ଭୁବନେଶ୍ୱର : ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିବା ଭୁବନେଶ୍ୱର ଏମ୍‌ସ ଛାତ୍ର କଶ୍ମୀରର ସୋହେଲ୍‌ ଆଇଜାଦକୁ ଜମ୍ମୁକଶ୍ମୀର, ପଶ୍ଚିମବଙ୍ଗ ଓ ଓଡ଼ିଶା ପୁଲିସ ଖୋଜୁଛନ୍ତି। ବିଶେଷ କରି ଜମ୍ମୁକଶ୍ମୀର ପୁଲିସ ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ବାବଦରେ ଛାନ୍‌ଭିନ୍‌ ଜାରି ରଖିଥିଲେ ବି ସାମାନ୍ୟତମ ସୁରାକ୍‌ ମିଳିନାହିଁ। ସେହିଭଳି ସୋହେଲ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ନମ୍ବର, ମୋବାଇଲ୍‌ କଲ୍‌ ରେକର୍ଡ ମଧ୍ୟ ସେଭଳି କିଛି ଆଶଙ୍କା କଲା ଭଳି ସଂକେତ ଦେଇନାହିଁ। ତେଣୁ ପାଠପଢ଼ାକୁ ନେଇ ମାନସିକଭାବେ ବିବ୍ରତ ହୋଇ ପଡ଼ି ସୋହେଲ କୌଣସିଠାରେ ଆତ୍ମଗୋପନ କରିଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ତେଣୁ ହାଓ୍ଵଡ଼ାରୁ ଫେରିବା ପରେ କମିସନରେଟ୍‌ ପୁଲିସର ଅନ୍ୟ ଏକ ଟିମ୍‌ ଚଣ୍ଡୀଗଡ଼ ଯିବା ଯୋଜନା କରୁଥିବା ସୂଚନା ମିଳିଛି। ଚଣ୍ଡୀଗଡ଼ରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଛୁଟି ନେଇଥିବାରୁ ପୁଲିସ ଏଭଳି ଏକ ପଦକ୍ଷେପ ନେବାକୁ ଚିନ୍ତା କରୁଛି। ମିଛ କହିଥିଲେ, ସେ ଦିଲ୍ଲୀ କିମ୍ବା ନିଜ ରାଜ୍ୟ ଜମ୍ମୁକଶ୍ମୀରର କୌଣସି ସହର କଥା କହି ପାରିଥାଆନ୍ତେ। ଚଣ୍ଡୀଗଡ଼ କଥା ଉଠିଛି ଅର୍ଥ କିଛି ନା କିଛି ଲିଙ୍କ୍‌ ରହିଛି ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ଚଣ୍ଡୀଗଡ଼ରୁ ହୁଏତ କିଛି ସୁରାକ୍‌ ମିଳିବ ବୋଲି ପୁଲିସ ଆଶାବାଦୀ। ମାତ୍ର ଛାତ୍ରାବାସରେ ସୋହେଲ୍‌ ଛାଡ଼ି ଯାଇଥିବା ଚିଠିର ସେଇ ଶେଷ ପଦ ‘ଆଇ କୁଇଟ୍‌’ ସମସ୍ତଙ୍କୁ ପ୍ରହେଳିକାରେ ପକାଉଛି।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୋହେଲ୍‌ଙ୍କ ବାପା

ଆଜି ରାଜଧାନୀରେ ମାଓ ପୋଷ୍ଟର ଲଗା ଯିବା ଓ ସେଥିରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଚର୍ଚ୍ଚା ହେବା ପରେ ସୋହେଲ୍‌ଙ୍କ ବାପା ଏଜାଜ୍‌ ଅହମ୍ମଦ ଓ ଭାଇ ମୁଶାରଫ୍‌ ଆଇଜାଦ୍‌ ପ୍ରଥମେ ଖଣ୍ଡଗିରି ଥାନା ଅଧିକାରୀ ଓ ପରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଭେଟିଥିଲେ। ମାଓବାଦୀଙ୍କ ଅପହରଣ ବାବଦରେ ସେମାନେ ପୁଲିସ ସହ ଆଲୋଚନା କରିଥିଲେ। ପରେ ସେମାନେ ଏଭଳି ଘଟଣା ସହ ସୋହେଲ ନିଖୋଜ ହେବା ଘଟଣାର ତାଳମେଳ ନଥିବା ଭାବୁଛନ୍ତି ବୋଲି ଜଣାଇଥିଲେ। କିନ୍ତୁ ଓଡ଼ିଶାରେ ମାଓବାଦୀଙ୍କ ସ୍ଥିତି ବାବଦରେ ସେମାନଙ୍କର କୌଣସି ଜ୍ଞାନ ନଥିବାରୁ କିଛିଟା ସନ୍ଦେହ ରହୁଛି ବୋଲି ମଧ୍ୟ କହିଥିଲେ। ସୋହେଲ୍‌ଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ ବିଭିନ୍ନ ପଦକ୍ଷେପ ନେଇଥିଲେ ବି ଦୀର୍ଘ ୨୫ ଦିନ ବିତି ଯାଇଥିବାରୁ ପୁଲିସ ଅଧିକ କିଛି କରୁ ବୋଲି ସେମାନେ କହିଥିଲେ। ଜମ୍ମୁକଶ୍ମୀର, ପଶ୍ଚିମବଙ୍ଗ ଓ ଓଡ଼ିଶାର ପୁଲିସ ସୋହେଲଙ୍କୁ ଖୋଜୁଥିଲେ ବି ସୋହେଲର ପତ୍ତା ମିଳିନଥିବାରୁ ବାପା ଏଜାଜ୍‌ଙ୍କ ମନରେ ଦିନକୁ ଦିନ ପୁଲିସ ପ୍ରତି ଆସ୍ଥା ତୁଟି ଯାଉଥିବା ସେ କହିଛନ୍ତି। ଓଡ଼ିଶା ପୁଲିସ ଡିଜିଙ୍କୁ ସାକ୍ଷାତ କରିପାରି ନଥିଲେ ମଧ୍ୟ ସେମାନେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି।