କରୋନା ଟିକାକୁ ନେଇ ଉତ୍ସାହ… ଉତ୍କଣ୍ଠା… ଉଦ୍ଦୀପନା…

ଉତ୍ସାହର ସହ ଟିକା ନେଇଛି: ବିରଞ୍ଚି
ରାଜ୍ୟର ପ୍ରଥମ କରୋନା ଟିକା ନେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ବିରଞ୍ଚି ନାୟକ। ନିଜର ଏହି ଅନୁଭବକୁ ‘ସମ୍ବାଦ’କୁ ବାଣ୍ଟିବା ଅବସରରେ ବିରଞ୍ଚି କହିଛନ୍ତି, ଗତକାଲି ଯେତେବେଳେ ହସ୍ପିଟାଲର ଉପ-ଅଧୀକ୍ଷକ ଡା.ଧନଞ୍ଜୟ ଦାସ ପ୍ରଥମେ ତାଙ୍କୁ କରୋନା ଟିକା ନେବାକୁ ପଡ଼ିବ ବୋଲି କହିଥିଲେ ସେତେବେଳେ ବେଶ୍ ଉତ୍ସାହ ଆସିଥିଲା। ଘରେ ମଧ୍ୟ ଏ ସଂପର୍କରେ ଜଣାଇଥିଲି। ଜଣେ ସଫେଇ କର୍ମଚାରୀ ଭାବେ କରୋନା ସଂକ୍ରମଣ ପ୍ରତି ଅଧିକ ଭୟ ରହିଥିବାରୁ ଟିକା ନେଲେ ଏଥିରୁ ମୁକ୍ତ ରହିବି ବୋଲି ଭାବିଥିଲି। ଆଜି ସକାଳ ସାଢ଼େ ୭ଟା ବେଳକୁ ଘରୁ ହସ୍ପିଟାଲକୁ ପଳାଇ ଆସିଥିଲି। ଘରେ ଜଳଖିଆ ଖାଇବା ପାଇଁ ଡାକୁଥିଲେ; ହେଲେ ବାହାରେ ଖାଇବି କହି ପଳାଇ ଆସିଥିଲି। ଟିକା ନେବା ପାଇଁ ମନରେ ବେଶ୍ ଉତ୍ସାହ ରହିଥିଲା। ଟିକା ନେବା ପରେ ମଧ୍ୟ ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ପୂର୍ବଭଳି ଅନୁଭବ କରୁଛି।

ଟିକା ପ୍ରଦାନକାରୀ ତାଲିକାରେ ନାଁ ଥିବାରୁ ଖୁସି ଲାଗିଲା: କବିତା
ଭ୍ୟାକ୍ସିନେଟର ବା ଟିକା ପ୍ରଦାନକାରୀ ତାଲିକାରେ ମୋ ନାଁ ରହିଥିବାରୁ ବେଶ୍ ଖୁସି ଲାଗିଲା ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନର୍ସ କବିତା ନାୟକ। କବିତା କହିଛନ୍ତି, ଦୀର୍ଘଦିନରୁ ଲୋକମାନଙ୍କୁ ଟିକା ଦେଇ ଆସୁଛି। ହେଲେ କରୋନା ଟିକାକୁ ନେଇ ବେଶ୍ ଉତ୍ସାହିତ ଥିଲି। ଯେଉଁମାନେ ଟିକା ନେବାକୁ ଆସୁଥିଲେ ସେମାନେ ପୂର୍ବରୁ କିଛି ଟିକା ନେଇଛନ୍ତି କି ନାହିଁ କିମ୍ବା ସେମାନଙ୍କର ଥଣ୍ଡା, ଜ୍ବର ଇତ୍ୟିାଦି ଅଛି କି ନାହିଁ ବୋଲି ପଚାରିବା ପରେ ଟିକା ଦେଉଥିଲି। ପାର୍ଶ୍ବ ପ୍ରତିକ୍ରିୟା ପାଇଁ ପାଖରେ ଡାକ୍ତର ଓ ଏଇଏଫ୍‌ଆଇ କିଟ୍‌ ରହିଥିଲା। ତେଣୁ ଟିକାଦାନ ପ୍ରକ୍ରିୟାରେ ଆଜି କୌଣସି ସମସ୍ୟା ‌ସୃଷ୍ଟି ହୋଇନି।

ଲୋକଙ୍କ କଷ୍ଟ ଦୂର କରିବାରେ ସହାୟକ ହୋଇଥିବାରୁ ଖୁସି: ସସ୍ମିତା
ଜଣେ କର୍ମଚାରୀ ଭାବେ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ‌ ହୋଇଥିବାରୁ ବହୁତ ଖୁସି ବୋଲି କହିଛନ୍ତି ଆଜିର ଦ୍ବିତୀୟ ଟିକା ପ୍ରଦାନକାରୀ ବା ଭାକ୍ସିନେଟର ସସ୍ମିତା ମଲ୍ଲିକ। କରୋନା ନେଇ ମାସ ମାସ ଧରି ଲୋକମାନେ ବହୁ କଷ୍ଟ ଭୋଗୁଛନ୍ତି। ଟିକା ଆସିବା ନେଇ ଘୋଷଣା ହେବା ପରେ ମନରେ ଉତ୍କଣ୍ଠା ବଢ଼ି ଯାଇଥିଲା। ଫିଲ୍ଡରେ କାମ କରୁଥିବାରୁ ଆଜିର ଟିକାଦାନ ସେପରି କୌଣସି ସମସ୍ୟା‌ ଆଣି ନ ଥିଲା। କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟାର ମୁକାବିଲା ପାଇଁ ସବୁ ବ୍ୟବସ୍ଥା ଥିବାରୁ ମନରେ କୌଣସି ଭୟ ନ ଥିଲା। ବିଳମ୍ବରେ ଟିକାଦାନ ଆରମ୍ଭ ହୋଇଥିବାରୁ ସଂଧ୍ୟା ପର୍ଯ୍ୟନ୍ତ ଟିକାଦିନ ଚାଲିଥିଲା। ତେବେ ଏହି ପ୍ରକ୍ରିୟାରେ ସାମିଲ ହେବା ମୋ ପାଇଁ ବେଶ୍ ଖୁସିର ବିଷୟ।

ମା’ କୋଭିଡ୍‌ରେ ଯାଇଥିଲେ, ଟିକା ନେବା ଜରୁରୀ ଥିଲା
କରୋନା ମହାମାରୀ ଆମ ପରିବାର ପାଇଁ ବହୁ ଦୁଃଖ ଆଣି ଦେଇଛି। କୋଭିଡ୍‌ରେ ମୋ ମା’ ପ୍ରାଣ ହରାଇଛନ୍ତି। ଭାଇ ମଧ୍ୟ ଗୁରୁତର ହୋଇ ପଡ଼ିଥିବା ବେ‌ଳେ ଭଗବାନଙ୍କ ଦୟାରୁ ବର୍ତି ଯାଇଛି। ମୁଁ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲି ଓ ସୁସ୍ଥ ହୋଇଛି। ତେଣୁ କରୋନା ଟିକା ନେବା ଜରୁରୀ ଥିଲା। ଉତ୍ସାହର ସହ ଆଜି ‌ଟିକା ନେଇଛି। ଅନ୍ୟମାନେ ମଧ୍ୟ କରୋନା ଟିକା ନେବା ପାଇଁ ମନରେ କୌଣସି ଭୟ ନ ରଖି ଆଗେଇ ଆସନ୍ତୁ।
ଶକୁନ୍ତଳା ନାୟକ, ଷ୍ଟାଫ୍‌ନର୍ସ

ଟିକା ନେବା ମୋ ପାଇଁ ଖୁସିର କଥା
ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବା ସହିତ ଆମ ପାଖରେ ଏବେ କୋଭିଡ ଟିକା ପହଞ୍ଚି ସାରିଛି। ଟିକା ବଳରେ ସବୁ ବର୍ଗର ଲୋକଙ୍କୁ କରୋନା ମହାମାରୀରୁ ସୁରକ୍ଷା ମିଳିପାରିବ। ଟିକା ନେବା ମୋ ପାଇଁ ଖୁସିର କଥା। ଟିକା ନେବାର ଅଧଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ଥିବା ସମୟରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ। ଟିକା ସୁରକ୍ଷିତ।
ଡା.ପ୍ରଭାକର ସେଠୀ, ଶିଶୁରୋଗ ବିଶେଷଜ୍ଞ

ସମ୍ବନ୍ଧିତ ଖବର