ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜଧାନୀରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇ ଚାଲିଥିବା କଟୁରି ଗ୍ୟାଙ୍ଗ୍‌ ମୁଖିଆ କୁଖ୍ୟାତ୍ ରାଜେଶ ମହାପାତ୍ର ଆଜି ଅଳ୍ପକେ ପୁଲିସ ପଞ୍ଝାରୁ ଖସିଯାଇଛି। ରାଜେଶକୁ ଧରିବା ପାଇଁ କମିସନେରଟ୍‌ ପୁଲିସ କରିଥିବା ସ୍ବତନ୍ତ୍ର ପ୍ଲାନ୍‌ ଫେଲ୍‌ ମାରିଛି। ପୁଲିସ ତା’ର ୟୁନିଟ୍‌-୬ ପିଚୁପଡ଼ା ବସ୍ତିସ୍ଥିତ ଘରେ ଚଢ଼ଉ କରି କଟୁରି, ଚାପଡ଼ ଓ ଛୁରି ଭଳି ବହୁ ମାରଣାସ୍ତ୍ର ଜବତ କରିଛି। ତେବେ ଏହି ସ୍ବତନ୍ତ୍ର ମିସନ୍‌ ଫେଲ୍‌ ହୋଇଥିବାରୁ କମିସନରେଟ୍‌ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଗତ କିଛି ଦିନ ହେଲା ଭୁବନେଶ୍ବରରେ ସକ୍ରିୟ ହୋଇଉଠିଛି ରାଜେଶର କଟୁରି ଗ୍ୟାଙ୍ଗ୍‌। ବିଳମ୍ବିତ ରାତିରୁ ଭୋର୍ ପର୍ଯ୍ୟନ୍ତ ବୁଲିବୁଲି ଲୁଟ୍‌ତରାଜ୍ ଚଳାଇଛି ଏହି ଗ୍ୟାଙ୍ଗ୍‌। କଟୁରି‌ରେ ହାଣି ପକାଇବା ସହ ବନ୍ଧୁକ ଦେଖାଇ ଏହି ଗ୍ୟାଙ୍ଗ୍‌ ଛିନ୍‌ତାଇ କରୁଛି। ଗତ ଦୁଇ ସପ୍ତାହ ଭିତରେ ପ୍ରାୟ ୭ଟି ଲୁଟ୍‌ କରିସାରିଲାଣି ରା‌ଜେଶ ଗ୍ୟାଙ୍ଗ୍‌। ପୁଲିସ ତଦନ୍ତରୁ ଏସବୁ ରାଜେଶର କାଣ୍ଡ ବୋଲି ଜଣାପଡ଼ିବା ପରେ ତାକୁ ଧରିବା ପାଇଁ ଯୋଜନା କରାଯାଇଥିଲା। ରାତିରେ ଘରେ ରହୁନଥିବାରୁ ତାକୁ ଦିନବେଳା ହିଁ କାବୁ କରିବାକୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିଲା।

ଆଜି ସେ ଘରେ ଥିବା ଖବର ପାଇ ପୁଲିସ ଟିମ୍‌ ଅପରାହ୍ଣ ଗୋଟାଏ ବେଳେ ପିଚୁପଡ଼ା ବସ୍ତିରେ ଚଢ଼ଉ କରିଥିଲା। କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣ ବରିଷ୍ଠ ଅଧିକାରୀଙ୍କ ସହ ତିନି ତିନିଟି ପିସିଆର୍‌ରେ ପ୍ରାୟ ୨୦ ଜଣ ପୁଲିସ କର୍ମଚାରୀ ତା’ ଘରକୁ ଘେରି ଯାଇଥିଲେ। କବାଟ ଭାଙ୍ଗି ଘର ଭିତରକୁ ପଶିବା ବେଳକୁ କିନ୍ତୁ ରାଜେଶ ଅନ୍ତର୍ଦ୍ଧାନ୍‌ ହୋଇଯାଇଥିଲା। ଉକ୍ତ ଘରର ଚାରି କଡ଼ରେ ପୁଲିସ ଜଗି ରହିଥିଲେ ବି ସେ କେଉଁ ବାଟ ଦେଇ ଖସିଗଲା, କେହି ଜାଣି ପାରିଲେନାହିଁ। ପରେ ପୁଲିସ ତା ଘରକୁ ଯାଞ୍ଚ କରିଥିଲା। ମେଟାଲ୍‌ ଡିଟେକ୍ଟର ବ୍ୟବହାର କରି ମାରଣାସ୍ତ୍ର ଖୋଜା ଯାଇଥିଲା। ଯାଞ୍ଚ ବେଳେ ତା ଘରର ଆଜ୍‌ବେଷ୍ଟସ୍‌ ଭାଙ୍ଗି ଦିଆଯାଇଥିଲା। ଏମିତିକି କାନ୍ଥ ତାଡ଼ି ଦିଆଯାଇଥିଲା। ଗୋଟିଏ ବାକ୍ସରୁ ୨ଟି କଟୁରି, ୩ଟି ବଡ଼ ଚାପଡ଼ ବା ଛୁରି ଓ ଗୋଟିଏ ଖେଳଣା ବନ୍ଧୁକ ମିଳିଥିଲା।

publive-image

ପୂର୍ବରୁ ରାଜେଶ ବହୁଥର ଜେଲ୍‌ ଯାଇଥିଲେ ମଧ୍ୟ ଜାମିନ୍‌ରେ ଆସି ଲୁଟ୍‌ପାଟ୍‌ ଚଳାଇଆସୁଛି। ନୂଆ ନୂଆ ସଦସ୍ୟଙ୍କୁ ନେଇ ଗ୍ୟାଙ୍ଗ୍‌ ଗଢ଼ୁଛି ଓ ନୂଆ ତରିକାରେ ଲୁଟ୍‌ କରୁଛି। ତା’ ନାଁରେ କ୍ୟାପିଟାଲ, ନୂଆପଲ୍ଲୀ, ଖଣ୍ଡଗିରି, ସହିଦନଗର ଆଦି ଥାନାରେ ୨୦ରୁ ଅଧିକ ଛିନ୍‌ତାଇ ମାମଲା ରହିଛି। ପୁଲିସ ଆଖିରେ ଧୂଳି ଦେଇ ବାରମ୍ବାର ଚମ୍ପଟ ମାରିବାରେ ସକ୍ଷମ ହେଉଥିବାରୁ ଏଥର ପୁଲିସ ତାକୁ ରାଜଧାନୀରୁ ତଡ଼ିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ପୂର୍ବରୁ କେବିଏନ୍‌ ଗ୍ୟାଙ୍ଗ୍‌ ସଦସ୍ୟମାନଙ୍କ ଘର ଉପରେ ଯେମିତି ଚଢ଼ଉ କରାଯାଇଥିଲା, ଏଥର ସେମିତି ରାଜେଶ ଘରକୁ ପୁଲିସ ଟାର୍ଗେଟ୍‌ କରିଥିଲା। ଏଥର ସେ ଧରାପଡ଼ିଲେ, ତାକୁ ତଡ଼ିପାର୍‌ କରାଯିବ କିମ୍ବା ତା ବିରୋଧରେ ସଂଗିନ୍ ଦଫା ଲଗାଇ ଜେଲ୍‌ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।