ଜବରଦଖଲରେ କପିଳପ୍ରସାଦ ହାଇସ୍କୁଲ୍‌ ଜମି: ଶିକ୍ଷାଧିକାରୀଙ୍କ ଚିଠିକୁ ରାଜସ୍ବ ବିଭାଗର ଅପେକ୍ଷା

ପୁରୁଣା ଭୁବନେଶ୍ବର: କପିଳପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟର ଜମିକୁ ଚାରି ପଟୁ ଜବରଦଖଲକାରୀମାନେ କବ୍‌ଜା କରିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟର ୧ଏକର ୪ଶହ ଡିସିମିଲି ଜମି ଜବରଦଖଲ ହୋଇରହିଛି। ଏବେ ବି କିଛି କିଛି ଜବରଦଖଲକାରୀ ସେମାନେ କବ୍‌ଜା କରିଥିବା ଅଂଶକୁ ବଢ଼ାଇବାରେ ଲାଗିଛନ୍ତି। ତେଣୁ ବେଳ ହୁଁ ପଦ‌କ୍ଷେପ ଗ୍ରହଣ କରାନଗଲେ, ଜବରଦଖଲକାରୀମାନେ ବିଦ୍ୟାଳୟର ଆହୁରି ଅଧିକ ଜମି ମାଡ଼ି ବସିବେ ବୋଲି ଜଳଜଳ ହୋଇ ଦେଖାଯାଉଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦ‌କ୍ଷେପ ନିଆଯାଉନାହିଁ ବୋଲି ପୁରାତନ ଛାତ୍ର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଲୁମିନି ଆସୋସିଏସନ୍‌ର ସଭାପତି ମଦନ କୁମାର ସାହୁଙ୍କ ଅଭି‌ଯୋଗ ଅନୁସାରେ କପିଳପ୍ରସାଦ, ସୁନ୍ଦରପଦା ଓ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କ ପାଇଁ ନିର୍ମାଣ ହୋଇଥିବା ବିଦ୍ୟାଳୟକୁ ୧୯୭୭ ମସିହାରେ ସାଧାରଣ ପ୍ରଶାସନ ୫ଏକର ୩୦୦ ଡିସିମିଲି ଜମି ଦେଇଥିଲା। କିନ୍ତୁ ଧୀରେଧୀରେ ଜବରଦଖଲକାରୀମାନେ ଘରଦ୍ବାର କରି ବିଦ୍ୟାଳୟ ଜମିକୁ କବ୍‌ଜା କରିବାକୁ ଲାଗିଲେ। ଏବେ ବିଦ୍ୟାଳୟ ଦଖଲରେ ୩ ଏକର ୯ ଶହ ଡିସିମିଲ ଜମି ରହିଛି। ଜବରଦଖଲକାରୀମାନଙ୍କ କବ୍‌ଜାରେ ରହିଛି ୧ଏକର ୪ ଶହ ଡିସିମିଲି ଜମି। ସ୍କୁଲର ଚାରି ପଟୁ ଜବରଦଖଲ ହୋଇଛି। ଶ୍ରେଣୀଗୃହ ଓ କାର୍ଯ୍ୟାଳୟ ପାଇଁ କୋଠାଘରକୁ ବାଦ୍‌ ଦେଲେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳପଡ଼ିଆ ପର୍ଯ୍ୟାପ୍ତ ହେଉନାହିଁ। ଅଥଚ ଜବରଦଖଲକାରୀମାନଙ୍କ କବଳରୁ ବିଦ୍ୟାଳୟ ଜମିକୁ ମୁକୁଳାଇ ହେଉନାହିଁ। ଦିନକୁ ଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଏହି ଜବରଦଖଲ ଆଗକୁ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିବ ବୋଲି ପୁରାତନ ଛାତ୍ର ସଂଘ ଅଭିଯୋଗ କରିଛି।

ସ୍କୁଲ ଜମି ଜବରଦଖଲ ସମ୍ପର୍କରେ ସ୍ଥାନୀୟ ବିଧାୟକ, ସାଂସଦ, ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ ଓ ୫-ଟି ସଚିବଙ୍କୁ ଦରଖାସ୍ତ ଦିଆଯାଇଛି ବୋଲି ଆଲୁମିନି ସଭାପତି ଶ୍ରୀ ସାହୁ କହିଛନ୍ତି। ଯଦି ବିଦ୍ୟାଳୟ ଜମିକୁ ଜବରଦଖଲମୁକ୍ତ କରାନଯାଏ, ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଅଧିବାସୀ ଅଶୋକ ଦାଶ କୁହନ୍ତି ଯେ ଏହି ବିଦ୍ୟାଳୟ ଜମି ଜବରଦଖଲ ସମ୍ପର୍କରେ ବିଭିନ୍ନ ସରକାରୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଅବଗତ କରାଇଛୁ। ଅଥଚ କେହି ପଦକ୍ଷେପ ନେଇନାହାନ୍ତି। ସବୁ ଲିଖିତ ଅଭିଯୋଗ ସରକାରୀ କାର୍ଯ୍ୟାଳୟର ଫାଇଲ୍‌ ତଳେ ଚାପି ହୋଇ ପଡ଼ିଛି। ଏମିତିକି ତହସିଲଦାର ପ୍ରାଥମିକ ତଦନ୍ତ କରିବା ବଦଳରେ ବିଇଓ ଓ ଡିଇଓଙ୍କ ଲିଖିତ ଅଭିଯୋଗକୁ ଅପେକ୍ଷା କରି ଚୁପ୍‌ ବସିଛନ୍ତି ବୋଲି ଶ୍ରୀ ଦାଶ କ୍ଷୋଭର ସହ କହିଛନ୍ତି। ଏନେଇ ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ବ୍ଲକ ଶିକ୍ଷା ଅଧିକାରୀ ଲିଖିତ ଭାବେ ଜଣାଇଲେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର