ମେଲାଣି ନେଲା କାର୍ତ୍ତିକ, ଆ କା ମା ବୈ, ପାନ ଗୁଆ ଥୋଇ…

ଭୁବନେଶ୍ୱର: ଆ କା ମା ବୈ, ପାନ ଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର…। ଭୋରୁ ଭୋରୁ ସହରର ବିଭିନ୍ନ ନଦୀତୁଠ ଓ ପୁଷ୍କରିଣୀରୁ ଭାସି ଆସୁଥିଲା ଏହି ଗୀତ। ଧର୍ମ ମାସରେ ଧର୍ମ ଅର୍ଜିବା ପରେ ଆଜି କାର୍ତ୍ତିକ ମାସକୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ। ଭୋରୁ ଭୋରୁ ସହରର କୋଣ ଅନୁକୋଣରେ ଥିବା ପୋଖରୀ ଓ ନଦୀତୁଠକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। କିଏ କଦଳୀ ପାଟୁକା ଡଙ୍ଗାରେ ତ’ କିଏ ବଜାରରେ ମିଳୁଥିବା ରଙ୍ଗବେରଙ୍ଗ କାଗଜ ଓ ସୋଲ ତିଆରି ଡଙ୍ଗା ଓ ବୋଇତ ଭସାଇ ଗଣୁଗୁଣୁ ସ୍ୱର ଗାଇ ଯାଉଥିଲେ ‘ଆ କା ମା ବୈ… ଗୀତ। ପୁଣି କେହି କେହି ଗାଉଥିଲେ ଯା’ରେ ଯା’ ଭାସିଯା’ ବୋଇତ ମୋର ଭାସି ଯା’….. ସଙ୍ଗୀତ।

ଏନେଇ ଗତକାଲି ରାତିରୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ହେଉ ଅବା ଧର୍ମ ଅର୍ଜିବା ପାଇଁ ଉତ୍ସୁକ ଥିଲେ ଶ୍ରଦ୍ଧାଳୁ। ଆଲୋକମାଳାରେ ଝଲସୁଥିଲା ତୁଠ, ମଠ ଓ ମନ୍ଦିର। ଲାଗିଥିଲା ଡଙ୍ଗା ବିକାଳିଙ୍କ ଭିଡ଼। ରାଜଧାନୀକୁ ଆଧୁନିକତା କବଳିତ କରିଥିଲେ ବି ସହରିଆ ଯେ ଉତ୍କଳୀୟ ପରମ୍ପରାକୁ ଭୁଲି ନାହାନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଥିଲା ଆଜି ପୁଷ୍କରିଣୀ ନିକଟର ଗହଳଚହଳ। ଆଜି ପବିତ୍ର କାର୍ତ୍ତିକ ମାସର ଅନ୍ତ ସହ ଗଣେଶ ପୂଜାରୁ ଆରମ୍ଭ ପାର୍ବଣ ଋତୁରେ ବିରାମ ଲାଗିଛି।

ହଜି ନାହିଁ କଦଳୀ ପାଟୁକା ଡଙ୍ଗା
ପ୍ରାଚୀନ କାଳରେ ଏ ଦିନରେ କଦଳୀ ପାଟୁକା ଡଙ୍ଗା ଭସାଯିବାର ପରମ୍ପରା ଥିଲା। ଧୀରେ ଧୀରେ କାଗଜ ଓ ସୋଲ ଡଙ୍ଗା ଆସିବା ତଥା କଦଳୀ ଗଛର ଅଭାବ ଫଳରେ କୃତ୍ରିମ ଡଙ୍ଗା ଚାହିଦାରେ ରହିଛି। କିନ୍ତୁ ଏହା ସତ୍ତ୍ବେ ଆଜି ସମସ୍ତ ପୁଷ୍କରିଣୀରେ ଶହ ଶହ ସଂଖ୍ୟାରେ କଦଳୀ ପାଟୁକା ଡଙ୍ଗା ଦେଖିବାକୁ ମିଳିଥିଲା। ଚିନ୍ତାମଣିଶ୍ୱର ମନ୍ଦିର, ବିନ୍ଦୁସାଗର ହେଉ ବା କୁଆଖାଇ ଓ ଦୟା ନଦୀରେ ଲୋକମାନେ ସୋଲ ଓ କାଗଜ ତିଆରି ଡଙ୍ଗା ସହ କଦଳୀ ପାଟୁକାକୁ ସୁନ୍ଦର ଭାବେ ସଜାଇ ଭସାଇଥିଲେ। ପ୍ରାୟ ମନ୍ଦିର ପୁଷ୍କରିଣୀ ସମ୍ମୁଖରେ କଦଳୀ ପାଟୁକା ଡଙ୍ଗା ୩୦-୫୦ ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ ବିକ୍ରି ହେଉଥିଲା। ଚଢ଼ା ଦର ସତ୍ତ୍ବେ ଲୋକେ ଏହାକୁ କିଣୁଥିବା ଦେଖିବାକୁ ମିଳିଥିଲା।

ମନେ ପଡ଼ିଲେ ସାଧବ ପୁଅ
ଆ..କା..ମା ବୈ.. ଉଚ୍ଚାରଣ ଓ ହୁଳହୁଳି ଧ୍ୱନିରେ ଆଜି ରାଜଧାନୀର ବିଭିନ୍ନ ପବିତ୍ର ଜଳାଶୟ ପ୍ରକମ୍ପିତ ହେଉଥିଲା। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ବଞ୍ଚେଇ ରଖିବା ଏବଂ ପୁଣ୍ୟ ଅର୍ଜନ ପାଇଁ ଆଜି ବ୍ରାହ୍ମ ମୁହୂର୍ତରୁ ଆବାଳବୃଦ୍ଧବନିତା ରାଜଧନୀର ବିଭିନ୍ନ ଜଳାଶୟରେ ସ୍ନାନାଦି ନିତ୍ୟକର୍ମ ଶେଷ କରି ଡଙ୍ଗା ଭସାଇଥିଲେ। ଶ୍ରଦ୍ଧାଳୁମାନେ ରଙ୍ଗବେରଙ୍ଗର ସୋଲ, କାଗଜ ଓ କଦଳୀ ପାଟୁକା ଡଙ୍ଗାରେ ଦୀପ ଜାଳି, ଅରୁଆ ଚାଉଳ, ଫୁଲ ପକାଇ ବନ୍ଦାପନା କରି ସାଧବ ପୁଅଙ୍କୁ ମନେ ପକାଇଥିଲେ।

ସମ୍ବନ୍ଧିତ ଖବର