ଖଣ୍ଡଗିରି: ଧର୍ମ ମାସ କାର୍ତ୍ତିକ ଚାଲିଛି। ସେଥିଲାଗି ଘରେ ଆମିଷ ପଶୁନି। ଏଭଳି ସ୍ଥିତିରେ ପରିବା ଦର ଖାଉଟିଙ୍କୁ କନ୍ଦାଉଛି। ହାଟ, ବଜାରକୁ ଗଲେ ୫ଶହ କ’ଣ, ହଜାରେ ଟଙ୍କାରେ ବି ବ୍ୟାଗ ପୂରୁନି। ମାସେ ପୂର୍ବରୁ ୪୦୦ରୁ ୫୦୦ ଟଙ୍କାର ପରିବା ଆଣିଲେ ୫ ଜଣିଆ କୁଟୁମ୍ବ ୪ ଦିନ ଚଳିଯାଉଥିଲା। ମାତ୍ର ଏବେ ସପ୍ତାହକୁ ୧୨୦୦ ଟଙ୍କାର ପରିବା ଆଣିବାକୁ ପଡ଼ୁଛି। ଏବେ ପନିପରିବା ଦର ଯେଉଁଭଳି ରହିଛି ଆଗକୁ ପଞ୍ଚୁକ ପ୍ରଭାବିତ ହେବ। ଡାଲମାରେ କେବଳ ଡାଲି ଥିବ, କଦଳି କି ଆଉ କୌଣସି ପରିବା ଦେଖିବାକୁ ମିଳିବ ନାହିଁ। କାର୍ତ୍ତିକ ମାସରେ ଉଚ୍ଚା ପରିବା ଦରକୁ ନେଇ ଏଭଳି କହିଛନ୍ତି ପାତ୍ରପଡ଼ାର ଗୃହିଣୀ ସନ୍ଧ୍ୟାରାଣୀ ପତି।

Advertisment

୮୦ ଟଙ୍କା ତଳକୁ ପରିବା ନାହିଁ
ହଜାରେ ଟଙ୍କାରେ ବ୍ୟାଗ୍‌ ପୂରୁନି

କେବଳ ସନ୍ଧ୍ୟାରାଣୀ ନୁହନ୍ତି, ତାଙ୍କ ପରି ନୂଆପଲ୍ଲୀ ବେହେରାସାହି ବାସିନ୍ଦା ସୁନନ୍ଦା ମହାନ୍ତଙ୍କ ଅବସ୍ଥା ମଧ୍ୟ ସମାନ। କାର୍ତ୍ତିକ ମାସ ପୂର୍ବରୁ ୩୦୦ରୁ ୪୦୦ ଟଙ୍କାର ପରିବା କିଣିଲେ ଆରାମରେ ଚଳିଯାଉଥିଲେ। ଏବେ ସପ୍ତାହକୁ ୭୦୦ରୁ ୮୦୦ ଟଙ୍କା ଖର୍ଚ୍ଚ ହେଉଛି। ସୁନନ୍ଦାଙ୍କ କହିବାନୁଯାୟୀ ପରିବା ଦର ଉପରେ ପ୍ରଶାସନର ନିୟନ୍ତ୍ରଣ ନାହିଁ। ଯେଉଁଥିପାଇଁ ବ୍ୟବସାୟୀମାନେ ମନଇଚ୍ଛା ମୂଲ୍ୟ କଷୁଛନ୍ତି। ପରିବା ଦର ବୃଦ୍ଧି ରୋଷେଇ ଘର ଉପରେ ଯେତିକି ପ୍ରଭାବ ପକାଇଛି ତା’ଠାରୁ ଅଧିକ ଆମ ଭଳି ଗୃହିଣୀକୁ କନ୍ଦାଉଛି। ଏବେ ବାଇଗଣ କିଲୋ ପିଛା ଦର ୮୦ ଟଙ୍କାରେ ପହଞ୍ଚିଛି। କଲରା ୮୦ ଟଙ୍କା ଥିବା ବେଳେ ହାଇବ୍ରିଡ୍‌ କାଙ୍କଡ଼ ୮୦, ଦେଶୀ କାଙ୍କଡ଼ ୧୬୦, ବିନ୍‌ ୧୨୦, ଖମ୍ବଆଳୁ ୮୦, ଟମାଟୋ ୮୦, କଞ୍ଚାଲଙ୍କା କେଜି ୨୦୦, ଫୁଲକୋବି (ଛୋଟ) ୪୦,  ସଜନା ଛୁଇଁ କେଜି ୧୬୦, ଗାଜର ୧୦୦ ଟଙ୍କା, ଜହ୍ନି କେଜି ୫୦, ଅମୃତଭଣ୍ଡା କେଜି ୩୦ରୁ ୪୦, ସାରୁ କେଜି ୪୦ ଟଙ୍କା ରହିଛି। ଦେଶୀ ଆଳୁ ଦର ମଧ୍ୟ ଚଢ଼ା ରହିଛି। କାର୍ତ୍ତିକ ମାସ ପୂର୍ବରୁ ୨୦ ଟଙ୍କାରେ ୪ ବିଡ଼ା କୋଶଳା ଶାଗ ବିକ୍ରି ହେଉଥିଲା। ଏବେ ବିଡ଼ାଏ ଶାଗକୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଅନ୍ୟ ପନିପରିବା ଓ ଖାଉଟି ସାମଗ୍ରୀ ଦର ମଧ୍ୟ ନିୟନ୍ତ୍ରଣ ବାହାରେ। ପିଆଜ ଦର ଲଗାମ ଛଡ଼ା। ଭରତପୁର ଛକରେ ପିଆଜ କେଜି ୮୦ ଟଙ୍କାରେ ବିକ୍ରି ହେଉଥିବା ଜିଜିପି କଲୋନିରେ ତାହା ୬୦ ଟଙ୍କା‌। ୟୁନିଟ୍‌-୧ ହାଟରେ ଦର ଟିକିଏ ନିୟନ୍ତ୍ରଣ ଭିତରେ ରହିଛି। ରସୁଣ ଦର ୨୦୦ ଟଙ୍କା ଟପିଯାଇଛି। ଅଦା ୨୦୦ ପାଖରେ ପହଞ୍ଚିଲାଣି। ସୋରିଷ ତେଲ ଲିଟର ୧୫୦ ଉପରେ ରହିଛି। ରିଫାଇନ୍‌ ୧୩୦ରେ ପାଖରେ ଅଟକିଛି। ହରଡ଼ ଡାଲି ଦର ମଧ୍ୟ ୧୬୦ ତଳକୁ ଖସୁନାହିଁ।

ଦର ବୃଦ୍ଧି ପାଉଥିଲେ ମଧ୍ୟ ନିର୍ବିକାର ପାଲଟିଛି ଯୋଗାଣ ବିଭାଗ। ପିଆଜ ଉପରେ ନିୟନ୍ତ୍ରଣ ଆଣିପାରୁ ନାହିଁ। ପନିପରିବା କଥା ଦୂରରେ ଥାଉ। ମୂଲ୍ୟ ବୃଦ୍ଧି ରୋକିବାରେ ରାଜ୍ୟ ସରକାର ଯେପରି ଅସମର୍ଥ ହୋଇଛନ୍ତି। ଗରିବ ଖଟିଖିଆମାନଙ୍କ କଥା ଛାଡ଼ନ୍ତୁ, ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏହାଦ୍ୱାରା ବେଶି ପ୍ରଭାବିତ ହେଲେଣି। ବ୍ୟବସାୟୀଙ୍କ କହିବା କଥା ହେଉଛି ଯେ ଅକ୍ଟୋବରରେ ଲଘୁଚାପ ଜନିତ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଚାଷ ପ୍ରଭାବିତ ହୋଇଛି। ଉତ୍ପାଦନ ମଧ୍ୟ କମିଛି। ଜିଲ୍ଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁ ନଥିବା ବେଳେ କାର୍ତ୍ତିକ ମାସ ଯୋଗୁଁ ପରିବା ଚାହିଦା ବଢ଼ୁଛି। ଏହାଦ୍ବାରା ଭୁବନେଶ୍ବରର ବିଭିନ୍ନ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଛି। ବାହାରୁ ଆସୁଥିବା ପରିବା ଆମଦାନୀ ଦର ଅନୁଯାୟୀ ଏଠାରେ ବିକ୍ରି କରିବାକୁ ବେପାରୀମାନେ ବାଧ୍ୟ ହେଉଛନ୍ତି। ନୂଆ ଫସଲ ଉତ୍ପାଦନ ନହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।