ଖଣ୍ଡଗିରି: ନୂଆଗାଁରୁ କାଟେଣୀ ପର୍ଯ୍ୟନ୍ତ ୮ କିମି ରାସ୍ତା। ୩ ବର୍ଷରେ ମାତ୍ର ୩ କିମି କାମ ହୋଇଛି। ପୂର୍ବରୁ ଏହି ରାସ୍ତା ଖରାପ ଥିଲା। ଯିବା ଆସିବାରେ ଲୋକମାନେ ଅସୁବିଧା ଭୋଗୁଥିଲେ। ଟ୍ରାଫିକ ସମସ୍ୟା ହେଉଥିଲା। ଯେଉଁଥିପାଇଁ ରାସ୍ତା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହେଲା। କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ୩୦ ଫୁଟିଆ ରାସ୍ତାକୁ ୮୦ ଫୁଟ୍ କରାଗଲା। ରାସ୍ତା ପାର୍ଶ୍ବରେ ଡ୍ରେନ୍, ଫୁଟ୍ପାଥ, ସର୍ଭିସ୍ ରୋଡ୍ ଆଦି ରହିଲା। କାର୍ଯ୍ୟକୁ ନୂଆ ରୂପ ଦେବା ପାଇଁ ସରକାରୀ ବାବୁମାନେ ଦିନରାତି ଏକ କରି ଲାଗିପଡ଼ି ନକ୍ସା ପ୍ରସ୍ତୁତ ବି କଲେ। ହେଲେ ରାସ୍ତା ନିର୍ମାଣ ଆରମ୍ଭ ହେବାର ୩ବର୍ଷ ବିତିଲାଣି କାମ ସରୁନି।
ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟି
ଧୂଳିରେ ଅଣନିଶ୍ବାସୀ ଯାତ୍ରୀ
୮ କିଲୋମିଟରର ନୁଆଗାଁ-କାଟେଣୀ ରାସ୍ତା ପାର୍ଶ୍ବରେ ଆଇଆଇଆଇଟି, ଟାଇମ୍ସ ଗୁରୁକୁଳ, ଆଇଏମ୍ଆଇ ସମେତ ବହୁ ବଡ଼ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ରହିଛି। ଅନେକ ଘରୋଇ ଡାକ୍ତରଖାନା ଓ ହଷ୍ଟେଲ ମଧ୍ୟ ରହିଛି। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଆଦିର ସୁବିଧା ଥିବାରୁ ମଳିପଡ଼ା, ଗୋଠପଟଣା, ପାଇକରାପୁର, କ୍ରିଷ୍ଣାପୁରୀ କଲୋନି, ଗଙ୍ଗାପାଟଣା, କାଟେଣୀ ଆଦି ଅଞ୍ଚଳର ବାସିନ୍ଦା ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ହେଲେ ରାସ୍ତା କେଉଁଠି ଅଣ ଓସାରିଆ ତ କେଉଁଠି ଖାଲଢ଼ିପ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏବେ ରାସ୍ତା ସମ୍ପ୍ରସାରଣ ପାଇଁ ବିଦ୍ୟୁତ୍ ଖୁଣ୍ଟି ବାଧକ ହୋଇ ଛିଡ଼ା ହୋଇଛି। ଆର୍ଆଣ୍ଡ୍ବି ଡିଭିଜନ-୩ ଏଠାରେ ରାସ୍ତା କାମ କରୁଥିଲେ ମଧ୍ୟ ମଝି ରାସ୍ତାରୁ ବିଦ୍ୟୁତ ଖୁଣ୍ଟକୁ ହଟାଇ ପାରିନାହିଁ। ବରଂ ଖୁଣ୍ଟ ଚାରି ପାଖ ପିଚୁ ରାସ୍ତା ତିଆରି ଚାଲିଛି। ୫୦୦ ମିଟର ଭିତରେ ୮ ବିଦ୍ୟୁତ୍ ଖୁଣ୍ଟ ଯମ ହୋଇ ଛିଡ଼ା ହୋଇଛନ୍ତି। ସେହିପରି ନିର୍ମାଣାଧୀନ ଡ୍ରେନ କେତେବେଳେ କେଉଁ ଆଡେ ଯାଉଛି ଜଣା ପଡୁନାହିଁ। କେଉଁଠି ସିଧା ତ ଆଉ କେଉଁଠି ୬ ଫୁଟ ଭିତରକୁ। ଯାହାକି ଅନେକ ଗାଈ ଗୋରୁଙ୍କ ଜୀବନ ନେଉଛି।
୩ ବର୍ଷ ଭିତରେ କେବଳ କାଟେଣୀ ଛକରୁ ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ପର୍ଯ୍ୟନ୍ତ ୩ କିମି ରାସ୍ତା ଡବଲ ରୋଡ୍ ହୋଇଛି। ବାକି ରାସ୍ତାରେ କୋଉଠି ଫାଳେ କାମ ହେଇ ଅଟକିଛି ତ କେଉଁଠି ମଝିରୁ କିଛି ବାଟ ପିଚୁ ପଡ଼ିଛି। ରାସ୍ତାର କାମ ତଦାରଖ କରିବାକୁ ସ୍ଥାନୀୟ ପ୍ରତିନିଧିଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆସୁଛନ୍ତି, ହେଲେ ପ୍ରଭାବ ଶୂନ। ଏ ନେଇ ଗୋଠପାଟଣା ଅଞ୍ଚଳର ବାସିନ୍ଦା ବଦ୍ରିନାରାୟଣ ଅଧିକାରୀ କହିଛନ୍ତି, ଏହି ରାସ୍ତାରେ ନିକଟରେ ଗୋଟିଏ ମାସରେ ୨ଜଣଙ୍କ ମୃତ୍ୟୁ ହେଲାଣି। କେଉଁଠାରେ ବି ରାସ୍ତାର ସମାନତା ନାହିଁ। କାମ ପୂର୍ବରୁ ଜମି ଜବରଦଖଲ ସଠିକ୍ ଭାବେ ହୋଇ ନଥିବାରୁ ରାସ୍ତା କାମ ସରିବାରେ ବିଳମ୍ବ ହେଉଛି।