ଡେଲ୍‌ଟା ଛକରେ ଖଟି କରୁଥିଲା, ପିଓପିଡି ମାଡ଼ି ବସିଲା
ବୁବୁ ନାଁରେ ୧୪ ମାମଲା
୭ ଦିନିଆ ରିମାଣ୍ଡ‌ରେ ଆଣିବ ପୁଲିସ

Advertisment

ଭୁବନେଶ୍ବର : ରାତିର ନିର୍ଜନତାରେ ରାଜରାସ୍ତାରେ ମେଳିବାନ୍ଧି ଘୂରି ବୁଲିବା, ଗାଡ଼ିରେ ଷ୍ଟଣ୍ଟ କରିବା, ଖଣ୍ଡା ଓ ଭୁଜାଲି ବୁଲା ଛାତିଥରା ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌‌ରେ ପୋଷ୍ଟ କରି ରାଜଧାନୀବାସୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଥିବା କେବିଏନ୍‌ ଗ୍ୟାଙ୍ଗ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଦୀର୍ଘ ୩ ମାସ ଧରି ପୁଲିସ ସହ ଲୁଚକାଳି ଖେଳ ପରେ ଶେଷରେ ଗ୍ୟାଙ୍ଗ୍‌ର ମୁଖ୍ୟ ଦେବୀପ୍ରସାଦ ଜେନା ଓରଫ ବୁବୁ (୨୨) ଧରାପଡ଼ିଛି। ଗତକାଲି ସେ ଡେଲ୍‌ଟା ଛକ ନିକଟରେ ଖଟି କରୁଥିବା ବେଳେ ନୂଆପଲ୍ଲୀ ପୁଲିସ ତାକୁ ସେଠାରୁ ଗିରଫ କରିଛି। ପୁଲିସ୍‌ ଭ୍ୟାନ୍‌ ଦେଖି ବୁବୁ ଦୌଡ଼ିଥିଲେ ହେଁ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପିଓପିଡି ଟିମ୍‌ ତାକୁ କାବୁ କରିନେଇଥିଲା।

ବୁବୁକୁ ମିଶାଇ ଏହି ଘଟଣାରେ ମୋଟ ୮ଜଣ ଗିରଫ ହୋଇସାରିଲେଣି। ଗ୍ରୁପ୍‌ରେ ସାମିଲ ଥିବା ଅନ୍ୟ ୨୨ରୁ ଅଧିକ ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ ଚଳାଇଛି। ପୁଲିସ୍‌ ସୂଚନାନୁଯାୟୀ, ଆସନ୍ତାକାଲି ବୁବୁକୁ କୋର୍ଟଚାଲାଣ କରାଯିବ। ପରେ ତାକୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରି ତା’ ଆପରାଧିକ ସାମ୍ରାଜ୍ୟର ପର୍ଦ୍ଦାଫାସ କରାଯିବ ବୋଲି ପୁଲିସ୍‌ କହିଛି। ଅପରପକ୍ଷେ ବୁବୁର ସୂଚନା ଆଧାରରେ ପୁଲିସ୍‌ ଖଣ୍ଡଗିରି ଅଞ୍ଚଳରୁ ଏକ ଖଣ୍ଡା ମଧ୍ୟ ଜବତ କରିଛି। ରାଜଧାନୀର ବିଭିନ୍ନ ଥାନାରେ ବୁବୁ ନାଁରେ ୧୪ରୁ ଊର୍ଧ୍ବ ମାମଲା ରହିଛି। ସେ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ପୁଲିସ ତା’ ବିରୋଧରେ ଦଫା ୧୧୦ ଲଗାଇଛି।

କେମିତି ଧରାପଡ଼ିଲା
ସିଆର୍‌ପି ଛକ ନିକଟ ଅମ୍ରିତା ମାର୍କେଟ୍ କମ୍ପ୍ଲେକ୍ସରେ ଗୋଷ୍ଠୀ ସଂଘର୍ଷ ମାମଲା ପରଠାରୁ ବୁବୁ ଫେରାର୍‌ ଥିଲା। ତା’ର ୩ ସହଯୋଗୀକୁ ଗିରଫ କରି ପୁଲିସ୍‌ ପଚରାଉଚରା କରିଥିଲେ ବି ପୁଲିସ ବୁବୁ ପାଖରେ ପହଞ୍ଚି ପାରିନଥିଲା। ଗଣ୍ଡମୁଣ୍ଡାସ୍ଥିତ ତାଳବଣିଆ ଘରେ ପୁଲିସ ଚଢ଼ଉ କରିଥିଲେ ହେଁ ବୁବୁକୁ ପାଇନଥିଲା। ତେଣୁ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଗାରେ ଡେରା ପକାଇଥିଲା। ଗତ ନଭେମ୍ବର ମାସରେ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ବୁବୁକୁ ଧରିବା ପାଇଁ ପୁରୀ ଯାଇଥିଲା। ସମୁଦ୍ରକୂଳ ନିକଟରେ ବୁବୁ ଏକ ସ୍କୁଟି ଧରି ଛିଡ଼ା ହୋଇଥିଲା। କିନ୍ତୁ କେଇ ମିଟର ଦୂରରୁ ପୁଲିସ୍‌ ଗାଡ଼ି ଦେଖି ବୁବୁ ସେଠାରୁ ଚମ୍ପଟ୍ ମାରିଥିଲା। ସେହିଭଳି ଗତ ଜାନୁଆରି ମାସରେ ପାଇକନଗରସ୍ଥିତ ଖଟିରେ ସେ ବସିଥିବା ବେଳେ ପୁଲିସ ଚଢ଼ଉ କରିଥିଲା। ମାତ୍ର ଆଗୁଆ ଖବର ପାଇ ସେ ଫେରାର୍‌ ହୋଇଯାଇଥିଲା। ଏଭଳି ବାରମ୍ବାର ଛକାପଞ୍ଝା ଭିତରେ ସ୍ପେସାଲ୍ ସ୍କ୍ବାଡ୍ ଓ ପିଓପିଡି ଟିମ୍‌ର କିଛି କର୍ମଚାରୀ ବୁବୁର ଖଟିସ୍ଥଳରେ ନଜର ରଖିଥିଲେ। ଗତକାଲି ଡେଲ୍‌ଟା ଛକ‌ରେ ସେ ଖଟି କରୁଥିବା ବେଳେ ନୂଆପଲ୍ଲୀ ପୁଲିସ ଖବର ପାଇଥିଲା। ସେଠାରେ ପୁଲିସ ଗାଡ଼ିକୁ ଦେଖି ବୁବୁ ଦୌଡ଼ିବା ଆରମ୍ଭ କରିଥିଲା। ମାତ୍ର ପୂର୍ବରୁ ଛକି ରହିଥିବା ପିଓପିଡି ଟିମ୍ ତାକୁ ମାଡ଼ି ବସିଥିଲେ।

ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାର ଟାର୍ଗେଟ୍ ଥିଲା
୨୦୨୧ ଅକ୍ଟୋବର ୧୦ ତାରିଖରେ ସିଆର୍‌ପି ଅମ୍ରିତା କମ୍ପ୍ଲେକ୍ସ ନିକଟସ୍ଥ ଲକ୍ଷ୍ମୀପୂଜା ପେଣ୍ଡାଲ ନିକଟରେ ବୁବୁ ଓ ତା’ ଗ୍ୟାଙ୍ଗ୍ ସାମାନ୍ୟ ବଚସାକୁ କେନ୍ଦ୍ର କରି ୫ଜଣ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଖଣ୍ଡାରେ ହାଣି ଯୁବକମାନଙ୍କୁ ଲହୁଲୁହାଣ କରିବା ପରେ କେବିଏନ୍ ଗ୍ୟାଙ୍ଗ୍ ଫେରାର୍ ହୋଇଯାଇଥିଲା। ଏହାକୁ ନେଇ ଆହତ ବିନୟ ଆଚାର୍ଯ୍ୟ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ପ୍ରଥମେ କେବିଏନ୍ ଗ୍ୟାଙ୍ଗର ଜୀବିତୋଷ, ସୁମନ ଓ ନରେନ୍ଦ୍ରକୁ ଗିରଫ କରିଥିଲା। ପରେ ଚେଙ୍ଗ ଓ ସନିଆ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ମାତ୍ର ଗ୍ୟାଙ୍ଗ୍ ଲିଡର୍‌ ବୁବୁ ପୁଲିସକୁ ଧରାଛୁଆଁ ଦେଇ ନଥିଲା। ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ବନ୍ଧୁକ ଦେଖାଇ ଧମକ, ସାମାଜିକ ଗଣମାଧ୍ୟମରେ ଅସ୍ତ୍ରଶସ୍ତ୍ରର ଭିଡିଓ ପୋଷ୍ଟ ଭଳି ବୁବୁ ନାଁରେ ଖଣ୍ଡଗିରି ଥାନାରେ ୯ଟି ସଂଗିନ୍‌ ଆପରାଧିକ ମାମଲା ରହିଥିବା ବେଳେ ନୂଆପଲ୍ଲୀ ଥାନାରେ ୪ଟି ମାମଲା ରହିଛି। କେବଳ କମିସନରେଟ୍ ପୁଲିସ ନୁହେଁ, କେନ୍ଦ୍ରାପଡ଼ାର ରାଜନଗର ଥାନା ଅଞ୍ଚଳରେ ମଧ୍ୟ ବୁବୁ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଭଳି ପ୍ରାୟ ୧୪ଟି ଆପରାଧିକ ମାମଲାରେ ସଂପୃକ୍ତ ବୁବୁକୁ ଧରିବା ପାଇଁ କମିସନରେଟ୍ ପୁଲିସ ପାଇଁ ଏକ ଆହ୍ବାନ ଥିଲା। କେବଳ ସେତିକି ନୁହେଁ, ଗତ ୩ ମାସ ଧରି ପୁଲିସ ପାଇଁ ବୁବୁ ଅପହଞ୍ଚ ଥିବା ବେଳେ ସେ ଭୁବନେଶ୍ବରରେ ଆପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା। ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିସ୍ତୁକ ମାଡ଼ ମାରିବା ସହିତ ଲୁଟ୍‌ପାଟ୍ କରିଥିଲା। ଏନେଇ ଅଭିଯୋଗକାରୀ ତାରିଣୀ ପ୍ରସାଦ ବେହେରା ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଥିଲେ।

ଇନ୍‌ଷ୍ଟାଗ୍ରାମ୍‌ରୁ ହଟିଲା ଆତଙ୍କ ସୃଷ୍ଟିକାରୀ ଭିଡିଓ
କେବିଏନ୍ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ କରିଥିବା ଆତଙ୍କ ସୃଷ୍ଟିକାରୀ ଭିଡିଓ ଏବେ ଅନେକ ଆକାଉଣ୍ଟରୁ ଡିଲିଟ୍ କରାଯାଇଛି। ଜେଲ୍‌ ଯାଇ ଜାମିନରେ ଆସିବା ପରେ ଏବେ ଅଭିଯୁକ୍ତମାନେ ଭିଡିଓ ଡିଲିଟ୍ କରିଛନ୍ତି। ଏହାସହ ଏବେ ବିନା ବନ୍ଧୁକ ଓ ମାରଣାସ୍ତ୍ରରେ ସହର ଉପରେ ରାଜ୍ କରିବାକୁ ଚାହୁଛନ୍ତି ବୋଲି ଭିଡିଓ ପୋଷ୍ଟ କରାଯାଇଛି। ଅପରପକ୍ଷରେ ଆଉ କିଛି ଅଭିଯୁକ୍ତ ଆକାଉଣ୍ଟ୍‌କୁ ପ୍ରାଇଭେଟ୍ କରିଦେଇଥିବା ଜଣାପଡ଼ିଛି।