କୁଟୀର ଶିଳ୍ପକୁ କରୋନା ମାଡ଼: କଂସାପିତ୍ତଳ ଶାଳ ବନ୍ଦ, ବଢ଼ୁଛି କାରିଗରଙ୍କ ଦୁର୍ଦ୍ଦଶା

କୁମ୍ଭକାର ବି ଦୁର୍ଦ୍ଦିନରେ, ସରକାରୀ ସହାୟତା ବି ମିଳିନି

ବାଲିଅନ୍ତା: ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ବାଲିଅନ୍ତା ବ୍ଲକ ସମେତ ପୂରା ରାଜଧାନୀ ଉପକଣ୍ଠ ଅଞ୍ଚଳରେ କ୍ଷୁଦ୍ର ଓ କୁଟୀର ଶିଳ୍ପ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। କାମ ବନ୍ଦ ହୋଇଯାଇଥିବାରୁ ସଂସ୍ଥାଗୁଡ଼ିକରେ ତାଲା ଝୁଲୁଛି। ଶତାଧିକ ଶ୍ରମିକ ପରିବାର ଓ କାରିଗର ରୋଜଗାର ହରାଇ ଏବେ ହାତବାନ୍ଧି ବସିଛନ୍ତି। ଏହି ବ୍ଲକ ଅଧୀନ ରଥିଜେମା (ବାଳକାଟି) ଓ ବଇଁଚୁଆର ପ୍ରସିଦ୍ଧ କଂସାବାସନ ଶିଳ୍ପ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। କଂସା ପିତ୍ତଳ ସାମଗ୍ରୀ ପ୍ରସ୍ତୁତ ଶାଳ ବନ୍ଦ ପଡ଼ିଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଶ୍ରମିକ, କୁଶଳୀ ଓ ଅଣକୁଶଳୀ କାରିଗରଙ୍କ ରୋଜଗାର ପୂରାପୂରି ଠପ୍‌ ହୋଇଯାଇଛି। ସେହିପରି କାରବାର ବନ୍ଦ ଯୋଗୁଁ ମହାଜନଙ୍କ ପାଖରେ ଗଚ୍ଛିତ ବିଭିନ୍ନ କଂସା ପିତ୍ତଳ ବାସନ ସାମଗ୍ରୀ ଯଥା ଥାଳି, ତାଟିଆ, ଗିନା, ଢ଼ାଳ, ଘଣ୍ଟ ଘଣ୍ଟି, ହଣ୍ଡା, ହାଣ୍ଡି ଆଦି ସାମଗ୍ରୀ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟକୁ ପଠାଯାଇ ପାରୁନି। ଏଭଳି ବିପତ୍ତି ସମୟରେ ପୁଞ୍ଜିପତି କଂସାରି ମହାଜନ ପରିବାର ସିନା ସମ୍ଭାଳି ନେଉଛନ୍ତି, ହେଲେ ଏହା ଉପରେ ନିର୍ଭର କରି ଚଳୁଥିବା ଶ୍ରମିକ, କୁଶଳୀ ଓ ଅଣକୁଶଳୀ କାରିଗରଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବା‌ରେ ଲାଗିଛି। ଅନ୍ୟ କୌଣସି କାମର ଅଭିଜ୍ଞତା ନ ଥିବାରୁ ମୂଲ, ମଜୁରି କରିବା ବି ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। କାରିଗରଙ୍କ ପରିବାର ପ୍ରତିପୋଷଣ ନେଇ ମହାଜନ ଗୋଷ୍ଠୀ କିଛି ବି ସାହାଯ୍ୟ କରୁନଥିବାରୁ ସେମାନଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଲାଣି ବୋଲି ଜଣେ ବୟସ୍କ କାରିଗର ନିଜ ନାମ ଗୋପନ ରଖି କହିଛନ୍ତି।

ଅପରପକ୍ଷେ ମହାଜନଙ୍କ କାର୍ପଣ୍ୟଠାରୁ ବଳି ପଡ଼ିଛି ସରକାରୀ ଅବହେଳା। ଅଧିକାଂଶ ଶ୍ରମିକ ଓ କାରିଗରଙ୍କୁ ଶ୍ରମ ବିଭାଗ ପଞ୍ଜୀକୃତ କରିନଥିବାରୁ ସେମାନେ ଶ୍ରମ ବିଭାଗ ପକ୍ଷରୁ ୩ମାସ ଲାଗି ମିଳୁଥିବା ୧୫ଶହ ଟଙ୍କା ପାଇ ପାରିନାହାନ୍ତି। ଅନ୍ୟ କୌଣସି ସରକାରୀ ଯୋଜନାର ଫାଇଦା ମଧ୍ୟ ସେମାନଙ୍କ ପାଖରେ ଅପହଞ୍ଚ। କଂସାରୀ ସଂଘର ପ୍ରମୁଖ ସଦସ୍ୟ ତଥା ବଇଁଚୁଆ ସରପଞ୍ଚଙ୍କ ସୂଚନାନୁଯାୟୀ, ବଇଁଚୁଆ ଓ ରଥିଜେମାର କାରିଗରଙ୍କୁ ମିଶାଇ ମୋଟ ୧୫ଶହ ପରିବାର କୂଳବେଉସା ହରାଇଛନ୍ତି। ଏଯାଏ କିଛି ସରକାରୀ ସାହାଯ୍ୟ ମିଳି ନାହିଁ।

ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଶତାଧିକ କୁମ୍ଭକାର ପରିବାର ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଳକାଟି ମୁଦୁଲିସାହିର ବିଦ୍ୟୁଲତା ମୁଦୁଲିଙ୍କ କହିବାନୁଯାୟୀ, ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ସେ ଓ ତାଙ୍କ ୧୦ବର୍ଷର ଝିଅ ମାଟିରେ ହାଣ୍ଡି, ପଇସା ଘଡ଼ି, ଘୋଡ଼ା ଓ ଉଠାଚୁଲି ତିଆରି କରି ଯାହା କିଛି ରୋଜଗାର କରୁଥିଲା, ସେଥିରେ କଷ୍ଟମଷ୍ଟେ ଚଳି ଯାଉଥିଲେ। ଏବେ କିନ୍ତୁ ସେତକ ବି ବନ୍ଦ ହୋଇଯାଇଥିବାରୁ ଘରେ ଚୁଲି ଜଳୁନି। ସେହିପରି ସ୍ବାମୀ ମୃତ୍ୟୁକୁ ୩ ସପ୍ତାହ ବିତି ଯାଇଥିଲେ ହେଁ ତାଙ୍କୁ ବିଧବା ଭତ୍ତା ମିଳି ପାରିନାହିଁ।
ଆଉ ଜଣେ କୁମ୍ଭକାର ମହିଳା ଲାବଣ୍ୟ ମୁଦୁଲିଙ୍କ ସୂଚନାନୁଯାୟୀ, ଗତବର୍ଷ ଫନିରେ ଘରେ ମହଜୁଦ ଥିବା ୫୦ହଜାର ଟଙ୍କାର ମାଟି ନିର୍ମିତ ସାମଗ୍ରୀ ଯଥା ହାଣ୍ଡି, ମାଠିଆ, ପଲମ, ସୂରେଇ, ସରା, ମୂର୍ତ୍ତି ଓ ଦୀପ ଆଦି ନଷ୍ଟ ହୋଇଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ ପଇସାଟିଏ ସାହାଯ୍ୟ ମିଳିଲାନି। ମହିଳା ମଣ୍ଡଳରୁ ୨୦ହଜାର ଟଙ୍କା ଋଣ ଆଣି କାମ ଆରମ୍ଭ କରିଥିଲେ। ହେଲେ ଏବେ ଲକଡାଉନ୍‌ ସେଥିରେ ବି ଦାଉ ସାଧିଛି। ତେଣୁ ଏଭଳି ସ୍ଥିତିରେ ସରକାର ସାହାଯ୍ୟର ହାତ ବଢ଼ାନ୍ତୁ ବୋଲି ବ୍ରାହ୍ମଣସୁଆଁଲୋ ଗ୍ରାମର ସୁକାନ୍ତ ମୁଦୁଲି ଓ ଦଣ୍ଡିଲୋ ଗ୍ରାମର ରମେଶ ମୁଦୁଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର