତ୍ତମାନର ଅଣଓସାରିଆ ରାସ୍ତାରେ ଟ୍ରାଫିକ୍ ଜାମ୍ ଓ ଛୋଟମୋଟ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି। ବଡ଼ କଥା ହେଉଛି, ଅଣଓସାରିଆ ରାସ୍ତାରେ ଟ୍ରାଫିକ୍ ଜାମ୍କୁ ମଉକା ଭାବେ ନେଇ ଅସାମାଜିକତତ୍ତ୍ବମାନେ ଆପାର୍ଟମେଣ୍ଟବାସୀଙ୍କୁ ହଇରାଣ କରୁଛନ୍ତି। ସେହିଭଳି ରାସ୍ତାରେ ଷ୍ଟ୍ରିଟ୍ଲାଇଟ୍ ନଥିବାରୁ ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ବି ଆତଙ୍କ ଖେଳାଉଛନ୍ତି। ଏଥିସହିତ ରାତିରେ ବୁଲାଗୋରୁମାନେ ରାସ୍ତାକୁ କବ୍ଜା କରି ରଖୁଛନ୍ତି। ତେଣୁ ରାସ୍ତା ନବୀକରଣ କାମ ନ ସରିବା ପର୍ଯ୍ୟନ୍ତ ଲୋକେ କଲବଲ ହେବା ନିଶ୍ଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ZhzkXPfs3PySWtH9y0IO.jpg)