ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ତଥା ସାହିତ୍ୟିକ ସ୍ୱର୍ଗତ ରାମପ୍ରସାଦ ସିଂହଙ୍କ ସାରସ୍ୱତ କୃତୀ ଉପରେ ଏକ ଗବେଷଣାମୂଳକ ପୁସ୍ତକ ‘କଥାଶିଳ୍ପୀ ରାମପ୍ରସାଦ ସିଂହ’ ଲୋକାର୍ପିତ ହୋଇଯାଇଛି। ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖି ରାମପ୍ରସାଦଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲେ।

Advertisment

ମାହାଙ୍ଗା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ପ୍ରଫେସର ଭୁବନାନନ୍ଦ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ରାମପ୍ରସାଦଙ୍କ ନିଃସଙ୍ଗ, ନିର୍ଯାତିତ ଜୀବନ ଉପରେ ଆଲୋକପାତ କରିବା ସହିତ ସେ ନିଜ ଗଦ୍ୟକୃତିଗୁଡ଼ିକ ଜରିଆରେ ଓଡ଼ିଆ ଉପନ୍ୟାସ ବିଭାଗକୁ ଋଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ। ପୁସ୍ତକର ଲେଖକ ଡ. ବୃନ୍ଦାବନ ତ୍ରିପାଠୀ ତାଙ୍କ ଗବେଷଣା ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରକାଶକ ବିଶ୍ୱମୁକ୍ତି ପବ୍ଲିକେସନ୍‌ର ସୁଧୀର ମଉଡ଼ମଣି ଉପସ୍ଥିତ ଥିଲେ।