ମୋ ଡଙ୍ଗା ଭାସିଯା…

ଶ୍ରୀଲିଙ୍ଗରାଜ ସମେତ ବିଭିନ୍ନ ମନ୍ଦିରରେ ଭିଡ଼

ପୁରୁଣା ଭୁବନେଶ୍ୱର: ଆ କା ମା ବୈ…, ପାନ ଗୁଆ ଖାଇ.., ପାନ ଗୁଆ ତୋର.., ମାସକ ଧରମ ମୋର…। ଡଙ୍ଗା ଭସାଇବା ବେଳେ ଧୀର ସ୍ବରରେ ଅନେକଙ୍କ ମୁହଁରୁ ବାହାରି ଆସୁଥିଲା ଏହି ପାରମ୍ପରିକ ପଙ୍କ୍ତି। ହୁଳହୁଳି ସହ ଡଙ୍ଗା ଭସେଇ ହାତ ପାପୁଲିରେ ପାଣିରେ ଆହୁଲା ମାରି ଦେଉଥିଲେ। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ ସହ ପୁଣ୍ୟ ଅର୍ଜନ ପାଇଁ ଗତକାଲି ବିଳମ୍ବିତ ରାତିରୁ ନଦୀ ପୁଷ୍କରିଣୀମାନଙ୍କରେ ପ୍ରବଳ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ରଙ୍ଗ ବେରଙ୍ଗର ସୋଲ, କାଗଜ ଓ କଦଳୀ ପାଟୁଙ୍ଗା ଭସାଇଥିଲେ। ସମଗ୍ର ଏକାମ୍ରକ୍ଷେତ୍ର ଏଥିପାଇଁ ଚଳଚଞ୍ଚଳ ହୋଇଉଠିଥିଲା। ଏଥିସହ ରାଜଧାନୀର ଅନ୍ୟ ପୁଷ୍କରିଣୀରେ ମଧ୍ୟ ଡଙ୍ଗା ଭସା ପାଇଁ ଗତକାଲି ବିଳମ୍ବିତ ରାତିରୁ ଭିଡ଼ ଜମିଥିଲା।

ମନ୍ଦିର ଦର୍ଶନ ପାଇଁ ଭିଡ଼

ସମସ୍ତ ମଠ ମନ୍ଦିରରେ ଶ୍ରଦ୍ଧାଳୁମାନେ ଭୋର୍‌ରୁ ନଦୀ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ଦେବଦେବୀଙ୍କୁ ପୂଜାର୍ଚନା କରିଥିଲେ। ଭୋର ୩ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ସାଢ଼େ ୩ଟାରେ ପହୁଡ଼ ଖୋଲା ହୋଇ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଦର୍ଶନ ଆରମ୍ଭ ହୋଇଥିଲା। ଅପରାହ୍‌ଣ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିଥିଲା। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ଦର୍ଶନ କରିଥିଲେ। ସେହିପରି କେଦାରଗୌରୀ, କପିଳେଶ୍ୱର, ରାମେଶ୍ୱର, ସୂକ୍ଷ୍ମେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର, ଚିନ୍ତାମଣିଶ୍ୱର ମନ୍ଦିର ଆଦିରେ ଭିଡ଼ ଜମିଥିଲା। କୁଆଖାଇ ନଦୀ ଓ ଦୟା ନଦୀର ଘାଟରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ସବୁ ସ୍ଥାନରେ ପୁଲିସ ଓ ଦମକଳ ବାହିନୀ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା।

ପିଲାଙ୍କ ସ୍ମୃତି ଖୋଜିଲେ
ଦିନେ ଦିହେଁ ନିଜ ପିଲାମାନଙ୍କୁ ନେଇ ଏଇ ବିନ୍ଦୁସାଗର କୂଳରେ ଡଙ୍ଗା ଭସାଉଥିଲେ। ଯେବେ କାର୍ତିକ ପୂର୍ଣ୍ଣିମା ଆସୁଥିଲା, ତା ପୂର୍ବଦିନ ପିଲାମାନେ ଏହି ଡଙ୍ଗାଭସାକୁ ଚାହିଁ ବସୁଥିଲେ। ହେଲେ ଆଜି ପିଲା ବଡ଼ ହୋଇଗଲେଣି। ଆଉ ପାଖରେ ନାହାନ୍ତି। ବାହାରେ ରହୁଛନ୍ତି। ମାତ୍ର ଆଜି ଯେବେ ଏଇଠି ଆସି ଡଙ୍ଗା ଭସାଉଛୁ, ପିଲାମାନଙ୍କ କଥା ଭାରି ମନେ ପଡ଼ୁଛି ବୋଲି କହିଛନ୍ତି ବିଶ୍ବଜିତ୍ ଦେ। ଶ୍ରୀ ଦେ ନିଜ ପତ୍ନୀ ମନ୍ଦିରା ଦେଙ୍କ ସହ ଆଜି ବିନ୍ଦୁସାଗରରେ ଡଙ୍ଗା ଭସାଇବା ବେଳେ ଭାବପ୍ରବଣ ହୋଇପଡ଼ିଥିଲେ। ପାଖରେ ପିଲାମାନେ ନଥିଲେ। ଦିହେଁ ସେଲ୍‌ଫି ନେବା ସହ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ପ୍ରତିଟି ପାଦରେ ତାଙ୍କର ସେଇ ପୁରୁଣା ସ୍ମୃତି ମନେ ପଡ଼ି ଯାଉଥିଲା।

୯ଟା ପରେ ହାତ ଟେକି ଦେଲା ପୁଲିସ
ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର, ବାସୁଦେବ ମନ୍ଦିରରେ ଦିନ ତମାମ ଭିଡ଼ ରହିଥିଲା। ତେବେ ଭିଡ଼ରେ ପର୍ଯ୍ୟଟକ ଯିବା ଆସିବାରେ ସମସ୍ୟା ଉପୁଜିଥିଲା। ୯ଟା ପରେ ପୁଲିସ ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଫଳରେ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଭିଡ଼ ଜମିଥିଲା। ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଲାଗି ରହିଥିଲା

ସମ୍ବନ୍ଧିତ ଖବର