କର କ୍ଲିନିକ୍‌ରେ ତୃତୀୟ ଆକ୍ରାନ୍ତ ଚିକିତ୍ସିତ ହେବା ଘଟଣା: ସଂଗରୋଧରେ କ୍ଲିନିକ୍‌ର ୫ ଡାକ୍ତରଙ୍କ ସମେତ ୨୧

ନିୟମିତ ଚାଲିଛି ସଫେଇ: ସିଦ୍ଧାନ୍ତ

ଭୁବନେଶ୍ବର: ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲକୁ ଆସିବା ପୂର୍ବରୁ କର କ୍ଲିନିକ୍‌ରେ ଚିକିତ୍ସିତ ହୋଇଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ କ୍ଲିନିକ୍‌ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କର କ୍ଲିନିକ୍‌ର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାନ୍ତ କରଙ୍କ ସୂଚନା ଅନୁସାରେ, ଗତ ୨୬ ତାରିଖରେ ତୃତୀୟ ଆକ୍ରାନ୍ତ କରୋନା ପଜିଟିଭ୍ ବାହାରିବା ପରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କର କ୍ଲିନିକ୍‌ର ସମସ୍ତ ୨୧ଜଣ କର୍ମଚାରୀ ଏବେ ସଙ୍ଗ‌ରୋଧ‌‌‌ରେ ରହିଛନ୍ତି। ସିଦ୍ଧାନ୍ତଙ୍କ ସମେତ ୫ ଡାକ୍ତର, ନର୍ସ, କରୋନା ଆକ୍ରାନ୍ତଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରିଥିବା ପାଥୋଲାବ୍ କର୍ମଚାରୀ, ସୁଇପର୍ ସମସ୍ତେ ହସ୍ପିଟାଲ ଭିତରେ ପୃଥକ୍‌ କ୍ୟାବିନ୍‌ରେ ସଙ୍ଗରୋଧ‌ରେ ଅଛନ୍ତି।

‌ସେହିପରି ଆକ୍ରାନ୍ତଙ୍କର ଅତି ନିକଟ ସଂସ୍ପର୍ଶରେ ଆସିଥିବା ଡାକ୍ତରଙ୍କ ସମେତ ୬ କର୍ମଚାରୀଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ହସ୍ପିଟାଲ ବେଡ୍ ସମେତ ଅନ୍ୟାନ୍ୟ ସ୍ଥାନକୁ ସୋଡିୟମ୍‌ ହାଇଡ୍ରୋକ୍ଲାରାଇଡ୍‌‌ରେ ସଫେଇ କରାଯାଉଛି। ଏହାସହ ଚଟାଣ ଓ ହସ୍ପିଟାଲ ବାହାରେ ବ୍ଲିଚିଂରେ ସଫା କରାଯାଉଛି। ବାୟୁରେ ଥିବା ଜୀବାଣୁ ଓ ଭୂତାଣୁକୁ ନଷ୍ଟ କରିବା ପାଇଁ ଫ୍ୟୁମିଗେସନ୍ (କେମିକାଲ୍ ସ୍ପ୍ରେ’) କରାଯାଉଛି। କ୍ଲିନିକ୍‌ ତରଫରୁ ନିଆଯାଇଥିବା ବ୍ୟବସ୍ଥାକୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଞ୍ଚ କରିଛନ୍ତି ବୋଲି ଡାକ୍ତର କର କହିଛନ୍ତି।

ସମ୍ବନ୍ଧିତ ଖବର