ଆସୁଛି ଆ କା ମା ବୈ…

ଡଙ୍ଗା ପ୍ରସ୍ତୁତିରେ କାରିଗର

ପୁରୁଣା ଭୁବନେଶ୍ବର: କିଂବଦନ୍ତି କୁହେ, ଏକଦା ଓଡ଼ିଶା ଥିଲା ନୌବାଣିଜ୍ୟରେ ବେଶ୍‌ ସମୃଦ୍ଧ। ନୌଭେଳାରେ ସାତଦରିଆ ପାର୍‌ ହୋଇ ଓଡ଼ିଆ ସାଧବପୁଅମାନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ବିଦେଶରେ ବାଣିଜ୍ୟ କରୁଥିଲେ। କର୍ପୂର ଉଡ଼ିଯାଇଛି କନା ପଡ଼ିଛି ନ୍ୟାୟରେ ଏହି କିଂବଦନ୍ତି ସତ ଥିଲା ବୋଲି ଆଜି ଆମ ପରମ୍ପରା ଓ ସଂସ୍କୃତିରୁ ପ୍ରମାଣିତ ହୁଏ। କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ କାହିଁ କେଉଁ ଆବାହମାନ କାଳରୁ ଓଡ଼ିଆମାନେ ପାଳି ଆସୁଥିବା ବୋଇତ ବନ୍ଦାଣ ଉତ୍ସବ ଓଡ଼ିଆ ସମୃଦ୍ଧ ନୌବାଣିଜ୍ୟର ପ୍ରତୀକ ହୋଇ ରହିଆସିଛି। ଏକ ସମୟରେ କଦଳୀ ପଟୁକାରେ ତିଆରି ଛୋଟ ଡଙ୍ଗାରେ ପାନ, ଗୁଆ ରଖିବା ସହ ଜଳନ୍ତା ଦୀପଟିଏ ରଖି ତାହାକୁ ନଦୀ, ପୋଖରୀ‌ରେ ଭସାଇ ଦିଆଯାଉଥିଲା। ଡଙ୍ଗା ଭସାଇବା ବେଳେ କୁହାଯାଉଥିଲା ଆ କା ମ‌ା ବୈ…। ଆଜି କିନ୍ତୁ ସମୟ ବଦଳିଛି। ରଙ୍ଗିନ୍‌ କପଡ଼ା, କାଗଜ ଓ ସୋଲ ତିଆରି ଆକର୍ଷଣୀୟ ଡଙ୍ଗା ଭସାଯାଉଛି। ଜଳନ୍ତା ଦୀପ ବଦଳରେ ମହମବତି ଜାଳି ଦିଆଯାଉଛି। ‌ତେବେ ବଦଳିନି ଗୁଆ, ପାନ ପରମ୍ପରା।

‌ନଭେମ୍ବର ୮ତାରିଖ ମଙ୍ଗଳବାର ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା। ସେଦିନ ବି ଚନ୍ଦ୍ରଗ୍ରହଣ ପଡ଼ୁଛି। ତେଣୁ ସବୁପ୍ରକାର ଦେବନୀତି ବନ୍ଦ ରହିବ। ମାତ୍ର ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଉଛି। କାରଣ ସେଦିନ ଭୋର୍‌ ପ୍ରାୟ ୫ଟା ୩୯ମିନିଟରୁ ପାକତ୍ୟାଗ, ଦେବନୀତି, ଅନ୍ନଭୋଜନ ନିଷେଧ ବୋଲି ଧାର୍ଯ୍ୟ ହୋଇଛି। ସ୍ବାଭାବିକ ଭାବେ ଲୋକେ ରାତିରୁ ଭୋର୍‌ ପର୍ଯ୍ୟନ୍ତ ଡଙ୍ଗା ଭସାଇ ଥାଆନ୍ତି। ତେଣୁ ସେଦିନ ଲୋକେ ଭୋର୍‌ରେ ଡଙ୍ଗା ଭସାଇ ଡାକିବେ ଆ କା ମା ବୈ…। ଡଙ୍ଗା ବା ବୋଇତ ଭସାଣ ପ୍ରଭାବିତ ହେଉନଥିବାରୁ ଡଙ୍ଗା ତିଆରି କରୁଥିବା କାରିଗରମାନେ ଖୁସି ଅଛନ୍ତି। କିଛି ରୋଜଗାର ହେବା ଆଶା‌ରେ ଶିଳ୍ପୀମାନେ ଡଙ୍ଗା ତିଆରିରେ ଲାଗିପଡ଼ିଛନ୍ତି।

ପ୍ରତି ବର୍ଷ ପରି ପୁରୁଣା ଭୁବନେଶ୍ବର ନାଗେଶ୍ବର ଟାଙ୍ଗୀ ନଳା ମୁହଁସାହି, ଜୟଦେବନଗର ଦଳିତ ସାହି, ପୂର୍ଣ୍ଣିମା ଗେଟ୍ ଭୋଇସାହି, ମାଟିସାହି, ମଠସାହିରେ ଡଙ୍ଗା ତିଆରି କରାଯାଏ। ଏହି କାମରେ ପୂରା ପରିବାର ନିୟୋଜିତ ହୋଇଥାଆନ୍ତି। କିଏ ଅଠା ଲଗାଏ ତ କିଏ ରଙ୍ଗିନ୍ କାଗଜରେ ଜିଙ୍କ ବୋଳିଥାଏ। ସ୍ଥାନୀୟ ଅଞ୍ଚଳ‌ର ପ୍ରାୟ ୫୦ରୁ ଊର୍ଧ୍ବ ପରିବାର ଡଙ୍ଗା ତିଆରି କରି ବେପାର କରିଥା’ନ୍ତି। ଡଙ୍ଗା କାରିଗର ହୃଷି ବେହେରାଙ୍କ କହିବା ଅନୁଯାୟୀ ଡଙ୍ଗା ତିଆରିରୁ ଭଲ ଦି’ ପଇସା ମିଳେ। ପରିବାର ଦୁଇ ମାସ ଚଳିଯିବା ଭଳି ରୋଜଗାର ହୋଇଯାଏ। ସେହିଭଳି ବିଜୟ ବେହେରା କୁହନ୍ତି ଯେ ଆଜିକାଲି ଲୋକେ ଅଧିକ ପଇସା ପଡ଼ୁ ପଛେ, ଆକର୍ଷଣୀୟ ଡଙ୍ଗା କିଣିବାକୁ ଭଲ ପାଉଛନ୍ତି। ତେଣୁ ସାମୟିକ ବେପାର ହେଲେ ବି ଏଥିରୁ ଭଲ ରୋଜଗାର ହୋଇପରୁଛି। ଶିଳ୍ପୀ ସୌଦାମିନୀ ସାମଲ କୁହନ୍ତି ଯେ ଗତ ଦୁଇ ବର୍ଷ ହେଲା କରୋନା ବେପାର ବୁଡ଼ାଇ ଦେଇଥିଲା। ଚଳିତ ବର୍ଷ ଭଗବାନ ଆମ ଗରିବଙ୍କ ଡାକ ଶୁଣିଛନ୍ତି।

ସମ୍ବନ୍ଧିତ ଖବର