ଭୁବନେଶ୍ବର: ଖଣ୍ଡଗିରି ଅଞ୍ଚଳରେ ରହୁଥିବା ରଣେନ୍ଦ୍ର ସାହୁଙ୍କ ମୋବାଇଲ୍କୁ ଗତ କିଛି ଦିନ ହେବ ବିଭିନ୍ନ ମେସେଜ୍ ଆସୁଥିଲା। କେତେବେଳେ ଲୋନ୍ ଅଫର୍ ଆସୁଥିଲା ତ କେତେବେଳେ ଲଟେରି ଜିତି ଥିବା ନେଇ ମେସେଜ୍ ଆସୁଥିଲା। କିନ୍ତୁ ସାଇବର ଠକେଇର ଶିକାର ହେବା ଭୟରେ ରଣେନ୍ଦ୍ର ସେସବୁକୁ ଏଡ଼ାଇ ଯାଉଥିଲେ। କିଛି ଦିନ ତଳେ ତାଙ୍କ ମୋବାଇଲକୁ ଏକ ଭିନ୍ନ ମେସେଜ୍ ଆସିଥିଲା। ତାଙ୍କ ଆକାଉଣ୍ଟକୁ ଭିମ୍ ୟୁପିଆଇ ମାଧ୍ୟମରେ ୯୭ ହଜାର ଟଙ୍କା ଆସିଥିବା ମେସେଜ୍ ଆସିଥିଲା। ଏହାସହ ଏକ ଲିଙ୍କ୍ ଆଟାଚ୍ ରହିଥିଲା। ଏଥର କିନ୍ତୁ ରଣେନ୍ଦ୍ର ଲୋଭର ବଶବର୍ତ୍ତୀ ହୋଇଗଲେ। ଲିଙ୍କ୍ ଓପନ୍ କରିବାକୁ ସେଥିରେ କ୍ଲିକ୍ କରିଦେଲେ। ମାତ୍ର କେଇ ମିନିଟ୍ରେ ତାଙ୍କ ଆକାଉଣ୍ଟରୁ ଭିମ ୟୁପିଆଇ ଆଇଡି ମାଧ୍ୟମରେ ୧୦ ହଜାର ଟଙ୍କା କଟି ଯାଇଥିଲା। ସବୁବେଳେ ସତର୍କ ରହୁଥିବା ରଣେନ୍ଦ୍ର କାନମୁଣ୍ଡା ଝାଇଁଝାଇଁ ହୋଇଯାଇଥିଲା। ସାଇବର ଥାନାର ଦ୍ବାରସ୍ଥ ହେବା ଛଡ଼ା ତାଙ୍କ ନିକଟରେ ଅନ୍ୟ କିଛି ଉପାୟ ନଥିଲା।
ସାଇବର ଥାନା ଯେତିକି ସକ୍ରିୟ ହେଉଛି, ଦିନକୁ ଦିନ ସେହି ଅନୁପାତରେ ସାଇବର ଠକେଇ କାୟା ମେଲାଉଛି। ସାମାନ୍ୟ ଅସାବଧାନତାରୁ ଜଣେ ଜୀବନର ସମସ୍ତ ସଞ୍ଚୟ ହରାଉଛି। ଏବେ ଲୋକଙ୍କ ମୋବାଇଲକୁ ଆସୁଥିବା ବିଭିନ୍ନ ମେସେଜ୍ରେ ଲୋନ୍ ମେସେଜ୍, ଗିଫ୍ଟ, ଲଟେରି, ଲକ୍ଷାଧିକ ଟଙ୍କା ଜିତିଥିବା ଭଳି ମେସେଜ୍ ଆସୁଛି। ମେସେଜ୍ ସହ ଲିଙ୍କ୍ ଆଟାଚ୍ କରି ସାଇବର ଠକମାନେ ଛାଡ଼ୁଛନ୍ତି। ଅସାବଧାନତା ହେତୁ ଲିଙ୍କ୍ରେ ଟଚ୍ ହୋଇଗଲେ ପୂରା ଆକାଉଣ୍ଟ ଖାଲି ହୋଇଯାଉଛି। ବଡ଼ କଥା ହେଉଛି ଏବେ ସାଇବର ଅପରାଧୀମାନେ ସିଧାସଳଖ ଫୋନ୍ କରି ଲୋକଙ୍କୁ ଲୋଭ ଦେଖାଉଛନ୍ତି। ଲୋକଙ୍କ ସଚେତନତା ବଢ଼ିବା ଦେଖି ସେମାନେ ମାୟାଜାଲର ନୂଆ ରୂପ ତିଆରି କଲେଣି। ଏବେ ଲୋନ୍ ଦେବା ନାମରେ ଅଧିକ ଠକେଇ ହେଉଛି। ଭୁବନେଶ୍ବର ସାଇବର ଥାନାରେ ଲୋନ୍ ଆପ୍ ଠକେଇ ଅଭିଯୋଗ ବୃଦ୍ଧି ପାଉଛି। ସପ୍ତାହକରେ ୧୦ରୁ ଅଧିକ ମାମଲା ରୁଜୁ ହୋଇଛି। ଆପ୍ ମାଧ୍ୟମରେ ଲୋନ୍ ନେଉଥିବା ଲୋକେ ଅଧିକ ସୁଧ ଗଣିଗଣି ଶୋଷଣର ଶିକାର ହେଉଛନ୍ତି। ଲୋକଟି ସୁଧ ଦେଇ ନ ପାରିଲେ, ସେହି ଲୋକର ଫଟୋ ଅଶ୍ଳୀଳ ଏଡିଟ୍ କରି ସମ୍ପର୍କୀୟଙ୍କ ସୋସିଆଲ ମିଡିଆରେ ଭାଇରାଲ୍ କରି ବଦ୍ନାମ କରୁଛନ୍ତି ଏବଂ ବ୍ଲାକ୍ମେଲ କରି ଟଙ୍କା ଲୁଟୁଛନ୍ତି। ସେହିଭଳି ହ୍ବାଟସ୍ ଆପକୁ ମଧ୍ୟ ବିଭିନ୍ନ ସମୟରେ ଅଜଣା ନମ୍ବରରୁ ମେସେଜ୍ ଆସୁଛି। କେତେବେଳେ ମଧ୍ୟ ଭିଡିଓ କଲ୍ ଆସୁଛି। ଭିଡିଓ କଲ୍ ରିସିଭ୍ କରିବା ମାତ୍ରେ ଯୁବତୀଙ୍କ ମୁକୁଳା ଦେହ ଦେଖିବାକୁ ମିଳିଥାଏ। ଅର୍ଦ୍ଧନଗ୍ନ ଯୁବତୀଙ୍କ ଫଟୋ ସହ ଫଟୋକୁ ଯୋଡ଼ି ସାଇବର ଠକମାନେ ଲୋକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ଆଦାୟ କରୁଛନ୍ତି।
ସେମିତି ସୋସିଆଲ ମିଡିଆରେ ବିଭିନ୍ନ ସାମଗ୍ରୀ କିଣୁଥିବା ଲୋକଙ୍କୁ ମଧ୍ୟ ବିଭିନ୍ନ ଲୋଭନୀୟ ଅଫର୍ ମେସେଜ୍ ଆସୁଛି। କେହି ଲୋଭନୀୟ ଅଫର୍ରେ ଫସିଲେ, ଠକେଇର ଶୀକାର ହେବା ଥୟ। ଏବାବଦରେ ସାଇବର ବିଶେଷଜ୍ଞଙ୍କ କହିବା କଥା, ଲୋକମାନେ ଏବେ ଅଧିକରୁ ଅଧିକ ଡିଜିଟାଲ୍ ହେଉଛନ୍ତି। ସମସ୍ତଙ୍କ ହାତରେ ମୋବାଇଲ ରହିଛି। ମୋବାଇଲରେ ଇଣ୍ଟରନେଟ୍ ସଂଯୋଗ ରହିଛି। ଲୋକମାନେ ବିଭିନ୍ନ ଆପ୍ ଓ ୱେବ୍ସାଇଟ୍ରେ ରେଜିଷ୍ଟ୍ରସନ୍ କରୁଛନ୍ତି। ଏହାସହ ବିଭିନ୍ନ ଆପ୍ ଡାଉନ୍ଲୋଡ୍ କରି ସେଥିରେ ମୋବାଇଲର ବିଭିନ୍ନ ଆକ୍ସେସ୍ ଦେଇ ଦେଉଛନ୍ତି। ଫଳରେ ସାଇବର ଅପରାଧୀମାନେ ଲୋକଙ୍କୁ ସହଜରେ ଟ୍ରେସ୍ କରୁଛନ୍ତି। କିଏ କ’ଣ କରୁଛି, ଇଣ୍ଟର୍ନେଟ୍ରେ କଣ ସର୍ଚ୍ଚ କରୁଛି, ଅପରାଧୀମାନେ ସବୁ ଜାଣିପାରୁଛନ୍ତି। ଲୋକେସନ୍ ମଧ୍ୟ ଜାଣିପାରୁଛନ୍ତି। ତେଣୁ ମୋବାଇଲକୁ ଅଜଣା ନମ୍ବରରୁ ଆସୁଥିବା ଲିଙ୍କ୍ ଓ ମେସେଜ୍ରେ କେହି ବି ଭଳିଯିବା ବିପଦପୂର୍ଣ୍ଣ। କେହି ବି ବ୍ଲାକ୍ମେଲ୍ କରି ଟଙ୍କା ମାଗିଲେ, ତୁରନ୍ତ ସାଇବର ଥାନାର ଦ୍ବାରସ୍ଥ ହେବା ଠିକ୍। ବିଭିନ୍ନ ଆପ୍ ୱେବ୍ସାଇଟରେ କେହି ଆକ୍ସେସ୍ ମାଗିଲେ ଦେଇଦେବା ବଡ଼ ବିପଦକୁ ଆମନ୍ତ୍ରଣ କରିବା ସହିତ ସମାନ ବୋଲି ସାଇବର ବିଶେଷଜ୍ଞମାନେ କହିଛନ୍ତି।