ବାରଙ୍ଗ: ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ମହୋତ୍ସବର ଭସାଣି କାର୍ଯ୍ୟକ୍ରମ ଆଜି ଆନନ୍ଦ ଉଲ୍ଲାସରେ ଉଦ୍‌ଯାପିତ ହୋଇଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟ ଭସାଣିରେ ୧୨ରୁ ଅଧିକ ମେଢ଼ ସାମିଲ ହୋଇଥିଲା। ଆଜି ୧୧ମେଢ଼ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିପାଇଁ ତ୍ରିଶୂଳିଆ ଛକରୁ ବାରଙ୍ଗ ଡାକ୍ତରଖାନା ପର୍ଯ୍ୟନ୍ତ ରାସ୍ତାରେ ପାରମ୍ପରିକ ବାଦ୍ୟ, ରୋଶଣି ଓ ଶୋଭାଯାତ୍ରାର ବିଭିନ୍ନ ଆଇଟମ୍‌ ଭସାଣି ଦର୍ଶକଙ୍କୁ ଟାଣି ଆଣିଥିଲା। ଆଜି ମଧୁପୁର, ମଧୁବନ, କୃଷ୍ଣଚନ୍ଦ୍ରପୁର ବାରିକସାହି, ତ୍ରିଶୂଳିଆ(ଖ), ଫକୀରପଡ଼ା, ବେଲଗଛିଆ, ନରଣପୁର, ଗୋଠପୁର, ତ୍ରିଶୂଳିଆ(କ), ମୁଣ୍ଡମୁହାଣ ଆଦି ବଡ଼ବଡ଼ ମଣ୍ଡପର ମେଢ଼ ସ୍ବତନ୍ତ୍ର ଭାବେ ବିଶାଳ ଶୋଭାଯାତ୍ରା ଆୟୋଜନ କରିଥିଲେ। 

Advertisment

ସନ୍ଧ୍ୟା ୬ଟା ସୁଦ୍ଧା ମେଢ଼ ଓ ଶୋଭାଯାତ୍ରା ତ୍ରିଶୂଳିଆ ଛକ ଅତିକ୍ରମ କରି ବାରଙ୍ଗ ଥାନା ଆଡ଼କୁ ଧାଡ଼ିରେ ଚାଲିଥିଲେ। ପରମ୍ପରା ଅନୁସାରେ ବାରଙ୍ଗ ଥାନା ପାଖରେ ବାରଙ୍ଗ ଅଞ୍ଚଳିକ ଶାନ୍ତି କମିଟି ତରଫରୁ ପ୍ରତ୍ୟକ ମେଢ ମୁରବିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକାରୀ ସଭାପତି ଅଶୋକ ଚନ୍ଦ୍ର ରାଉତ, ସମ୍ପାଦକ ସୁରେଶ ମହାନ୍ତି, ଉପସଭାପତି ବିଜୟ କୁମାର ପଣ୍ଡା, ସଂଗ୍ରାମ କେଶରୀ ମହାପାତ୍ର, ତପନ କୁମାର ସେଠୀ, ଅରୁଣ କୁମାର ସାହୁ, ସୁରେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ମିଶ୍ର ପ୍ରମୁଖ ମେଢ଼ ମୁରବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ଭାବେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ, ବାରଙ୍ଗ ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ଦଳାଇ, ନାରୀନେତ୍ରୀ ସୁମିନା ପ୍ରଧାନ, ନରାଜ ସରପଞ୍ଚ ଗୀତାଞ୍ଜଳି ସାହୁ, ଦାଢ଼ାପାଟଣା ସରପଞ୍ଚ ଦିଲୀପ ବେହେରା, ପୂର୍ଣ୍ଣଚନ୍ଦ୍ର ଛାଟୋଇ ଉପସ୍ଥିତ ଥିଲେ। ବାରଙ୍ଗ ୪୮ ମଣ୍ଡଳ ବାଲିଯାତ୍ରା ନାମ ସଂକୀର୍ତ୍ତନ କମିଟି ତରଫରୁ ମହନ୍ତ ଡ. ମନ୍ମଥ କୁମାର ପାଣି, ଅଧିକାରୀ ଦିଲୀପ କୁମାର ସାମନ୍ତରାୟ ଓ ପୂର୍ବତନ ମହନ୍ତ ଡ. କିଶୋର ଚନ୍ଦ୍ର ପାଣି ପ୍ରମୁଖ ମେଢ଼ମାନଙ୍କୁ ଭୋଗ ହାଣ୍ଡି ଅର୍ପଣ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା ଲାଗି କଟକ ଡିସିପି ଋଷିକେଶ ଖିଲାରୀ, ଏଡିସିପି ଅମରେନ୍ଦ୍ର ପଣ୍ଡା ଓ ସୁଦର୍ଶନ ଦାସ, ଏସିପି ଶଶିକାନ୍ତ ରାଉତଙ୍କ ସମେତ ୬ଜଣ ଏସିପି, ୨ ଜଣ ଅତିରିକ୍ତ ଏସିପି, ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ।