ଭୁବନେଶ୍ବର: ଖ୍ୟାତାନାମା ଶିକ୍ଷକ ତଥା ଶିଶୁ ସାହିତ୍ୟିକ କାଶୀନାଥ ନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶିକ୍ଷାସନ୍ଧାନ ପକ୍ଷରୁ ଏକ ସଭା ଆଜି ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ବର୍ଗତ ନାୟକଙ୍କ ଆତ୍ମଜୀବନୀ ‘ଶିକ୍ଷକର ଜୀବନସ୍ମୃତି’ର ଶତବାର୍ଷିକୀ ସଂସ୍କରଣ ଉନ୍ମୋଚିତ ହୋଇଛି। ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ କହିଲେ, ସ୍ବର୍ଗତ ନାୟକ କେବଳ ଜଣେ ଆଦର୍ଶ ଶିକ୍ଷକ ନଥିଲେ, ଜଣେ ଦକ୍ଷ ସଙ୍ଗଠକ ଓ ଲେଖକ ମଧ୍ୟ ଥିଲେ। ବିଦ୍ୟାର୍ଥୀଙ୍କୁ ବେତରେ ଶାସନ କରିବା ବଦଳରେ ସ୍ନେହର ଭାଷାରେ ବୁଝାଉଥିଲେ। ବିଦ୍ୟାଳୟରେ ପାଠପଢ଼ା ସାଙ୍ଗକୁ ପାରିପାର୍ଶ୍ବିକ ପରିବେଶ ପ୍ରତି ମଧ୍ୟ ବେଶ୍‌ ଧ୍ୟାନ ଦେଉଥିଲେ। ଗ୍ରାମାଞ୍ଚଳର ଡ୍ରପ୍‌-ଆଉଟ ପିଲାଙ୍କ ଅଭିଭାବକଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଓ ଶିକ୍ଷାର ମହତ୍ତ୍ବ ବିଷୟରେ ସେ ପରାମର୍ଶ ଦେଉଥିଲେ। ଯେଉଁ ବିଦ୍ୟାଳୟକୁ ଯାଉଥିଲେ, ସେଠାରେ ସେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଉଥିଲେ ବୋଲି ଶ୍ରୀ ଦାସ କହିଥିଲେ।

Advertisment

ଏହି ଅବସରରେ ପ୍ରଫେସର୍‌ ପ୍ରୀତୀଶ ଆଚାର୍ଯ୍ୟ ଆତ୍ମଜୀବନୀ ପୁସ୍ତକର ସମୀକ୍ଷା କରି କହିଲେ, ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଆତ୍ମଜୀବନୀ ନିହାତି ଭାବେ ସମସ୍ତ ଛାତ୍ର ଓ ଶିକ୍ଷକ କୁଳକୁ କିଛି ନା କିଛି ଶିକ୍ଷାର ଉପାଦାନ ଯୋଗାଇବ। ସମସ୍ତଙ୍କ ଜୀବନର କିଛି କାହାଣୀ ଥାଏ। ଯିଏ ଲେଖିପାରିଲା, ତା’ର ସୃଜନଶୀଳତାରେ ଅନ୍ୟକୁ ନିଜ ଜୀବନ କାହାଣୀ କହିବା ସହ ପ୍ରେରଣା ବି ଯୋଗାଇ ପାରିଲା। ସ୍ବର୍ଗତ ନାୟକଙ୍କ ଲେଖାରେ ତାଙ୍କ ସୃଜନଶୀଳତାର ଝଲକ ଦେଖିବାକୁ ମିଳେ। ସୃଜନଶୀଳତାର ଅଭାବ ହୋଇଥିଲେ, ହୁଏ ତ ଏହା ସୁଖପାଠ୍ୟ ହୋଇନଥାନ୍ତା। ସ୍ବର୍ଗତ ନାୟକ ଏଭଳି ଶିକ୍ଷକ ଥିଲେ ଯିଏ କି ଶିକ୍ଷା ବ୍ୟବସ୍ଥାକୁ ଶିକ୍ଷାକୈନ୍ଦ୍ରିକ ନ କରି ବିଦ୍ୟାର୍ଥୀକୈନ୍ଦ୍ରିକ କରିବାକୁ ଉଦ୍ୟମ କରିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ସୁଧାଂଶୁ ଭୂୟାଁ ଯୋଗଦେଇ ଏହି ପୁସ୍ତକ ସମାଜର ସବୁ ବର୍ଗ ପାଇଁ ଉପାଦେୟ ହେବ ବୋଲି କହିଥିଲେ। ଶିକ୍ଷାସନ୍ଧାନର ସଦସ୍ୟ ସମ୍ପାଦକ ଅନିଲ ପ୍ରଧାନ ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।