୯୦ ଦଶକରେ ଛାଇଯାଇଥିଲା ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟର ଯାଦୁ। ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇ ହୋଇ ଯାଇଥିଲେ ଶ୍ରେଷ୍ଠ ନାୟିକା ଓ ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ। ମାତ୍ର ୧୭ ବର୍ଷ ବୟସରୁ ଅଭିନୟକୁ ଓହ୍ଲାଇଥିବା ଏହି ଅଭିନେତ୍ରୀଙ୍କ ପାଇଁ କିନ୍ତୁ ବଲିଉଡ୍ ଯାତ୍ରା ଏତେ ସହଜ ନଥିଲା। କପୁର ବଂଶର କନ୍ୟା ହୋଇ ସୁଦ୍ଧା ନିଜକୁ ପ୍ରମାଣ କରିବାକୁ ସେ ବହୁ ସଂଘର୍ଷ କରିଥିଲେ। ଶେଷରେ ହୋଇଯାଇଥିଲେ ୯୦ ଦଶକର ରାଣୀ। ଅଧିକାଂଶ ମହିଳା କୈନ୍ଦ୍ରୀୟ ଚଳଚ୍ଚିତ୍ରରେ ଅଭିନୟ କରି ସେ ବଲିଉଡ୍ରେ ନୂଆ ଧାରା ସୃଷ୍ଟି କରିଥିବା କରିସ୍ମା କପୁର ଅନେକ ଥର ବଲିଉଡ୍ରେ ଶ୍ରେଷ୍ଠ ଅଭିନେତ୍ରୀର ଆଖ୍ୟା ପାଇଥିଲେ। ଶନିବାର ‘ମାନ୍ୟବର’ର ନୂତନ ସୋ’ରୁମ୍ ଉଦ୍ଘାଟନ ପାଇଁ ଭୁବନେଶ୍ୱର ଆସିଥିବା ଅବସରରେ କରିସ୍ମାଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।
୯୦ ଦଶକର ଧକ୍ଧକ୍ ଗର୍ଲଙ୍କୁ ପୁଣି ପରଦାରେ କେବେ ଦେଖିବାକୁ ମିଳିବେ?
ମୁଁ ମୋ ଜୀବନରେ ଯୋଜନା କରି କିଛି ବି କରେ ନାହିଁ। ଜଣାନାହିଁ ଆଗକୁ ମୁଁ ଚଳଚ୍ଚିତ୍ର କରିବି କି ନାହିଁ। ସମୟ ହିଁ ଏହାର ଉତ୍ତର ମୋ ପ୍ରଶଂସକଙ୍କୁ ଦେବ। ବର୍ତ୍ତମାନ ମୁଁ ମୋ ପରିବାର ଓ ପିଲାମାନଙ୍କ ଉପରେ ଅଧିକ ଧ୍ୟାନ ଦେଉଛି। ସେମାନେ ବଡ଼ ହେବା ପରେ ହୁଏତ’ ଫେରିପାରେ।
ଏତେ ବର୍ଷ ଧରି ବଲିଉଡ୍ ଜଗତରେ କାମ କରିଛନ୍ତି, ଆପଣଙ୍କ ମନ ପସନ୍ଦର ସହ କଳାକାର କିଏ?
୨୫ ବର୍ଷ ଧରି ମୁଁ ବଲିଉଡ୍ରେ ରହି ଆସିଛି। ମୋର ସମସ୍ତ ସହ-କଳାକାର ମୋର ଅତି ଘନିଷ୍ଠ। ସେମାନେ ସମସ୍ତେ କରିନା ସହ ବି କାମ କରିଛନ୍ତି। ମୋ ପାଇଁ ବଲିଉଡ୍ ହେଉଛି ଏକ ପରିବାର ଭଳି। ଏହା ଆମ ପାଇଁ ଏକ ସୁଖୀ ପରିବାର।
ଆଜିର ଯୁବପିଢ଼ି ଯେଉଁମାନେ ବଲିଉଡ୍କୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ କ’ଣ ଟିପ୍ସ ଦେବେ?
ନିହାତି ଭାବେ ବଲିଉଡ୍କୁ ପ୍ରବେଶ କରିବାକୁ ହେଲେ ପ୍ରତିଭା ଅତି ଜରୁରି। ତା’ ସହ କଠିନ ପରିଶ୍ରମ ଓ ଫୋକସ୍ ନିହାତି ଆବଶ୍ୟକ। ଏହି ଦୁଇ ଜିନିଷ ପାଖରେ ଥିଲେ ସେ ଅଭିନୟ ହେଉ କିମ୍ବା ଅନ୍ୟ କିଛି, ସଫଳତା ନିଶ୍ଚୟ ପାଦ ଛୁଇଁବ।
ଆପଣ ସବୁବେଳେ ମହିଳା ଓ ଶିଶୁମାନଙ୍କ ପାଇଁ କାମ କରି ଆସୁଛନ୍ତି, ଏହାକୁ ନେଇ ଆଗକୁ କ’ଣ ସବୁ ଯୋଜନା ରହିଛି?
ମହିଳା ଓ ଶିଶୁର ବିକାଶ ହେଲେ ଦେଶର ଉନ୍ନତି ହୋଇ ପାରିବ। ମୁଁ ଏକ ପରିବାରରୁ ଆସିଛି ଯେଉଁଥିରେ ଆମେ ଦୁଇ ଭଉଣୀ। ଆମକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଓ ସ୍ୱାଧୀନତା ମିଳିଛି। ଫଳରେ ଆମେ ନିଜକୁ ଗଢ଼ିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛୁ। ସେହିଭଳି ଆମ ଭଳି ଜଣାଶୁଣା ଚେହେରା ଯଦି ଅବହେଳିତମାନଙ୍କ ସେବାରେ ଆଗେଇ ଆସିବେ ସମାଜର ଆଉ ଏକ ସ୍ତର ପ୍ରେରଣା ଓ ପ୍ରୋତ୍ସାହନ ପାଇ ଏ ଦିଗରେ ଆଗେଇ ଆସିବେ।
ଓଡ଼ିଶା ବିଷୟରେ କ’ଣ କହିବେ?
ଆଜି ମୁଁ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛି। ପ୍ରଥମ ଥର ମୁଁ ବୁଲି ପାରି ନଥିଲି। ଏଥର ବୁଲିବି ନିଶ୍ଚୟ। ଓଡ଼ିଶା ବହୁତ ଭଲ ରାଜ୍ୟ ଓ ଏଠାକାର ଲୋକମାନେ ମତେ ବହୁ ଭଲ ଲାଗନ୍ତି। ଏଠାରେ ମୋର ପ୍ରଶଂସକ ଏତେ ଥିବା ଦେଖି ଖୁସି ଲାଗୁଛି। ଏହା ମୋ ପ୍ରଶଂସକଙ୍କ ହିଁ ଭଲ ପାଇବା ଯାହାକି ମତେ ଦ୍ୱିତୀୟ ଥର ପାଇଁ ଏଠାକୁ ଟାଣି ଆଣିଛି।
ଓଡ଼ିଆ ଚଳଚ୍ଚିତ୍ରର ଅଫର୍ ମିଳିଲେ ଆପଣ କରିବାକୁ ଚାହିଁବେ?
ହିଁ, ନିଶ୍ଚୟ କରିବି।
ଆପଣ ୯୦ ଦଶକରେ ବଲିଉଡ୍ରେ ରାଜ୍ କରୁଥିଲେ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିକୁ ଆପଣ କେମିତି ଦେଖନ୍ତି?
ପ୍ରତି ଯୁଗର ଅଲଗା କାହାଣୀ। ମୁଁ ମୋ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଉଛି ଯେ, ୯୦ ଦଶକ ଭଳି ଏବେ ବି ମତେ ସେମାନେ ବହୁତ ଭଲପା’ନ୍ତି। ଯେଉଁଠି ଦେଖନ୍ତି କେବେ ବଲିଉଡ୍କୁ ଫେରୁଛନ୍ତି ବୋଲି ପ୍ରଶ୍ନ କରନ୍ତି। ସେଇ ଭଲପାଇବା ଓ ସମର୍ପଣ ମୋ ପାଇଁ ଶ୍ରେଷ୍ଠ ଉପହାର।