ଏକାମ୍ର କ୍ଷେତ୍ରରେ ହବିଷ୍ୟାଳୀଙ୍କ ବ୍ରତ, ପ୍ରଥମ ସୋମବାର ମନ୍ଦିରରେ ଭିଡ଼

ପୁରୁଣା ଭୁବନେଶ୍ୱର: ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଆଜି ଥିଲା ମାସର ପ୍ରଥମ ସୋମବାର। ଏଥିପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ସହ ଶ୍ରୀଲିଙ୍ଗରାଜ ମନ୍ଦିର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଭୋର ୬ଟାରେ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ମନ୍ଦିରରେ ଧାଡ଼ି ବାନ୍ଧି ଯିବା ପାଇଁ ବ୍ୟାରିକେଡ୍‌ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିଲା। ଦିନ ତମାମ ଧାଡ଼ିରେ ଶ୍ରଦ୍ଧାଳୁ ଆସି ଦଶର୍ନ କରିଥିଲେ। ଅପରାହ୍‌ଣ ୨ଟାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରାଈ ଦାମୋଦର ବେଶ କରାଯାଇଥିଲା। ସେହପରି ମନ୍ଦିରରେ ହବିଷ୍ୟାଳୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହବିଷ୍ୟାଳୀମାନେ ଦିନ ତମାମ ପୂଜା ପାଠ କରିଥିଲେ। ସେମାନେ ଭୋର ୪ଟାରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପାଣି ପିଇଥିଲେ। ଦେହରେ ଓ ମୁହଁରେ ଚିତା ତିଲକ ଲଗାଇ ଭାଗବତ ପାଠ କରିଥିଲେ। ଏହାପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାଇଥିଲେ। ସେମାନେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରି ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିଥିଲେ। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ଆଳତି କରିଥିଲେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ନେଇ ରହୁଥିବା ସ୍ଥାନକୁ ଫେରିଥିଲେ। ରହୁଥିବା ସ୍ଥାନରେ ସନ୍ଧ୍ୟା ଆଳତି କରି ଗୀତା, ଭାଗବତ ପାଠ କରିଥିଲେ।

ଅପରପକ୍ଷରେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଆଜି ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ମନ୍ଦିରକୁ ଆସି ମହାପ୍ରଭୁଙ୍କ ରାଈ ଦାମୋଦର ବେଶ ଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରେ ଦେବୋତ୍ତର ବିଭାଗର କମିସନର, ଡେପୁଟି କମିସନର ଓ ଆସିଷ୍ଟାଣ୍ଟ କମିସନର, ସାଂସଦ ଅମର ପଟ୍ଟନାୟକ, ନାଲ୍‌କୋ ସିଏମଡି ତପନ କୁମାର ଚାନ୍ଦ ପ୍ରମୁଖ ମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର