ବିଦ୍ୟୁତ ବିଲ୍‌ ପ୍ରଦାନରେ କାରସାଦି ପ୍ରସଙ୍ଗ: ଚେତିଲା ଟିପିସିଓଡିଏଲ୍‌; ଏଣିକି ନିର୍ଦ୍ଦିଷ୍ଟ ତାରିଖରେ ଆସିବ ବିଲ୍‌!

ଭୁବନେଶ୍ବର : ମାସର ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ ବିଲ୍ ନ ଦେଇ ଉପଭୋକ୍ତାଙ୍କ ଠାରୁ ଯୋଜନାବଦ୍ଧ ଭାବେ ବିଦ୍ୟୁତ ବିତରଣ ସଂସ୍ଥା କୋଟିକୋଟି ଟଙ୍କା ଲୁଟି ନେଉଛି। ଏ ନେଇ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ବିଭିନ୍ନ ଉପଭୋକ୍ତାଙ୍କଠାରୁ ପୁଳାପୁଳା ଅଭିଯୋଗ ଆସିବାରେ ଲାଗିଛି। ଭୁବନେଶ୍ବର, ପୁରୀ, କାକଟପୁର, ଜଗତସିଂହପୁର ପ୍ରଭୃତି ଅଞ୍ଚଳରେ ଶତାଧିକ ଉପଭୋକ୍ତା ମାସ ମାସ ଧରି ଏଭଳି ଠକେଇର ଶିକାର ହେଉଥିବା କହିଛନ୍ତି। ଏପରିକି ସଂସ୍ଥା ବିଳମ୍ବରେ ବିଲ୍‌ ଦେବା ସହ ୟୁନିଟ୍‌ ପିଛା କରାଯାଇଥିବା ହିସାବରେ ମଧ୍ୟ ତ୍ରୁଟି ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ତନାଘନା ହେବା ପରେ ଟିପିସିଓଡିଏଲ୍‌(ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌) ଉପଭୋକ୍ତାଙ୍କୁ ବିଳମ୍ବରେ ବିଲ୍‌ ପ୍ରଦାନ ଅଭିଯୋଗର ସମୀକ୍ଷା କରିଛି ଏବଂ ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ସମୟରେ ବିଲ୍‌ ଦେବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ମାତ୍ର ଏ ନେଇ ଏଯାଏ ସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇ ନାହିଁ।

ଜାଣିଜାଣି ବିଳମ୍ବରେ ବିଦ୍ୟୁତ ବିଲ୍‌ ଦେଇ କୋଟିକୋଟି ଟଙ୍କା ହରିଲୁଟ୍‌ ପଛରେ ଥିବା ସତ୍ୟତା ପ୍ରମାଣିତ ହେବା ପରେ ଅଡ଼ୁଆରେ ପଡ଼ିଯାଇଛି ଟିପିସିଓଡିଏଲ୍‌। କର୍ମଚାରୀ ଅଭାବ ଓ କରୋନାକୁ ଆଳ କରି ସଂସ୍ଥା ଖସିଯିବାକୁ ବସିଥିଲେ ମଧ୍ୟ ଏହା ଭିତରେ ଥିବା କାରସାଦି ଜଳଜଳ ଦିଶୁଛି। ବିଳମ୍ବରେ ବିଲ୍‌ ଦିଆଯିବାକୁ ନେଇ ବରିଷ୍ଠ ଅଧିକାରୀମାନେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି ଏଥିରେ କିଛି କାରସାଦି ନାହିଁ; ତେବେ ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସରେ ଗୋଟିଏ ତାରିଖରେ କାହିଁକି ବିଲ୍‌ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଘରୋଇକରଣ କରିବା ବେଳ‌େ ସରକାରୀ ୪୯ ପ୍ରତିଶତ ଭାଗିଦାର ହୋଇ ନିଜ ହାତରୁ ନିୟନ୍ତ୍ରଣ ହରାଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶକ୍ତି ସଚିବ ଥିବା ବେଳେ ବିଲ୍‌ ପ୍ରସ୍ତୁତିରେ ବିଳମ୍ବ ହେଲେ ଉପଭୋକ୍ତା ଠକେଇର ଶିକା‌ର ହେବା ଆଶଙ୍କା କରିଥିଲେ। ଏଣୁ ନିର୍ଦ୍ଧାରିତ ସମୟ କିମ୍ବା ଧାର୍ଯ୍ୟ ତାରିଖର ଦୁଇଦିନ ପୂର୍ବରୁ ବା ପରେ ବିଲ୍‌ ଦେବାପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ସାରକାରଙ୍କର ନିୟନ୍ତ୍ରଣ ନଥିବାରୁ ସଂସ୍ଥା ମନମୁଖୀ କାର୍ଯ୍ୟ କରୁଥିବା କହିଛନ୍ତି।

ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସେସୁ ବିତରଣ ଦାୟିତ୍ବରେ ଥିବା ବେଳେ ଏକ ଆପ୍‌ ତିଆରି ହୋଇଥିଲା। ଏହି ଆପ୍‌ ଜରିଆରେ ଉପଭୋକ୍ତା ନିଜର ବିଲ୍‌ ସମ୍ବନ୍ଧରେ ସମସ୍ତ ସୂଚନା ପାଇବା ସହ ମିଟର ସ୍କାନ୍‌ କରି ନିର୍ଦ୍ଧାରିତ ତାରିଖରେ ବିଲ୍‌ ମଧ୍ୟ ପ୍ରସ୍ତୁତ କରି ପାରୁଥିଲେ। ଆପ୍‌ରେ ଦେଖାଉଥିବା ଦେୟ ଦାଖଲ କରି ରିବେଟ୍‌ ବି ପାଉଥିଲେ। ହେଲେ ପ୍ରଚାର ପ୍ରସାର ଅଭାବାରୁ ଏହି ବ୍ୟବସ୍ଥା ଲୋକାଭିମୁଖୀ ହେଲା ନାହିଁ। ଫଳରେ ‌ଉପଭୋକ୍ତା ବିଳମ୍ବରେ ବିଲ୍‌ ପାଇଲେ ଓ ଠକାମିର ଶିକାର ହେବା ସୁଯୋଗ ରହିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର