କାର୍ଗିଲ ବସ୍ତିରେ ଶୁଦ୍ଧ ପାନୀୟ ଜଳ ସ୍ୱପ୍ନ ପାଲଟିଛି : ଲୋକେ ପିଉଛନ୍ତି କୂଅ ପାଣି

ଭୁବନେଶ୍ୱର : କାର୍ଗିଲ ବସ୍ତି ବାସିନ୍ଦାଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଟୋପେ ପାଇବା ସ୍ୱପ୍ନ ପାଲଟିଛି। ପଶୁପକ୍ଷୀଙ୍କ ବ୍ୟବହାର ପାଇଁ ମଧ୍ୟ ଅନୁପଯୋଗୀ ଜଳକୁ ମଧ୍ୟ ଅନେକ ସମୟରେ ଏହି ବସ୍ତିବାସିନ୍ଦା ବ୍ୟବହାର କରିବାକୁ ଏକରକମର ବାଧ୍ୟ ହେଉଥିବା ଦେଖାଯାଇଛି। କାର୍ଗିଲ ବସ୍ତିର ତାରିଣୀ ସାହି, ତ୍ରିନାଥ ସାହି, ମଙ୍ଗଳା ସାହି, ମଦନମୋହନ ସାହି ଆଦିର ବାସିନ୍ଦା ଦୀର୍ଘଦିନ ହେଲାଣି କୂଅ ପାଣି ବ୍ୟବହାର କରୁଛନ୍ତି। ଅନେକ ସମୟରେ ଏଠାକାର ଲୋକ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବିଗତ କିଛି ବର୍ଷ ଧରି ଏହି ବସ୍ତିରେ ନିୟମିତ ଭାବେ ଜଣ୍ଡିସ୍‌ ବ୍ୟାପୁଥିବା ଦେଖା ଯାଉଥିଲେ ମଧ୍ୟ, ଏହାର ପ୍ରତିକାର ନେଇ ବିଏମ୍‌ସି କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ କେହି ତତ୍ପରତା ପ୍ରକାଶ କରୁନାହାନ୍ତି।

କାର୍ଗିଲ ବସ୍ତି ଅଞ୍ଚଳରେ ପ୍ରାୟ ୧୫ଟି ନଳକୂପ ବସ୍ତି ଆରମ୍ଭ ସମୟରେ ବସିଥିଲା। ବର୍ତମାନ ଏଥିରୁ ଅଧିକାଂଶ ନଷ୍ଟ ହୋଇଗଲାଣି। ଯେଉଁ କେତୋଟି ଅଛି ସେଥିରୁ ଜଙ୍କ୍‌ ମିଶା ପାଣି ବାହାରୁଥିବା ଶାନ୍ତିଲତା ପ୍ରଧାନ, ପ୍ରସନ୍ନ କୁମାର ହୋତା, ବିନୋଦ ତ୍ରିପାଠୀ ପ୍ରମୁଖ କହିଛନ୍ତି। କିନ୍ତୁ ଏହି ନଳକୂପରେ ମଟର ଲଗାଇ ସେଥିରୁ ଜନସ୍ୱାସ୍ଥ୍ୟ ବିଭାଗ ପାଣି ଯୋଗାଉଥିବା ବସ୍ତିବାସିନ୍ଦା କହିଛନ୍ତି।

ନାମକୁମାତ୍ର ଜନସ୍ୱାସ୍ଥା ବିଭାଗ ନିଜର ଦୋଷ ଛଡ଼ାଇବା ପାଇଁ ବସ୍ତିର ମୁଖ୍ୟ ରାସ୍ତାକଡ଼ରେ କେତୋଟି ପାଣ ଟାଙ୍କି ବସାଇଛି। ଲିଙ୍ଗରାଜ ବିହାର ମୁଖ୍ୟ ପାଣି ଟାଙ୍କିରୁ ଏଠାକୁ ପାଣି ଯୋଗାଣ ହୋଇଥାଏ । ଏହା ପୁଣି ମନମୁଖୀ ଭାବେ ଚାଲିଛି। ଲିଙ୍ଗରାଜ ବିହାରକୁ ପାଣି ଯୋଗାଣ ପରେ ଯାାହା କିଛି ବଳେ ତାହା କାର୍ଗିଲ ବସ୍ତିକୁ ଯୋଗାଣ ହୋଇଥାଏ ବୋଲି ବସ୍ତି ଉନ୍ନୟନ କମିଟିର ସଦସ୍ୟଗଣ କହିଛନ୍ତି। ବସ୍ତିରେ ଏକ ହଜାରରୁ ଅଧିକ ପରିବାର ହୋଇଥିବାରୁ ଏହା ସମୁଦ୍ରକୁ ଶଙ୍ଖେ ବୋଲି ବିଷ୍ଣୁପ୍ରିୟା ବେହେରା, କେଶବଚନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି।

ବସ୍ତି ମଧ୍ୟରେ ଥିବା ଏକ ଅତ୍ୟନ୍ତ ଦୂଷିତ ପୋଖରୀର ଜଳକୁ ବାସନ ମାଜିବା କାମରେ ବ୍ୟବହାର କରୁଥିବା ମହିଳାମାନେ କହିଛନ୍ତି। ବସ୍ତି ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିଲାବେଳେ ମେୟର, ବିଧାୟକ, ସାଂସଦଙ୍କର କେବଳ ଏଠାକୁ ସୁଅ ଛୁଟେ। ଗଦାଗଦା ପ୍ରତିଶ୍ରୁତି ମିଳେ। କିନ୍ତୁ କିଛି ଦିନ ପରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ହୋଇଯାଏ ବୋଲି ବସ୍ତିବାସିନ୍ଦା କହିଛନ୍ତି। ଏନେଇ ସହାୟକ ଯନ୍ତ୍ରୀ ନୃସିଂହ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍ଗିଲ ବସ୍ତିରେ ଜଳ ସମସ୍ୟା ନେଇ ଆମେ ଅବଗତ ଅଛୁ। ଅମୃତ ଯୋଜନାରେ କାର୍ଗିଲ ବସ୍ତି ଅଞ୍ଚଳରେ ତିନିଲକ୍ଷ ଲିଟର ବିଶିଷ୍ଟ ଭୂତଳ ଜଳ ଭଣ୍ଡାର ନିର୍ମାଣ କରାଯିବ। ଏଥିନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି। ଖରାଦିନ ପୂର୍ବରୁ ଏହି କାମ ଶେଷ କରିବାର ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର