ଶୀତୁଆ ସନ୍ଧ୍ୟାରେ ‘କଥକ’ର ଉଷ୍ମତା

ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଯାପିତ

ବାଲିଅନ୍ତା: ଜିଲ୍ଲା ପ୍ରଶାସନ ଓ ନୃତ୍ୟ ପ୍ରତିଭା ଅନୁଷ୍ଠାନ ମିଳିତ ସହଯୋଗରେ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠୀ ଯୋଗିନୀ ପୀଠ ପରିସର ନାଟ୍ୟମଣ୍ଡପରେ ଗତ ତିନିଦିନ ଧରି ଚାଲିଥିବା ଶାସ୍ତ୍ରୀୟ ଏକାଦଶ ମହୋତ୍ସବ ସଂଧ୍ୟା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଶେଷ ସାଂସ୍କୃତିକ ସଂଧ୍ୟାର ତୃତୀୟ ସୋପାନରେ ସୁଦୂର କଲିକତାରୁ ଆସିଥିବା ଗୁରୁ ସପ୍ତଶ୍ରୀରାୟ ଓ ତାଙ୍କ ସାଥୀ ଶିଳ୍ପୀମାନେ କଥକ ନୃତ୍ୟରେ ପ୍ରଥମେ ଶିବ ବନ୍ଦନା ୟ, ଦେବୀ ଦୁର୍ଗାଙ୍କ ବନ୍ଦନା ଓ ଶେଷରେ ଶୁଦ୍ଧ କଥକ ପରିବେଷଣ ମଞ୍ଚ ସମ୍ମୁଖରେ ବସିଥିବା ଦର୍ଶକମାନଙ୍କ ମନରେ ଏକାଗ୍ରତା ଓ ଅପୁରନ୍ତି ଖୁସି ଭରି ଦେବା ସହ ଶୀତ କଷ୍ଟକୁ ଭୁଲାଇ ଦେଇଥିଲା । ପ୍ରାରମ୍ଭରେ ନୂଆ ଦିଲ୍ଲୀର ଗିତାସ ଉପାସନା ଅନୁଷ୍ଠାନର ଗୁରୁ ପଦ୍ମଶ୍ରୀ ଗୀତା ମହାଲିକ୍‌ ତାଳ ଏକତାଳି ଓ ରାଗ ଚକ୍ରବାକ୍‌ରେ ସଂଯୋଜିତ ପ୍ରଥମେ ଏକକ ନୃତ୍ୟ ‘ ଦେବୀ ’ ରେ ମା’ଙ୍କର ବିଭିନ୍ନ ରୂପଚର୍ଯ୍ୟା ପରେ ଅଭିନୟରେ ‘ କହରେ ସଜନୀ ଆଜି ଏ ରଜନୀ ମୋ ପ୍ରାଣ ନାୟକ ଆସିବେକି ନୃତ୍ୟର ଛନ୍ଦ ଓ ଲୟ ଦର୍ଶକମାନଙ୍କ ମନରେ ସିଂହରଣ ସୃଷ୍ଟି କରିଥିଲା ।

ଏହାର ସଂଙ୍ଗୀତ ସଂଯୋଜନ ସୁମନ୍ତ ମହାନ୍ତି କରିଥିବା ବେଳେ ଭୋକାଲରେ ସତ୍ୟବ୍ରତ କାଠ , ମର୍ଦଳରେ ରାମଚନ୍ଦ୍ର ବେହେରା , ବଂଶୀରେ ଜବାହର ମିଶ୍ର ଓ ସିତାରରେ ଜୀବନ ପ୍ରସାଦ ଦାସ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତୁତୀରେ କଟକର ସୁର ମନ୍ଦିର ଅନୁଷ୍ଠାନର ଜ୍ୟୋତ୍ସ୍ନାରାଣୀ ସାହୁ ଓ ସାଥୀ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ‘ କୃଷ୍ଣଲୀଳା ’ ପରିବେଷଣ ମଞ୍ଚ ତଳେ ବସିଥିବା ଦର୍ଶକମାନଙ୍କ ମନପ୍ରାଣକୁ ଭାବମୟ କରିଦେଇଥିଲା । ଚତୁର୍ଥ ପର୍ଯ୍ୟାୟରେ ନୃତ୍ୟ ପ୍ରତିଭା ଅନୁଷ୍ଠାନର ଶିଳ୍ପୀମାନେ ସମକାଳୀନ ନୃତ୍ୟରେ ଦେଶାତ୍ମବୋଧକ ଦଳଗତ ନୃତ୍ୟ ‘ଦେଶ୍‌ରାଗ ’ ଦର୍ଶକମାନଙ୍କୁ ଚମକାଇ ଦେଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ପ୍ରସ୍ତୁତିରେ ଲୋକନୃତ୍ୟକ୍ରମରେ ତାଳଚେରର ଅମୃତ ଅନୁଷ୍ଠାନର କରୁଣାକର ବାଇ ଓ ଅନ୍ୟ ସହଯୋଗୀ ଶିଳ୍ପୀମାନେ ଧୂଡ଼ୁକି ଓ ସମ୍ବଲପୁରୀ ନୃତ୍ୟରେ ‘ ରସରକେଳି ’ ଦର୍ଶକମାନଙ୍କୁ ବେଶ୍‌ ବିମୋହିତ କରିଥିଲା । ଏହି ଅବସରରେ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସଂଧ୍ୟାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୀତା ମହାଲିକ୍‌ଙ୍କୁ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ , ଅଭିନେତା ଅଜିତ୍‌ ଦାଶଙ୍କୁ ନାଟ୍ୟ ସମ୍ମାନରେ ସମ୍ମାନିତ କରିବା ସହିତ ସ୍ମରଣୀକା ଓ ଡ. କାଳନ୍ଦୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଓ ଅଭିଷେକ୍‌ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ପ୍ରାମାଣିକ ଚଳଚିତ୍ର ‘ ଦି ରାଇଜ୍‌ ଅଫ୍‌ ଯୋଗିନୀ ଓ୍ଵାରଲ୍ଡ’ ର ପ୍ରଥମ ଭାଗକୁ ମଞ୍ଚାସିନ ଅତିଥିବର୍ଗ ଉନ୍ମୋଚନ କରିଥିଲେ ।

ଏଥିସହିତ ଅପରାହ୍ନରେ ଆୟୋଜିତ ସାହିତ୍ୟ ସଭାରେ ପ୍ରଫେସର ସାନ୍ତନୁ ଆଚାର୍ଯ୍ୟଙ୍କୁ ସାହିତ୍ୟ ପ୍ରତିଭା ସମ୍ମାନ ଓ ଅଧ୍ୟାପକ ଶକ୍ତି ମହାନ୍ତିଙ୍କୁ ଯୁବ ସାହତ୍ୟ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଭାପତି ରଜନୀ ରଂଜନ ଦାଶ ଓ ସଂପାଦିକା ପ୍ରତିଭା ପଣ୍ଡା ।

ସମ୍ବନ୍ଧିତ ଖବର