କେବିଏନ୍‌ ଗ୍ୟାଙ୍ଗ୍‌ ମାମଲା: ସରିଲା ରିମାଣ୍ଡ, ମିଳିଲା ଖେଳଣା ବନ୍ଧୁକ ଓ ଖଣ୍ଡା

ଅମ୍ଲାନ୍‌ ଆକାଉଣ୍ଟ୍‌ରୁ ଭିଡିଓ ଗାଏବ୍‌

ଭୁବନେଶ୍ବର : କେବିଏନ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଚେଙ୍ଗ, ସନିଆ, ନରିଆ, ରାହୁଲ ଓ ସୁମନଙ୍କ ଦୁଇ ଦିନିଆ ରିମାଣ୍ଡ ସରିଛି। ଆସନ୍ତାକାଲି ସେମାନଙ୍କୁ ପୁଣି ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯିବ। ଏହି ଦୁଇ ଦିନିଆ ରିମାଣ୍ଡ ଅବଧି ଭିତରେ ପୁଲିସ ସେମାନଙ୍କଠାରୁ ଗ୍ୟାଙ୍ଗ୍‌ ବାବଦରେ ବହୁ ଗରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ସେହିଭଳି ସେମାନଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖେଳଣା ବନ୍ଧୁକ, ଖଣ୍ଡା, ଭୁଜାଲି ଓ ସାଇକେଲ କ୍ରାଙ୍କ୍‌ ଭଳି ମାରଣାସ୍ତ୍ର ଜବତ କରିଛି।

ଜେରା ବେଳେ ଗ୍ୟାଙ୍ଗ୍ ଲିଡର୍‌ ଦେବୀପ୍ରସାଦ ଜେନା ଓରଫ ବୁବୁ ବାବଦରେ ଏମାନେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ପୁଲିସ ଭୟରେ କୋର୍ଟ‌ରେ ଆତ୍ମସମର୍ପଣ କରିଥିବା ଚେଙ୍ଗ ବହୁତ କିଛି ଉଗାରି ପକାଇଥିବା ଜଣାପଡ଼ିଛି। ସେମାନେ କିଭଳି କାହାକୁ ଭୟଭୀତ କରୁଥିଲେ ଓ କାହାଠାରୁ ବଟି ଆଦାୟ କରୁଥିଲେ, ସବୁ ତଥ୍ୟ ଚେଙ୍ଗ ଓ ସନିଆ ପୁଲିସକୁ କହିଛନ୍ତି। ସେହିଭଳି ରାତିରେ ରାଜରାସ୍ତାରେ ଅସ୍ତ୍ରଶସ୍ତ୍ର ସହ ଭିଡିଓ କରିବା ପରେ ସେସବୁକୁ କିଭଳି ଅମ୍ଳାନ ମହାନ୍ତି ଏଡିଟ୍ କରୁଥିଲା ଓ ଟା‌ଉନ୍‌ ଟାଇଗର୍ସ ନାମକ ଅନ୍ୟ ଏକ ଗ୍ୟାଙ୍ଗ୍‌ର ଆକାଉଣ୍ଟରେ ପୋଷ୍ଟ କରୁଥିଲା ବୋଲି ମଧ୍ୟ ସେମାନେ ପୁଲିସକୁ କହିଛନ୍ତି। ତେବେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ କହିବା କଥା ଏମାନେ ଖଣ୍ଡା ବୁଲାଇବା ସହିତ ଯେଉଁ ବନ୍ଧୁକ ଧରି ଭିଡିଓ କରୁଥିଲେ। କିନ୍ତୁ ସେସବୁ ବନ୍ଧୁକ ଖେଳଣା ଥିଲା। କେବଳ ଖଣ୍ଡଗିରିର ରାହୁଲ ଜେନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଚୋରି କରିଥିବା ବେଳେ ବାକି ସମସ୍ତ ବନ୍ଧୁକ ନକଲି ଥିଲା। ଏଭଳି ଭୟଙ୍କର ଭିଡିଓ କରିବା ପଛରେ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜଧାନୀରେ ପତିଆରା ଜାହିର୍ କରିବା।

ଅପରପକ୍ଷରେ ଭିଡିଓ ତିଆରିର ମାଷ୍ଟରମାଇଣ୍ଡ୍ ଅମ୍ଳାନ ବାବଦରେ ଆଜି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଅମ୍ଳାନର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ ପ୍ରାଇଭେଟ୍ କରିଦିଆଯାଇଛି। ସେହିଭଳି ପ୍ରାୟ ୧୧ ସପ୍ତାହ ତଳର ପ୍ରଥମ ପୋଷ୍ଟ ହୋଇଥିବା ଆତଙ୍କ ସୃଷ୍ଟିକାରୀ ଭିଡିଓକୁ ହଟାଇ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଅମ୍ଳାନ ଆକାଉଣ୍ଟ୍‌ରୁ ଭିଡିଓ ଡିଲିଟ୍ କଲା କିଏ? ଅମ୍ଳାନ ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ନିଜେ ଏଭଳି କରିଥିବା ଅନୁମାନ କରାଯାଉଛି। ତେଣୁ ଅମ୍ଳାନ ଓ ସାଥୀ ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ତା’ର ମୋବାଇଲ୍ ଲୋକେସନ୍ ଟ୍ରେସ୍ କରିବା ଆରମ୍ଭ କରିଛି। ଉକ୍ତ ଲୋକେସନ୍ ସହ ଅମ୍ଳାନର ଆକାଉଣ୍ଟ ବ୍ୟବହାରକାରୀକୁ ଧରିଲେ, ସମସ୍ତ ଫେରାର ସଦସ୍ୟ ସାମ୍ନାକୁ ଆସିବେ ବୋଲି ପୁଲିସ ଆଶା କରିଛି। ସେହିଭଳି କେବଳ ଅମ୍ଳାନ ନୁହେଁ, ଗ୍ୟାଙ୍ଗର ପ୍ରାୟ ୧୦ରୁ ଅଧିକ ସଦସ୍ୟ ମଧ୍ୟ ସମାନ ଢଙ୍ଗରେ ଏବେ ଟାଉନ୍ ଟାଇଗର୍ସ ଗ୍ରୁପ୍‌ରୁ ନିଜ ନାଁ’କୁ ହଟାଇ ଦେଇଛନ୍ତି। ତେଣୁ ଉକ୍ତ ସଦସ୍ୟମାନଙ୍କୁ ଡାକି ପୁଲିସ ଘଟଣା ସଂପର୍କରେ ଆହୁରି ଅଧିକ ଜାଣିବାକୁ ଯୋଜନା ଚଳାଇଛି।

ସମ୍ବନ୍ଧିତ ଖବର