ବାଲିପାଟଣା: ସିନ୍ଦୁରା ଫାଟିବା ପୂର୍ବରୁ ଆରମ୍ଭ ହୋଇଯାଉଛି କୋଳାହଳ। ବୟସର ଅପରାହ୍ଣରେ ପହଞ୍ଚିସାରିଥିବା ବୃଦ୍ଧା ତଥା ବୟସ୍କ ମହିଳାମାନେ ଶୀତକୁ ଖାତିର ନକରି ନିତ୍ୟକର୍ମ ସାରି ଗାଧୋଇ ପଡ଼ୁଛନ୍ତି। ଏହାପରେ କିଏ ଚଉରା ମୂଳେ ମୁରୁଜ ଧରି ବସିପଡ଼ି ଶ୍ରୀ ଜଗନ୍ନାଥ ଓ ରାଇଦାମୋଦରଙ୍କ ପ୍ରତିମା ଆଙ୍କି ଚାଲିଛି ତ କିଏ ସହଯୋଗ କରୁଛି। କିଏ ପୁରାଣ ବହି ବାହାର କରି ବସୁଛି ତ କିଏ ତୁଳସୀ ଗଛରେ ଫୁଲ ସଜାଇ ଦେଉଛି। ସବୁରି ମୁହଁରେ ଖୁସି। ସଜଡ଼ାସଜଡ଼ି ସରିବା ପରେ ଚାଲୁଛି ଗୀତ ପଢ଼ା ଓ ପାଳି ଧରା। ମଝିରେ ମଝିରେ ହୁଳହୁଳି ପଡ଼ୁଛି। ହୁଳହୁଳି ଶବ୍ଦରେ କମ୍ପୁଛି ପୂଜାସ୍ଥଳ। ଏମିତି ଏକ ଭାବମୟ ପରିବେଶକୁ ଦେଖିବାକୁ ବି ଜମୁଛି ସ୍ଥାନୀୟ ଲୋକଙ୍କ ଭିଡ଼। ଏହା ହେଉଛି ବାଲିପାଟଣା ବ୍ଲକ ବନମାଳୀପୁର ନିକଟ ପବିତ୍ର ପ୍ରାଚୀ ନଦୀ ତଟ ଅନ୍ତର୍ବେଦି ପୀଠର ଦୃଶ୍ୟ। ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ୧୧୦ ହବିଷ୍ୟାଳି ଏଠାରେ ରହି ବ୍ରତ ପାଳନ କରୁଛନ୍ତି। 

Advertisment

ପ୍ରାୟ ୧୦/୧୨ ବର୍ଷ ହେଲା ଏଠାରେ ହବିଷ୍ୟାଳିମାନେ ଏକାଠି ହୋଇ ବ୍ରତ ପାଳନ କରୁଛନ୍ତି। ଅନ୍ତର୍ବେଦି ସାଂସ୍କୃତିକ ପରିଷଦ ଏଭଳି ଏକ ବଡ଼ ସୁନ୍ଦର ପଦକ୍ଷେପ ନେଇଛି। ପରିଷଦ ପକ୍ଷରୁ ହବିଷ୍ୟାଳିମାନଙ୍କ ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି।  ସେମାନଙ୍କ ରହଣିଠାରୁ ପୂଜାର୍ଚ୍ଚନା ପର୍ଯ୍ୟନ୍ତ ସବୁ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉଛି। ପରିଷଦର ନିଷ୍ଠା ଓ ସେବା ପାଇଁ ବର୍ଷକୁ ବର୍ଷ ହବିଷ୍ୟାଳିଙ୍କ ସଂଖ୍ୟା ବଢ଼ୁଛି। ଚଳିତ ବର୍ଷ ୧୧୦ ହବିଷ୍ୟାଳି ଏକାଠି ରହିଛନ୍ତି ଏବଂ ପରିଷଦର ସମସ୍ତ ସଦସ୍ୟ ତଥା ସ୍ଥାନୀୟ ‌ଲୋକେ ସେମାନଙ୍କୁ ସହଯୋଗ କରୁଛନ୍ତି। ନିମାପଡ଼ା, ଅସ୍ତରଙ୍ଗ, କାକଟପୁର, ନୂଆହାଟ, ଚାରିଛକ, ନିଆଳି, ଅଡ଼ଶପୁର, ଗୋବିନ୍ଦପୁର, ଜଗତସିଂହପୁର, ବାଲିପାଟଣା, ବାଲିଅନ୍ତା, ଭିଙ୍ଗାରପୁର, ବୁଦ୍ଧିପଡ଼ା ଓ ବାଳକାଟି ଆଦି ଅଞ୍ଚଳରୁ ହବିଷ୍ୟାଳିମାନେ ଏକାଠି ଅଛନ୍ତି। ରାତି ପାହିବା ପୂର୍ବରୁ ସେମାନେ ନିତ୍ୟକର୍ମ ସାରି ତୁଳସୀ ଚଉରା ବେଢ଼ା ପରିକ୍ରମା କରୁଛନ୍ତି। ଏହାପରେ ଅନ୍ତର୍ବେଦି ପୀଠର ଆରାଧ୍ୟ ପ୍ରଭୁ ଅନ୍ତର୍ଯ୍ୟାମୀ ନାଥଙ୍କ ସହ ଅନ୍ୟ ଦେବଦେବୀଙ୍କ ଦର୍ଶନ କରୁଛନ୍ତି। ଚଉରା ମୂଳେ ବସି କାର୍ତ୍ତିକ ମାହାତ୍ମ୍ୟ, ଶ୍ରୀକୃଷ୍ଣ ଚରଣାବୃତ୍ତ, ଗୀତା, ଭାଗବତ, ବିଷ୍ଣୁ ସହସ୍ର ନାମ ପାଠ କରୁଛନ୍ତି। ଦିନତମାମ ଏମିତି ଜପତପ ଚାଲୁଛି ଏବଂ ସଂଜ ବୁଡ଼ୁବୁଡ଼ୁ ଆକାଶ ଦୀପ ଉଠୁଛି। ବଡ଼ କଥା ହେଉଛି, ଧର୍ମ ମାସ କାର୍ତ୍ତିକ ଆରମ୍ଭରୁ ଅନ୍ତର୍ବେଦି ପୀଠରେ ସୃଷ୍ଟି ହୋଇଛି ଏକ ନିଆରା ଭାବମୟ ପରିବେଶ। ହବିଷାନ୍ନର ମହକରେ ଏହି ପୀଠ ଯେମିତି ମହମହ ବାସୁଛି, ପୁରାଣ ପଠନ ଓ ହୁଳହୁଳି ଶବ୍ଦରେ ‌ସେମିତି କୋଳାହଳମୟ ହୋଇଉଠୁଛି।