ପୁରୁଣା ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ଦ୍ବିତୀୟ ସୋମବାର। କିନ୍ତୁ ରବିବାର ମଧ୍ୟାହ୍ନରୁ ଏକାମ୍ର କ୍ଷେତ୍ରରେ କାଉଡ଼ିଆମାନଙ୍କ ଭିଡ଼ ଜମିଛି। ସନ୍ଧ୍ୟା ସୁଦ୍ଧା ହଜାର ହଜାର କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନିକଟରେ ପହଞ୍ଚିସାରିଛନ୍ତି ଏବଂ କଟକ ଓ ଧଉଳି ପଟୁ କାଉଡ଼ିଆଙ୍କ ସୁଅ ଛୁଟିବାରେ ଲାଗିଛି। ତେଣୁ ସନ୍ଧ୍ୟାରୁ ବେଶ୍ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। କେଦାରଗୌରୀ ମନ୍ଦିରଠାରୁ ବିନ୍ଦୁସାଗର କୂଳ ଯୁଆଡ଼େ ଚାହିଁବ, ସବୁଆଡ଼େ ମାଳମାଳ ବାହୁଙ୍ଗି ଝୁଲୁଛି ଏବଂ କାଉଡ଼ିଆମାନେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ଅସ୍ଥାୟୀ ଶିବିରରୁ ଭାସିଆସୁଛି ଶିବ ଭଜନ।
ଆଜି ମଧ୍ୟାହ୍ନରୁ କାଉଡ଼ିଆମାନଙ୍କ ସୁଅ ଆରମ୍ଭ ହୋଇଯାଇଥିଲା। ସକାଳୁ ସକାଳୁ ମହାନଦୀ ଗଡ଼ଗଡ଼ିଆ ଘାଟରୁ ଜଳ ଉଠାଇଥିବା ବହୁ କାଉଡ଼ିଆ ମଧ୍ୟାହ୍ନ ସୁଦ୍ଧା ଏକାମ୍ର କ୍ଷେତ୍ରରେ ପହଞ୍ଚି ସାରିଥିଲେ।
ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା ଶ୍ରଦ୍ଧାଳୁ। ଆଗୁଆ ପହଞ୍ଚିଥିବା କାଉଡ଼ିଆମାନେ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଜାଗା ଜଗି ଦେଇଥିଲେ। ମନ୍ଦିର ଆଗରେ ପୂର୍ବରୁ ଲଗାଯାଇଥିବା ପୂର୍ତ୍ତ ବିଭାଗ ଜିଗ୍ଜାଗ୍ ଲୁହା ବ୍ୟାରିକେଡ୍ କଡ଼ରେ ବାହୁଙ୍ଗି ରଖି ଅସ୍ଥାୟୀ ବିଶ୍ରାମାଗାରରେ ରହିଥିଲେ। ସେମାନଙ୍କୁ ସେବା ସଂସ୍ଥା ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ଅପରାହ୍ଣ ବେଳକୁ ମନ୍ଦିର ସମ୍ମୁଖ ସବୁ ଜାଗା ଭର୍ତ୍ତି ହୋଇଯିବାରୁ କାଉଡ଼ିଆମାନେ କେଦାରଗୌରୀ ମନ୍ଦିର ନିକଟରେ ରହିଥିଲେ। ସନ୍ଧ୍ୟା ସୁଦ୍ଧା ପହଞ୍ଚିଥିବା କାଉଡ଼ିଆମାନେ ବିନ୍ଦୁସାଗର କୂଳରେ ବିଶ୍ରାମ ନେଇଥିଲେ। କାଉଡ଼ିଆଙ୍କ ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପଇଁତରା ମାରୁଛି ଏବଂ ୧୦ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର୍ ୩ଟାରୁ ମନ୍ଦିର ଖୋଲାଯିବ। ଭୋର୍ ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ବିଧି ଲାଗୁହେବ। ଏହାପରେ ଧାଡ଼ିବାନ୍ଧି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। ଦିନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।