ପୁଣି ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେଲା କେବିଏନ୍ ଗ୍ୟାଙ୍ଗ୍‌

ଭିଡିଓକୁ ବିରୋଧ କରିବାରୁ ଘରେ ପଶି ହାଣିବାକୁ ଧମକ

ଭୁବନେଶ୍ୱର : ରାଜରାସ୍ତାରେ ଖଣ୍ଡା ଓ ବନ୍ଧୁକ ବୁଲାଇ ଆତଙ୍କ ସୃଷ୍ଟି କରୁଥିବା କେବିଏନ୍ ଗ୍ୟାଙ୍ଗ୍‌ କିଛିଦିନର ନିରବତା ପରେ ଏବେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ହୋଇଛି। ଏଭଳି ଛାତିଥରା ଭିଡିଓକୁ ବିରୋଧ କରିବା ସହିତ ଗ୍ୟାଙ୍ଗ୍ ସହିତ ଜଡ଼ିତ ଅପରାଧୀଙ୍କୁ ଧରିବା ପାଇଁ ସାମାଜିକ ଗଣମାଧ୍ୟମରେ ଦାବି ହେଉଥିବା ବେଳେ ଆଉ ଜଣେ ଯୁବକ ଏବେ ଗ୍ୟାଙ୍ଗ୍ ସମର୍ଥନରେ ବାହାରିଛି। ଏଭଳି ଆତଙ୍କ ସୃଷ୍ଟିକାରୀ ଭିଡିଓକୁ ସମର୍ଥନ କରିବା ସହିତ ପୁଲିସ ସେମାନଙ୍କର କିଛି କରିପାରିବନି ବୋଲି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ବଡ଼କଥା ହେଉଛି, କେବିଏନ୍ ଗ୍ୟାଙ୍ଗ୍ ବା ଟାଉନ ଟାଇଗର୍ସର ସଦସ୍ୟ ତଥା ସମର୍ଥକ କହୁଥିବା ଏହି ଯୁବକ ଘରେ ପଶି ବିରୋଧକାରୀଙ୍କୁ ଆକ୍ରମଣ ଏବଂ ହାଣିବା ପାଇଁ ଧମକ ଦେଉଛନ୍ତି। ଏପରିକି ତୋ ଘର କେଉଁଠି କହ, ଏବେ ଯାଇ ବାଡ଼େଇବାକୁ ଧମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ଦେଖିବାକୁ ମିଳୁଛି।

ତେବେ ଏଭଳି ଆକ୍ରମଣ ଧମକ ଦେଉଥିବା ଯୁବକ କେବିଏନ୍ ଗ୍ୟାଙ୍ଗ୍‌ର ସଦସ୍ୟ କି ସମର୍ଥକ ସେ ନେଇ କୌଣସି ସ୍ପଷ୍ଟତା ନାହିଁ। ଦୁର୍ବୃ୍ତ୍ତର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଯାହା ଜଣାପଡ଼ିଛି, ସେଭଳି କୌଣସି ପୋଷ୍ଟ ନଥିଲେ ବି କେବିଏନ୍ ଗ୍ୟାଙ୍ଗ୍ ଓ ସେମାନଙ୍କ କାରନାମାକୁ ବିରୋଧ କରୁଥିବା ଲୋକଙ୍କୁ ସିଧାସଳଖ ଆକ୍ରମଣର ଧମକ ଦେଉଛି। ପୁଲିସ ମଧ୍ୟ ସେମାନଙ୍କର କିଛି କରିପାରିବ ନାହିଁ ବୋଲି ଅଶ୍ଳୀଳ ଭାଷାରେ ଖୋଲା ଆହ୍ବାନ ଦେଇଛି। ଅପରପକ୍ଷରେ ଏଭଳି ସାମାଜିକ ଗଣମାଧ୍ୟମରେ ଭିଡିଓକୁ ନେଇ ଖୋଲା ଆକ୍ରମଣ ଏବଂ ହାଣିବାର ଧମକ ଦେବା ଘଟଣାକୁ ଇତିମଧ୍ୟରେ ୭୨ଘଣ୍ଟା ବିତିଥିଲେ ମଧ୍ୟ ପୁଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ କି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ତେଣୁ ଘଟଣା ସଂପର୍କରେ ହଣାକଟା ଓ ଆକ୍ରମଣକୁ ନେଇ ଧମକ ଦେଇଥିବା ଯୁବକକୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଛି।

ଅପରପଟେ କେବିଏନ୍ ଗ୍ୟାଙ୍ଗ୍ ଉତ୍ପାତ କରି ରାଜରାସ୍ତାରେ ଭିଡିଓ କରିବା ଓ ପରେ ସିଆର୍‌ପି ଛକରେ ଖଣ୍ଡାରେ ହାଣିବା ଘଟଣାକୁ ମାସାଧିକ କାଳ ବିତିଥିଲେ ବି ପୁଲିସ ଗ୍ୟାଙ୍ଗ୍ ଲି଼ଡର ବୁବୁ ଜେନାକୁ ଧରିବାରେ ସକ୍ଷମ ହୋଇନାହିଁ। କେବଳ ବୁବୁ ନୁହେଁ, ଗ୍ୟାଙ୍ଗ୍‌ର ୨୦ରୁ ଅଧିକ ଯୁବକ ଏବେ ବି ଫେରାର୍ ଥିବା ଜଣାପଡ଼ିଛି। ସେହିଭଳି ଏହି ଆତଙ୍କିତ ଭିଡିଓ ଏବେ ବି ସାମାଜିକ ଗଣମାଧ୍ୟମରେ ଥିବା ବେଳେ ପୁଲିସ ଏହାକୁ ହଟାଇବା ପାଇଁ କୌଣସି ପଦକ୍ଷେପ ନନେବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରୁ ଅନେକ ଲୁଚାଛପାରେ ରାଜ୍ୟ ବାହାରେ ଥିବା ସୂତ୍ରରୁ ଜଣାପଡ଼ିଥିବା ବେଳେ ବୁବୁ, ଅମ୍ଳାନ ସମେତ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟ ଏବେ ନିଜେ ସାମାଜିକ ଗଣମାଧ୍ୟମରୁ ଭିଡିଓ ହଟାଇଛନ୍ତି। ଏହା ସହିତ ଜାମିନ୍ ପାଇଁ ମଧ୍ୟ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ପୁଲିସ ଗ୍ୟାଙ୍ଗ୍‌ର ମାତ୍ର ୭ଜଣଙ୍କୁ ଗିରଫ କରିଛି ଏବଂ ୨ଜଣ ଆତ୍ମସମର୍ପଣ କରିଥିଲେ। ଏହା ସହିତ ବୁବୁ ସମେତ ୩ ଅପରାଧୀଙ୍କ ଘରେ ପଶି ଛାନଭିନ୍ କରି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ସମେତ ୨ଟି ଖେଳଣା ବନ୍ଧୁକ ଜବତ କରିଥିଲା। ପରେ ଘାଟିକିଆ ଅଞ୍ଚଳରୁ ଏକ ଜିପ୍ ମଧ୍ୟ ଜବତ କରିଥିଲା।

ସମ୍ବନ୍ଧିତ ଖବର