ଭୁବନେଶ୍ୱର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘କର୍ମ’ର କ୍ରେଜ୍ ଏବେ ସାରା ଦେଶରେ ଜାରି ରହିଛି। ଓଡ଼ିଶା ସମେତ ଦେଶର ଅନେକ ସହରରେ ଫିଲ୍ମଟି ସଫଳତାର ସହ ଆଗେଇ ଚାଲିଛି। ବଡ଼କଥା ହେଲା, ରିଲିଜ୍ ଦିନରୁ ଆଜି ପର୍ଯ୍ୟନ୍ତ ‘କର୍ମ’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଚାଲିଛି। ଏସବୁ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଧାରଣାକୁ ବଦଳାଇବାରେ ସାହାଯ୍ୟ କରୁଛି କହିଲେ ଭୁଲ୍ ହେବନାହିଁ।
ଦୁଇ ସପ୍ତାହରେ ୫କୋଟି ୧୯ ଲକ୍ଷ ରୋଜଗାର
ଏବେ ବି ରାଜଧାନୀରେ ପ୍ରତିଦିନ ୫୦ ସୋ’
ସାରା ଦେଶରେ ହଲ୍ରେ ଭିଡ଼
୨ ସପ୍ତାହ ତଳେ ‘କର୍ମ’ ରିଲିଜ୍ ହୋଇଥିଲା। ପ୍ରଥମ ଦିନ ୩୭ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରି ଏହା ରେକର୍ଡ ସୃଷ୍ଟି କରିଥିଲା। ଚାହୁଁଚାହୁଁ ୫ ଦିନରେ ୨କୋଟି.୨୧ ଲକ୍ଷ, ସପ୍ତାହରେ ୩ କୋଟି ଏବଂ ଏବେ ୨ ସପ୍ତାହରେ ୫ କୋଟି ୧୯ ଲକ୍ଷ ଟଙ୍କା ବକ୍ସ ଅଫିସ୍ କଲେକ୍ସନ କରିଛି ‘କର୍ମ’। ଓଡ଼ିଆ ସିନେମା ଜଗତ ପାଇଁ ଏହା ବଡ଼ ଖୁସିର କଥା। ଗତ ଶନିବାର ଦିନ ୧୨ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଥିବା ବେଳେ ରବିବାରରେ ୫୯ ଲକ୍ଷରୁ ଅଧିକ ଟଙ୍କାର ଟିକେଟ୍ ବିକ୍ରି ହୋଇଥିଲା। କେବଳ ଏତିକି ନୁହେଁ, ଅଧିକାଂଶ ଓଡ଼ିଆ ଫିଲ୍ମ ଅଳ୍ପକିଛି ସୋ’ ପରେ ହଲ୍ରୁ ଉଠି ଯାଉଥିବା ବେଳେ ‘କର୍ମ’ର ହଲ୍ ସଂଖ୍ୟା ବଢ଼ିଚାଲିଛି। ଏବେ ବି ଭୁବନେଶ୍ବରରେ ଏହାର ୫୦ରୁ ଅଧିକ ସୋ’ ଲାଗିଛି।
କଟକ, ରାଉରକେଲା, ବ୍ରହ୍ମପୁର ସମେତ ସାରା ଓଡ଼ିଶାରେ ୨୦୦ରୁ ଅଧିକ ସୋ’ ପ୍ରତିଦିନ ଚାଲିଛି। ସେହିପରି ସାରାଦେଶରେ ବି ‘କର୍ମ’କୁ ଖୁବ୍ ଆଦର ମିଳୁଛି। ଦିଲ୍ଲୀ, ସୁରଟ, କୋଲକାତା, ଇନ୍ଦୋର, ମୁମ୍ବାଇ, ଚେନ୍ନାଇ, ତ୍ରିପୁରା, ବାଙ୍ଗାଲୁର, କୋଚି, ହାଇଦ୍ରାବାଦ, ଜାମସେଦପୁର, ପୁନେ, ରାୟପୁର ଭଳି ୨୦ରୁ ଅଧିକ ସହରରେ ‘କର୍ମ’ ହାଉସ୍ଫୁଲ୍ ଚାଲିଛି। ଆଗକୁ ପଣ୍ଡିଚେରି, ବିଜୟୱାଡା, କୋଟା, ଗୋଆ ସମେତ ବାକି ରହିଥିବା ସହରମାନଙ୍କରେ ‘କର୍ମ’ର ରିଲିଜ୍ ପାଇଁ ପ୍ରସ୍ତୁତି ଚାଲିଛି।