ପରିତ୍ୟକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଷ୍ଟାଫ କ୍ବାର୍ଟର୍ସ, ପାଲଟିଲାଣି ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ପାଇଁ ସରକାରୀ କ୍ବାର୍ଟର୍ସକୁ ଖାଲି କରାଗଲା। ଗୋଟିଏ ପଟେ ପାଠ୍ୟକ୍ରମକୁ ନେଇ ଛକାପଞ୍ଝା ଚାଲିଥିବା ‌ବେଳେ ଖାଲି ହୋଇଥିବା ସରକାରୀ ଘରଗୁଡ଼ିକ ଏବେ ଭୂତକୋଠିରେ ପରିଣତ ହୋଇଗଲାଣି। ଖାଲି ପଡ଼ିବାର ସୁଯୋଗ ନେଇ କିଛି ଲୋକ ଏହି ଘରକୁ ଗୋଦାମ ଭାବେ ବ୍ୟବହାର କରୁଥିବା ବେଳେ ଆଉ କିଛି ଘର ଶ୍ରମିକ ମାଡ଼ି ବସି ରହିଲେଣି। ଏପରି ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଏହି କ୍ବାର୍ଟର୍ସ ସରକାରଙ୍କ ସଂପତ୍ତି ବୋଲି ବୋର୍ଡ ଲଗାଇବାକୁ ବାଧ୍ୟ ହୋଇଛନ୍ତି।

୨୦୧୨ ମସିହାରେ କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଭେଷଜ ଓ ଶଲ୍ୟ ବିଭାଗରେ ପିଜି ପାଠ୍ୟକ୍ରମ ସହିତ ଡିପ୍ଲୋମା ପାଠ୍ୟକ୍ରମ ଖୋଲିବା ପାଇଁ ମଧ୍ୟ ଯୋଜନା ହୋଇଥିଲା। ଏଥିପାଇଁ ୧୭୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ନୂତନ କୋଠା ନିର୍ମାଣ ପାଇଁ ଆବଶ୍ୟକ ସ୍ଥାନରେ ଥିବା କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପୂର୍ତ୍ତ ବିଭାଗ ମଧ୍ୟ ପ୍ରସ୍ତାବିତ ପିଜି ପାଠ୍ୟକ୍ରମ ପାଇଁ କୋଠାର ନକ୍ସା ପ୍ରସ୍ତୁତ କରିଥିଲା। ହେଲେ ପିଜି ପାଠ୍ୟକ୍ରମ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ତଥାପି ଏଥିପାଇଁ କ୍ବାର୍ଟର୍ସଗୁଡ଼ିକୁ ଖାଲି କରି ଦିଆଯାଇଥିଲା। ଖାଲି କ୍ବାର୍ଟର୍ସର କୌଣସି ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଏହା ଉପରେ ନଜର ପଡ଼ିଛି।

ଅପରପକ୍ଷରେ ଖାଲି ହୋଇଥିବା କିଛି ଘରକୁ ପୂର୍ବରୁ ଅସୁକ୍ଷିତ ବୋଲି ଘୋଷଣା କରାଯାଇଥିଲା। ତହିଁରୁ ୨ଟି ଘରେ ହସ୍ପିଟାଲର କର୍ମଚାରୀ ରହୁଥିବା ନଜରକୁ ଆସିଛି। ଅସୁରକ୍ଷିତ ଘୋଷଣା ହୋଇଥିବା ଏହି ଘରେ ବିଦ୍ୟୁତ୍ ଓ ପାଣି ସଂଯୋଗ ମଧ୍ୟ ଦିଆଯାଇଛି। ଏଭଳି ପରିସ୍ଥିତିରେ କାହା ଅନୁମତିରେ ଏହି ଘରକୁ ବ୍ୟବହାର କରିବା ପାଇଁ ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ପାଇଁ ୭ବର୍ଷ ତଳୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବାରମ୍ବାର ବୈଠକ ବସୁଛି। ମାତ୍ର କିଛି ସୁଫଳ ମିଳୁ ନାହିଁ। କେଉଁଠାରେ ସମସ୍ୟା ରହିଛି ତାହା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସ୍ପଷ୍ଟ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର