ଭୁବନେଶ୍ବର : ୪ ଦଫା ଦାବି ନେଇ ଗତ ୨୮ ତାରିଖରୁ ଲୋୟର ପିଏମ୍ଜିରେ ଧାରଣାରେ ବସିଥିବା କସ୍ତୁରବା ବାଳିକା ବିଦ୍ୟାଳୟ କର୍ମଚାରୀ ସଂଘର ଧାରଣା ଆଜି ୧୫ ଦିନରେ ପହଞ୍ଚିଛି। ତେବେ ଆଜି ସଂଘ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କର୍ମଚାରୀ ଧାରଣାସ୍ଥଳାରୁ ବାହାରି ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଯାଇଥିଲେ। ଦାବି ନେଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମସ୍ତ କର୍ମଚାରୀଙ୍କୁ ନିୟମିତ କରିବା ଓ ନିୟମିତ ହେଲା ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଭଳି ଦରମା ପ୍ରଦାନ, ପୁରୁଷ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି କରାଯାଇ ଛଟେଇ ଆଦେଶକୁ ରଦ୍ଦ କରି ଅନ୍ୟତ୍ର ଥଇଥାନ କରିବା, ସାମୟିକ ଶିକ୍ଷକଙ୍କୁ କନିଷ୍ଠ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଏବଂ ଆବାସିକ କର୍ମଚାରୀଙ୍କୁ କ୍ବାର୍ଟର୍ସ ସୁବିଧା ଯୋଗାଇଦେବା ସହ ଅତିକମ୍ରେ ଏକ ମାସ ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ସଂଘ ଦୃଢ଼ ଦାବି କରିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।