ବାଲିଅନ୍ତା : ସ୍ଥାନୀୟ ଭିଙ୍ଗାରପୁର ପଞ୍ଚାୟତରେ କୋଭିଡ୍‌ କଟକଣା ମାନୁନାହାନ୍ତି ଅମାନିଆ। ଗାଁ ଭିତରେ ବେଧଡ଼କ ଭାବେ ଚାଲିଛି ଭୋଜିଭାତର ଆସର। ଦିନରାତି ସବୁବେଳେ ଦୋକାନ ବଜାର ଖୋଲା ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଶତାଧିକ ପରିବାର ଘରେ ଦୋକାନ ଖୋଲି ଦିନରାତି କାରବାର ଚଳାଇଛନ୍ତି। ଏହାକୁ ନେଇ ଆଜି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଗାଁର କିଛି ଲୋକଙ୍କ ସୂଚନା ଅନୁଯାୟୀ, ମଝିସାହିରେ ୪୦ଜଣଙ୍କୁ ଥଣ୍ଡା, ଜ୍ବର ଲାଗି ରହିଛି। ତେଣୁ ସେମାନେ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ପଜିଟିଭ ଚିହ୍ନଟ ହେଲେ ସଂଗରୋଧରେ ରହିବା କିମ୍ବା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ଡରରେ ସେମାନେ ନିଜର ପରୀକ୍ଷା କରାଉନାହାନ୍ତି। ଗ୍ରାମର କିଛି ଲୋକ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ସେହିପରି ୩ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତି ଜଳଖିଆ ଦୋକାନ ଚଳାଇଛନ୍ତି। ସକାଳେ ଏବଂ ସଂଧ୍ୟାରେ ଜଳଖିଆ ଖାଇବା ପାଇଁ ତାଙ୍କ ଦୋକାନରେ ନାହିଁ ନଥିବା ଭିଡ଼ ଜମୁଛି। ବ୍ୟବସାୟୀମାନେ ପାର୍ସଲ ଦେବା ପରିବର୍ତ୍ତେ ଖାଇବାକୁ ଦେଉଥିବା ଅଭିଯୋଗ ହେଉଛି। ଏହାକୁ କେନ୍ଦ୍ର କରି ଆଜି ସଂଧ୍ୟାରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ଏ ସଂପର୍କରେ ସରପଞ୍ଚ ଜୟଶ୍ରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ସାହିରେ ୭ଜଣ ପଜିଟିଭ ସଂଗରୋଧରେ ଅଛନ୍ତି। ସେମାନଙ୍କ ସଂଗରୋଧ ଅବଧି ସରି ଆସିଲାଣି। ଅମାନିଆଙ୍କ ସଂପର୍କରେ ସେ ଆଜି ଅବଗତ ହୋଇଛନ୍ତି। ତେଣୁ ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟରେ କୋଭିଡ୍‌ ପରୀକ୍ଷା କରାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ‌ପୂର୍ବାହ୍ନ ୧୦ଟାରୁ କୋଭିଡ୍‌ ପରୀକ୍ଷା ଆରମ୍ଭ ହେବ। ତେଣୁ ପଞ୍ଚାୟତବାସୀ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।