ଲୋକକଳାକୁ କରୋନା ମାଡ଼: ଛେନାପୋଡ଼, ମାଛ ବିକୁଛନ୍ତି ଖ୍ୟାତନାମା ପାଲା ଗାୟକ

ବାଲିଅନ୍ତା: ଲୋକକଳାକୁ ଜୀବିକା କରି ପେଟ ପୋଷୁଥିବା କଳାକାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି କରୋନା। ସଂକ୍ରମଣରୁ ବର୍ତ୍ତିବା ପାଇଁ ୪୪ଦିନ ହେଲା ଲକ୍‌ଡାଉନ୍‌ ଜାରି ରହିଥିବାରୁ ନା କେଉଁଠି ବିବାହ, ବ୍ରତ, ଜନ୍ମଦିନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ନା ସରକାରଙ୍କ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ଏମାନଙ୍କୁ ସାମିଲ କରାଯାଉଛି। ଫଳରେ ନିଜର କଳା ପ୍ରଦର୍ଶନ କରି ପେଟ ପୋଷୁଥିବା ଏହି କଳାକାରମାନେ ଏବେ ହାତ ବାନ୍ଧି ବସିଛନ୍ତି। ସ୍ବାଭାବିକ ଅବସ୍ଥାରେ ବି ଏମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକକଳାର ପ୍ରଚାରପ୍ରସାର ଚଳାଇଥାନ୍ତି। ସେଥିରୁ ଯାହା କିଛି ରୋଜଗାର ହୁଏ, ଦୁଃଖକଷ୍ଟେ ସେଥିରେ ପରିବାର ଚଳାଯାଏ। ହେଲେ କରୋନା ଏବେ ଏହି କଳାକାରମାନଙ୍କ ଜୀବନ ଜୀବିକାର ଗତିପଥ ବଦଳାଇ ଦେଇଛି। ଜୀବନଧାରଣ ପାଇଁ ସେମାନେ ପାରମ୍ପରିକ ବୃତ୍ତିକୁ ଛାଡ଼ି ଏବେ ରୋଜଗାରର ଅନ୍ୟ ପନ୍ଥା ଆପଣାଇଛନ୍ତି।

ବାଲିଅନ୍ତା ବ୍ଲକ ଅଧୀନ ରଣପୁର ଗ୍ରାମର ଅନ୍ୟତମ ଖ୍ୟାତନାମା ପାଲାଗାୟକ ହେଲେ ଅଗାଧୁ ଚରଣ ବେହେରା। ୧୯୮୫ ମସିହାରୁ ସେ ନିରବଚ୍ଛିନ୍ନ ଭାବେ ପୁରୀ, ଖୋର୍ଧା, ଢ଼େଙ୍କାନାଳ, କେଉଁଝର ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରିଆସୁଛନ୍ତି। ଉତ୍ତମ ପାଲା ପରିବେଷଣ ପାଇଁ ଅଗାଧୁଙ୍କୁ ପୁରୀ ଜିଲ୍ଲା ପିପିଲି ବ୍ଲକ ଅଧୀନ ରାଇଗରପୁର, ଭୀମବଜାର ଓ ଖୋର୍ଧା ଜିଲ୍ଲାର କଳାଝରୀ ତଥା କଟକ ଜିଲ୍ଲା ଅଧୀନ ନଖରା ବାଦିପାଲା ମଣ୍ଡପରେ ପାଲା କମିଟି ପକ୍ଷରୁ ସେ ଅନେକଥର ସମ୍ବର୍ଦ୍ଧିତ ହୋଇଛନ୍ତି। ବର୍ଷର ବିଭିନ୍ନ ପର୍ବପର୍ବାଣି ବେଳେ ସାଥୀ କଳାକାରମାନଙ୍କ ସହ ବିଭିନ୍ନ ସ୍ଥାନରେ ପାଲା ପରିବେଷଣ କରନ୍ତି। ଗଣେଶ ପୂଜା, ଭାଲକୁଣୀ ଓଷା, ସରସ୍ବତୀ ପୂଜା, ଦଶହରା, କୁମାର ପୂର୍ଣ୍ଣିମା, କାର୍ତ୍ତିକେଶ୍ବର ପୂଜା, ରାମନବମୀ ଓ ରଜ ସଂକ୍ରାନ୍ତ ପର୍ଯ୍ୟନ୍ତ ପାଲା ଜମିଥାଏ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ତାଙ୍କର କଳା ପାଖରେ ହାର ମାନି ଥିଲା। କିନ୍ତୁ ଏବର୍ଷ ତାଲାବନ୍ଦ ସମସ୍ୟା ତାଙ୍କୁ ଭିନ୍ନ ବୃତ୍ତି ଆପଣାଇବାକୁ ବାଧ୍ୟ କରିଛି। ପରିବାର ଚଳାଇବା ଲାଗି ସେ ଏବେ ବଜାରରେ ଛେନାପୋଡ଼ ବିକୁଥିବା କହିଛନ୍ତି। ତେବେ ଦୁଃଖର କଥା ହେଲା, ଦୀର୍ଘ ବର୍ଷ ଧରି କଳା ପରିବେଷଣ କରୁଥିଲେ ମଧ୍ୟ ତାଙ୍କୁ ପକ୍କା ଘର କିମ୍ବା କଳାକାର ଭତ୍ତା ମିଳି ନଥିବା ଜଣାଇଛନ୍ତି। ସେହିପରି ଗୁଆଳିର ଗାୟକ ଚୂଡ଼ାମଣୀ ସୁରେନ୍ଦ୍ରନାଥ ଛୋଟରାୟ ଓ ପିପିଲି ବ୍ଲକ ବିନାୟକପୁର ଅଞ୍ଚଳର ଗାୟକ ଜ୍ଞାନବାରିଧି ଉପାଧିପ୍ରାପ୍ତ କାଶୀନାଥ ଜେନାଙ୍କ ଡାହାଣ ପାଳିଆ ଭାବେ କଳା ପରିବେଷଣ କରୁଥିବା ବିଦ୍ୟାଧର ସାହୁଙ୍କ ମଧ୍ୟ ସମବସ୍ଥା। କଳା ନୈପୁଣ୍ୟତା ପାଇଁ ଏକାଧିକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି। ଗତ ୫ବର୍ଷ ହେଲା ଏକ ବେସରକାରୀ ସଂସ୍ଥା ପକ୍ଷରୁ ଦାଶକାଠି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜନ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ବିଦ୍ୟାଧର। ହେଲେ ଲକ୍‌ଡାଉନ୍‌ବେଳେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେବା ତାଙ୍କ ପାଇଁ ସମସ୍ୟା ବଢ଼ାଦେଇଛି।

ଆଉ ଜଣେ ଚଇତାଳି ଘୋଡ଼ା ନାଚ ଡାହାଣ ପାଳିଆ ହେଲେ ଉକ୍ତ ବ୍ଲକ ଅଧୀନ ସରକଣା ଉପରମୁଣ୍ଡ ସାହିର ରାମଚନ୍ଦ୍ର ବେହେରା। ସେ ଦୀର୍ଘ ୨୫ବର୍ଷ ଧରି କଟକ ବୟାଳିଶି ମୌଜାର ଗାୟକ ରମେଶ ବେହେରା ଓ ଶଙ୍ଖୁଆ ଅଞ୍ଚଳର ସୁକାନ୍ତ ବେହେରାଙ୍କ ସହ ଘୋଡ଼ାନାଚ ପରିବେଷଣ କରୁଛନ୍ତି। ଚଇତି ପର୍ବ ପରଠୁ ରଜ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘୋଡ଼ାନୃତ୍ୟ କଳା ପ୍ରଦର୍ଶନ କରି ଭଲ ଦି ପଇସା ରୋଜଗାର କରନ୍ତି। ହେଲେ ଏବର୍ଷ କରୋନା ସବୁ ଛଡ଼ାଇ ନେଇଛି। ପରିବାର ଚଳାଇବା ପାଇଁ ଏବେ ସେ ପନିପରିବା ଓ ମାଛ ବେପାର କରୁଛନ୍ତି। ହେଲେ ସେଥିରେ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ପଞ୍ଚାୟତ ତଥା ପଞ୍ଚାୟତ ସମିତିରେ ଏକାଧିକଥର ଆବେଦନ କରିଥଲେ ମଧ୍ୟ ଏଯାଏ କଳାକାର ଭତ୍ତା କିମ୍ବା ପକ୍କା ଘର ମିଳିନି। ତେଣୁ ଏଭଳି ଦୁର୍ଦ୍ଦିନରେ ସରକାର ଏହି କଳାକାରମାନଙ୍କ ଉପରେ ଦୃଷ୍ଟି ପକାଇବାକୁ କଳାକାରମହଲରେ ଦୃଢ଼ ଦାବି ହୋଇଛି।

ସମ୍ବନ୍ଧିତ ଖବର