ପୁରୁଣା ଭୁବନେଶ୍ବର: ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋ’ର, ମାସକ ଧରମ ମୋର। କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ରାତିର ପାହାନ୍ତି ପହରରେ ଓଡ଼ିଶାର ପୁରପଲ୍ଲୀରେ ନଈ, ପୋଖରୀ କୂଳରେ ଗୁଞ୍ଜରିତ ହେବ ଏଇ ପଦ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସବୁରି ମୁହଁରେ ଏଇ ପଦ ଗୁଣୁଗୁଣୁ ହେବ। ପ୍ରାଚୀନ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟକୁ ମନେପକାଇ ସମସ୍ତ ଓଡ଼ିଆ ପ୍ରତୀକାତ୍ମକ ବୋଇତ ବନ୍ଦାଣ କରିବେ। ଏହା ସମଗ୍ର ଓଡ଼ିଆ ଜାତିର ଅନ୍ୟତମ ପରମ୍ପରା। ସମ୍ପ୍ରତି ରାଜଧାନୀରେ ଏହାକୁ ମହାସମାରୋହରେ ପାଳନ କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏବେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ଉତ୍ସବ ଭାବେ ପାଳନ କରାଗଲାଣି। ରାଜଧାନୀରେ ଦୁଇ ଦୁଇଟି ଜାଗାରେ କୁଆଖାଇ ନଦୀପଠ‌ାରେ ବାଲିଯାତ୍ରା ପାଳନ କରାଯାଉଛି। ତେବେ ଏକାମ୍ର କ୍ଷେତ୍ରରେ ପବିତ୍ର ବିନ୍ଦୁସାଗର‌ରେ ଡଙ୍ଗା ଭସା ବହୁ ପୁରୁଣା। ହବିଷ୍ୟାଳିଙ୍କଠାରୁ ଆରମ୍ଭ କରି ସମଗ୍ର ରାଜଧାନୀବାସୀ ଏହି ପବିତ୍ର ପୁଷ୍କରିଣୀ ବିନ୍ଦୁସାଗରରେ ଡଙ୍ଗା ଭସାଇବାକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି।  

Advertisment

ଏବେ କିଛି ଅନୁଷ୍ଠାନ ରାତି ଉଜାଗର ରହି ବୋଇତ ବନ୍ଦାଣ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ସୋମବାର ଭୋର୍ ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ଆୟୋଜନ କରାଯାଇଛି। ବୋଇତ ବନ୍ଦାଣ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛି ୧୪ ଫୁଟ୍‌ ଲମ୍ବ ଓ ୮ଫୁଟ୍‌ ଉଚ୍ଚତାର ମୟୂରାକୃତି ଡଙ୍ଗା। ଏହି ସୁନ୍ଦର ଡଙ୍ଗା ସେଦିନ ରାତିରେ ବିନ୍ଦୁସାଗରରେ ଆକର୍ଷଣ ସାଜିବ। ନଳାମୁହଁ ସାହିର ହୃଷୀକେଶ ବେହେରା ଏହି ଡଙ୍ଗା ତିଆରି କରୁଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ସୌଦାମିନୀ ସାମଲ। ଏହି ଡଙ୍ଗା ତିଆରି ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ବୋଲି ଶିଳ୍ପୀ ହୃଷୀକେଶ କହିଛନ୍ତି। ଗତବର୍ଷ ସେମାନେ ହଂସ ଆକୃତିର ଡଙ୍ଗା ତିଆରି କରିଥିଲେ। ଚଳିତବର୍ଷ ମୟୂର ଆକୃତିର ବୋଇତ ତିଆରି କରୁଛନ୍ତି। ସେହି ବୋଇତରେ ରହିବେ ସାଧବ ସାତ ପୁଅ। ସାଧବ ସାତ ଭାଇଙ୍କ ମଡେଲ୍ ମଧ୍ୟ ତିଆରି କରାଯାଉଛି, ଯାହାକି ନଡ଼ାରେ ପ୍ରସ୍ତୁତ କରାଯାଉଛି। ୨୦୦୫ ମସିହାରୁ ତାଙ୍କ ହାତ ତିଆରି ଏଭଳି ବୋଇତ ବିନ୍ଦୁସାଗରରେ ଭାସୁଛି ବୋଲି ହୃଷୀ‌କେଶ କହିଛନ୍ତି। ବୋଇତ ବନ୍ଦାଣ ସରିବା ପରେ ମଧ୍ୟ ଦୁଇଦିନ ପର୍ଯ୍ୟନ୍ତ ବିନ୍ଦୁସାଗର କୂଳ‌ରେ ଏହି ଡଙ୍ଗା ସାଧାରଣ ଲୋକଙ୍କ ଦେଖିବା ପାଇଁ ରହିବ ଏବଂ ପରେ ଭାଙ୍ଗି ଦିଆଯିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଦେବୟୁଗ୍ ପରିବାର ପକ୍ଷରୁ ମଧ୍ୟ ବିନ୍ଦୁସାଗରରେ ଭସାଇବା ପାଇଁ ଆଉ ଏକ ଡଙ୍ଗା ପ୍ରସ୍ତୁତ କରାଯାଇଛି। ଏହି ଡଙ୍ଗାକୁ ମଧ୍ୟ କାରିଗର ହୃଷୀକେଶ ତିଆରି କରୁଛନ୍ତି। ଏହି ଡଙ୍ଗା ହଂସ ଆକୃତିର ରୂପ ନେଉଛି। ୬ ଫୁଟ୍ ଲମ୍ବ ଓ ୪ ଫୁଟ୍ ଉଚ୍ଚତାର ଏହି ହଂସାକୃତି ଡଙ୍ଗା ମଧ୍ୟ ଅନ୍ୟତମ ଆକର୍ଷଣ ହେବ। 

ଡଙ୍ଗା ଗଢ଼ିବାରେ ବ୍ୟସ୍ତ କାରିଗର
ନଳାମୁହଁସାହିର କାରିଗର ବିଜୟ ବେହେରାଙ୍କ କହିବା କଥା ଏହି ଡଙ୍ଗା ଭସାଣ ପ୍ରଥାଟି ଓଡ଼ିଆ ଜାତିର ପ୍ରତୀକ। ଘରେ ଘରେ ସମସ୍ତେ ନଈ, ପୋଖରୀରେ ଡଙ୍ଗା ଭସାଇବେ। ପୂର୍ବରୁ କଦଳୀ ପାଟୁକାରେ ଜଳନ୍ତା ଘିଅ ସଳିତା ରଖି ଲୋକେ ପାଣିରେ ଭସାଇ ଦେଉଥିଲେ। ସେଥିରେ ପାନଗୁଆ ରଖୁଥିଲେ। କିନ୍ତୁ ପରେ ବିଭିନ୍ନ ରଙ୍ଗିନ କାଗଜ ଓ ସୋଲରେ ତିଆରି ଡଙ୍ଗା ବଜାରରେ ବିକ୍ରି ହେଲା। କାରିଗରମାନେ କାଗଜ ଓ ସୋଲ ତିଆରି ଡଙ୍ଗାରେ ଚୁମ୍‌କି, ଲେସ୍‌, ରଙ୍ଗ, ଜରି ଓ ଛୋଟଛୋଟ ରଙ୍ଗିନ ପଥର ଲଗାଇ ତାକୁ ଅଧିକ ଆକର୍ଷଣୀୟ ରୂପ ଦେଉଛନ୍ତି। ପୁରୁଣା ପ୍ରଥାନୁସାରେ ଲୋକେ କଦଳୀ ପାଟୁକା ଭସାଇବା ସହ ରଙ୍ଗିନ ସୋଲ ଡଙ୍ଗା ବି ଭସାଉଛନ୍ତି। ଏବେ ସାଇଜ୍‌ ଅନୁସାରେ କାଗଜଡଙ୍ଗାର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ କରି ଦେଢ଼ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରତିବର୍ଷ ୩ ଶହ ପାଖାପାଖି ଡଙ୍ଗା କରିପାରନ୍ତି। ଚଳିତ ବର୍ଷ ସେ ଅସୁସ୍ଥ ଥିବାରୁ ପାଖାପାଖି ଦେଢ଼ ଶହ ସୋଲଡଙ୍ଗା ତିଆରି କରିଛନ୍ତି ବୋଲି କହିଛନ୍ତି। ପୂର୍ବରୁ ସେ ଶ୍ରାବଣ ମାସରୁ ଘରେ ଡଙ୍ଗା ତିଆରି କରୁଥିଲେ। ଚଳିତବର୍ଷ ସେ ମହାଳୟା ଦିନରୁ ଆରମ୍ଭ କଲେଣି। ବିନ୍ଦୁସାଗର ଓ ବୋଇତ ବନ୍ଦାଣ ପ୍ରଥା ତାଙ୍କ ଭଳି କିଛି କାରିଗର ପରିବାରକୁ କିଛି ରୋଜଗାର ଦେଇଛି ବୋଲି ବିଜୟ ପ୍ରଭୁ ଲିଙ୍ଗରାଜଙ୍କୁ ଧନ୍ୟବାଦ ଦିଅନ୍ତି। ସେହିଭଳି ପୁନାମା ଗେଟ୍‌ ପାଖ ସାହି ଓ ନାଗେଶ୍ବର ଟାଙ୍ଗିର କିଛି ପରିବାର ମଧ୍ୟ ଡଙ୍ଗା ତିଆରି କରି ବିକନ୍ତି।    

ଡଙ୍ଗା ପାଇଁ ମହଙ୍ଗା ନଡ଼ା, ବାଉଁଶ 
ଆଜିକାଲି ସବୁ ଜିନିଷର ଦରଦାମ ବଢ଼ିଛି। ବଜାରରେ ପ୍ରତ୍ୟେକ ଜିନିଷ ମହଙ୍ଗା। ତେଣୁ ଡଙ୍ଗା କାରିଗରଙ୍କ ପାଇଁ ନଡ଼ା ଓ ବାଉଁଶ ଦର ବଢ଼ିଛି। ତଥାପି ଆବଶ୍ୟକ ମୁତାବକ ନଡ଼ା, ବାଉଁଶ ମିଳୁନାହିଁ। ଗତବର୍ଷ ନଡ଼ା ବିଡ଼ାକୁ ୬ ଟଙ୍କା ପଡ଼ୁଥିଲା।  ଚଳିତ ବର୍ଷ ୧୨ ଟଙ୍କାରେ କିଣିବାକୁ ପଡ଼ୁଛି। ସେହଭଳି ବାଉଁଶ ଗୋଟାକୁ ତିନି ଶହ ଟଙ୍କା ହେଲାଣି। ସେହି ଅନୁସାରେ ଡଙ୍ଗା ଦର ବଢ଼ାଇଲେ, ଲୋକଙ୍କ ପସନ୍ଦ ହେବ ନାହିଁ। ତେଣୁ ଏବେ ଡଙ୍ଗା ତିଆରିରୁ ଭଲ ଦିପଇସା ରୋଜଗାର କରିବା ସମ୍ଭବ ହେଉନାହିଁ। ଏଥିପାଇଁ ପିଲାମାନେ ବି ଏହି କାମ ପ୍ରତି ବିମୁଖ ହେଲେଣି।