ପୁରୁଣା ଭୁବନେଶ୍ୱର: ଶୈବପୀଠ ଏକାମ୍ର କ୍ଷେତ୍ରରେ ପ୍ରଭୁ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ବଢ଼ିଛି ଗହଳଚହଳ। ମହାକାର୍ତ୍ତିକ ମାସ ପାଇଁ ପ୍ରତିଦିନ ଏହି ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମୁଛି। ତେବେ ବେଶି ଭିଡ଼ ହେଉଛି ଆନନ୍ଦ ବଜାରରେ। ଅବଢ଼ା ପ୍ରସାଦ ପାଇଁ ସବୁଦିନ ଖରାବେଳେ ପ୍ରବଳ ଗହଳି ହେଉଛି। ଶ୍ରୀକ୍ଷେତ୍ର ପୁରୀ ପରେ ଅନନ୍ତ ବାସୁଦେବଙ୍କ ଅବଢ଼ା ପ୍ରତି ଶ୍ରଦ୍ଧାଳୁଙ୍କ ଆଦର ଥିବା ବେଳେ ମହାକାର୍ତ୍ତିକ ମାସ ଚାଲିଥିବାରୁ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଧାଇଁ ଆସୁଛନ୍ତି। ପୂଣ୍ୟ ମାସ କାର୍ତ୍ତିକରେ ବିଷ୍ଣୁଙ୍କ ଅନନ୍ୟ ଅବତାର ଅନନ୍ତ ବାସୁଦେବଙ୍କ ଦର୍ଶନ ସହ ତାଙ୍କ ପ୍ରସାଦ ସେବନର ମଉକାକୁ ହାତଛଡ଼ା କରୁନାହାନ୍ତି ଶ୍ରଦ୍ଧାଳୁମାନେ।
ପୁରାଣ ଏକାମ୍ର ଚନ୍ଦ୍ରିକା ଅନୁଯାୟୀ ଶିବଙ୍କ ନିର୍ଦ୍ଦେଶରେ ଭଗବାନ ବିଷ୍ଣୁ ନିଜକୁ ଏକାମ୍ର କ୍ଷେତ୍ରର ଦ୍ବାରପାଳ ଭାବେ ଅବସ୍ଥାପିତ କରିଥିଲେ। ବିଷ୍ଣୁଙ୍କ ମୂର୍ତ୍ତିଠାରୁ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବଙ୍କ ମୂର୍ତ୍ତି କିନ୍ତୁ ଅଲଗା। ଭାରତରେ ସବୁ ମନ୍ଦିରରେ ଭଗବାନ ବିଷ୍ଣୁ ପୂର୍ଣ୍ଣାଙ୍ଗ ରୂପରେ ପୂଜା ପାଉଥିବା ବେଳେ ଉପର ଦୁଇ ହାତରେ ଶଙ୍ଖ ଓ ଚକ୍ର ଏବଂ ତଳ ଦୁଇ ହାତରେ ଗଦା ଓ ପଦ୍ମ ରହିଥାଏ। ମାତ୍ର ଅନନ୍ତ ବାସୁଦେବ ମନ୍ଦିରରେ ପୂଜା ପାଉଥିବା ଭଗବାନ ବିଷ୍ଣୁଙ୍କ ପ୍ରତିମା ଭିନ୍ନ।
ଉପର ଦକ୍ଷିଣ ହସ୍ତରେ ଗଦା ଓ ବାମ ହସ୍ତରେ ତଳକୁ ମୁହଁ କରି ଚକ୍ର ରହିଛି। ସେହିପରି ଅନ୍ୟ ଦୁଇ ହସ୍ତରେ ବାସୁଦେବ ଶଙ୍ଖ ଓ ପଦ୍ମ ଧାରଣ କରିଛନ୍ତି। ପୌରାଣିକ ମତ ଅନୁଯାୟୀ, ମହାଭାରତ ଯୁଦ୍ଧରେ ବାସୁଦେବ କୃଷ୍ଣ ଅସ୍ତ୍ର ଧାରଣ ନ କରିବାକୁ ପ୍ରତିଜ୍ଞା କରିଥିଲେ। ତେଣୁ ଅନନ୍ତ ବାସୁଦେବଙ୍କ ମୂର୍ତ୍ତିରେ ଚକ୍ର ତଳମୁହାଁ ହୋଇଛି ବୋଲି ବିଶ୍ବାସ କରାଯାଏ। ପ୍ରତ୍ନତତ୍ତ୍ୱବିତ୍ମାନେ କହନ୍ତି କଳିଙ୍ଗରେ ଜଗନ୍ନାଥ ସଂସ୍କୃତିର ଉତ୍ଥାନ ହେଲା ବେଳେ ଅର୍ଥାତ୍ ତ୍ରୟୋଦଶ ଶତାବ୍ଦୀ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିଲା। ବିନ୍ଦୁସାଗର କୂଳରେ ଥିବା ଏହି ବିଷ୍ଣୁ ମନ୍ଦିର ପଞ୍ଚାୟତନ ଶୈଳୀରେ ନିର୍ମାଣ କରାଯାଇଛି। ଶିଳାଲେଖ ଅନୁସାରେ ଏହି ମନ୍ଦିର ଚୋଡ଼ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀଙ୍କ ଦ୍ବାରା ନିର୍ମିତ ହୋଇଥିଲା।