ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାହାତ୍ମ୍ୟର କାହାଣୀ ଯେତିକି ହୃଦୟସ୍ପର୍ଶୀ, ଶ୍ରୀଲିଙ୍ଗରାଜ ମନ୍ଦିରର ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟ ସେତିକି ଆକର୍ଷଣୀୟ। ମନ୍ଦିର ବେଢ଼ାରେ ଥିବା ମୁଖ୍ୟ ମନ୍ଦିର ବ୍ୟତୀତ ଏଠାରେ ଶତାଧିକ ଅନ୍ୟାନ୍ୟ ମନ୍ଦିର ମଧ୍ୟ ରହିଛି। ଏହି ମନ୍ଦିରକୁ ଆଖି ପୂରାଇ ଦେଖିବା ଓ ଏହା ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ବହୁ ପାଶ୍ଚାତ୍ୟ ପ୍ରଶାସକ ତଥା ପ୍ରତ୍ନତତ୍ତ୍ବବିତ୍ ସର୍ବଦା ଉଦ୍ୟମରତ। ବ୍ରିଟିସ୍‌ ଶାସନ କାଳରେ ଏଠାକୁ ଆକର୍ଷିତ ହୋଇ ଆସିଛନ୍ତି ବହୁ ପାଶ୍ଚାତ୍ୟ ପ୍ରଶାସକ ତଥା ପ୍ରତ୍ନତତ୍ତ୍ବବିତ୍। ଏହି ଆକର୍ଷଣରେ ବ୍ରିଟିସ୍‌ ଇଣ୍ଡିଆର ବଡଲାଟ୍‌ ଲଡ୍ କର୍ଜନ ଏକଦା ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଓଡ଼ିଶା ଆସିଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିର ଭିତରକୁ ଅଣହିନ୍ଦୁମାନଙ୍କ ପ୍ରବେଶାଧିକାର ନଥିବାରୁ ଲର୍ଡ କର୍ଜନଙ୍କ ପାଇଁ ମନ୍ଦିରର ଉତ୍ତର ପାର୍ଶ୍ବ ପ୍ରବେଶଦ୍ବାର ନିକଟରେ ଏକ ଟାୱାର୍‌ ନିର୍ମାଣ କରାଗଲା। ଏହି ଟାୱାର୍‌ରେ ଠିଆ ହୋଇ ଲର୍ଡ କର୍ଜନ ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣଶୈଳୀ ଦେଖିଥିଲେ। ସେବେଠାରୁ ଏହି ଟାୱାର୍‌କୁ ‘କର୍ଜନ ମଣ୍ଡପ’ କୁହାଯାଉଛି। ଅଣହିନ୍ଦୁମାନେ ମନ୍ଦିର ଦର୍ଶନ କରିବା ପାଇଁ ସେବେଠାରୁ ଏହି ଟାୱାର୍‌କୁ ବ୍ୟବହାର କରନ୍ତି।

Advertisment

publive-image

ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ ତାଙ୍କ ପୁସ୍ତକ ‘ପଞ୍ଚସ୍ତରୀ ବର୍ଷର ରାଜଧାନୀ’ରେ ଲେଖିଛନ୍ତି, ବଙ୍ଗ ପ୍ରଦେଶର ଗଭର୍ଣ୍ଣର ସାର୍ ଜନ୍ ଉଡ୍‌ବର୍ଣ୍ଣ ମଧ୍ୟ ଲିଙ୍ଗରାଜ ମନ୍ଦିରର ଅପରୂପ କାରୁକାର୍ଯ୍ୟକୁ ନେଇ ଅଭିଭୂତ ଥିଲେ। ଭୁବନେଶ୍ୱରର ଅନ୍ୟାନ୍ୟ କୀର୍ତ୍ତି ସମେତ ଶ୍ରୀଲିଙ୍ଗରାଜ ମନ୍ଦିରର ଭଗ୍ନାମୁଖୀ ସ୍ଥାପତ୍ୟର ସଂଦର୍ଶନ, ନିରୀକ୍ଷଣ ତଥା ପ୍ରସ୍ତାବିତ ସଂରକ୍ଷଣ ପାଇଁ ଭାରତର ବଡଲାଟ୍ ଲର୍ଡ କର୍ଜନ୍‌ଙ୍କୁ ଦିନେ ଉଡ୍‌ବର୍ଣ୍ଣ ଆମନ୍ତ୍ରଣ କରିଥାଆନ୍ତି। ସେହି ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରଚେଷ୍ଟା ମଧ୍ୟ ଗତିଶୀଳ ଥାଏ। ୧୮୯୭ର ବିଲାତ ଯାତ୍ରା କାଳରେ ମଧୁସୂଦନ ଦାସ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ରୂପେ ସ୍ୱୀକୃତି ପ୍ରଦାନ କରିବା ପାଇଁ ନ୍ୟାଯ୍ୟ ଦାବି ସମ୍ବଳିତ ସ୍ମାରକପତ୍ର ଉପସ୍ଥାପିତ କରିଥିଲେ। ତା’ର ତିନି ବର୍ଷ ପରେ ୧୯୦୦ରେ ସିମ୍‌ଲାଠାରେ ବଡଲାଟ ଲର୍ଡ କର୍ଜନ୍‌ଙ୍କୁ ଭେଟି ସେ ଓଡ଼ିଶାର ରାଜ୍ୟ ଗଠନ ସମସ୍ୟା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏ ବିଷୟରେ ଅନୁଧ୍ୟାନ କରିବା ପାଇଁ, ଓଡ଼ିଶା ଆସିବାକୁ ଲର୍ଡ କର୍ଜନ ତାଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

publive-image

ସେହି ବର୍ଷ ଡିସେମ୍ବରରେ ବଡଲାଟ୍‌ କର୍ଜନ୍ ପୁରୀ ସମୁଦ୍ର କୂଳ ଦେଇ ଓଡ଼ିଶା ମାଟିରେ ପାଦ ରଖିଥିଲେ। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥିତି ନିରୀକ୍ଷଣ କରିବା ପରେ ସେ ଭୁବନେଶ୍ୱରରେ ପହିଞ୍ଚିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ। ଭାରତର ବଡଲାଟ ହୋଇଥିଲେ ମଧ୍ୟ, ଜଣେ ଅଣହିନ୍ଦୁ ଭାବେ ପ୍ରବେଶାଧିକାର ନ ଥିବାରୁ, ସେବାୟତମାନେ ତାଙ୍କ ମନ୍ଦିର ପ୍ରବେଶ ପାଇଁ ବାରଣ କଲେ। ବଡଲାଟ୍‌ଙ୍କ ମନ୍ଦିର ଦର୍ଶନ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ଉଡ୍‌ବର୍ଣ୍ଣ ସାହେବ୍ ହିନ୍ଦୁ ପଣ୍ଡିତମାନଙ୍କ ସହ ବିଚାରବିମର୍ଶ କଲେ। ଶେଷରେ ସ୍ଥିର ହେଲା, ମନ୍ଦିରର ଉତ୍ତର ପାର୍ଶ୍ବ ପ୍ରବେଶ ଦ୍ୱାର ନିକଟରେ ଏକ ଟାୱାର୍ ନିର୍ମାଣ କରାଯିବ ଏବଂ ସେଠାରୁ ଲର୍ଡ କର୍ଜନ ମନ୍ଦିର ଶିଳାକୃତି ଦେଖିବେ। ସ୍ୱଳ୍ପ ସମୟରେ ନିର୍ମିତ ମନ୍ଦିର ବାହାରର ସେହି ଉଚ୍ଚ ମଣ୍ଡପରେ ୧୯୦୦ ମସିହା ଡିସେମ୍ବର ମାସରେ ଠିଆ ହୋଇ ଭାରତ ପ୍ରଶାସନର ସେହି ଶୀର୍ଷ ପଦାଧିକାରୀ ମନ୍ଦିର ପରିସରର କଳା ଭାସ୍କର୍ଯ୍ୟ ବିମଣ୍ଡିତ କୀର୍ତ୍ତିରାଜି ଦେଖି ଅଭିଭୂତ ହୋଇ ପଡ଼ିଥିଲେ। ସେ ଦିନ ତାଙ୍କୁ ମନ୍ଦିରର ଭାସ୍କର୍ଯ୍ୟ ତଥା କଳାକୃତି ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ ଖ୍ରୀଷ୍ଟିଆନ୍ ଧର୍ମକୁ ଆପଣେଇ ନେଇଥିବା ‘ମଧୁ ବାବୁ’। ସେହିଦିନଠାରୁ ମଣ୍ଡପଟି ‘କର୍ଜନ୍ ମଣ୍ଡପ’ ନାମରେ ପରିଚିତ ହେବାକୁ ଲାଗିଲା। ସୂଚନାଯୋଗ୍ୟ ଯେ, ଏହି ମନ୍ଦିର ଦର୍ଶନ ପରେ ବଡଲାଟ୍ କର୍ଜନ ଭାରତରେ ‘ପ୍ରାଚୀନ କୀର୍ତ୍ତି ସଂରକ୍ଷଣ ଆଇନ୍’ ପ୍ରଚଳନ କରାଇଥିଲେ।

ବର୍ତ୍ତମାନ ଏହି ମଣ୍ଡପଟି ଅଣହିନ୍ଦୁ ପର୍ଯ୍ୟଟକମାନଙ୍କ ମନ୍ଦିର ଦର୍ଶନ ତଥା ସବୁ ବର୍ଗର ପର୍ଯ୍ୟଟକମାନଙ୍କ ଫଟୋ ଉଠାଇବା ପଏଣ୍ଟ୍‌ ରୂପେ ବ୍ୟବହୃତ ହେଉଛି। ଏହା ଏବେ ରିଲ୍‌ସ୍‌ ଭିଡିଓ ସୁଟିଂ ପାଇଁ ରାଜଧାନୀ ଯୁବପିଢ଼ିଙ୍କ ପ୍ରିୟ ସ୍ଥାନ ମଧ୍ୟ ପାଲଟିଛି। ଏହି ବ୍ରିଟିସ୍‌ ବେଳର ସ୍ମାରକୀ ସମ୍ବନ୍ଧରେ ଭୁବନେଶ୍ୱରବାସୀ ପ୍ରାୟ ଅବଗତ ନୁହନ୍ତି।

ଉପସ୍ଥାପନା: ସସ୍ମିତା ସାହୁ
ଫଟୋ: ଅସିତ ଶତପଥୀ