କେବିଏନ୍ ଗ୍ୟାଙ୍ଗ ପରିଚୟରେ ଦାଦାବଟି ପାଇଁ ଆକ୍ରମଣ: ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ୟାଙ୍ଗ ପରିଚୟ ଦେଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ମଞ୍ଚେଶ୍ବରରେ ରହୁଥିବା ନୟାଗଡ଼ ଦଶପଲ୍ଲାର ସୌମ୍ୟ ରଞ୍ଜନ ପରିଡ଼ା ଓରଫ୍ ଲିଟୁ(୨୪) ଓ ମଞ୍ଚେଶ୍ବର ଚକେଇସିଆଣିର ତନ୍ମୟ ବେହେରା ଓରଫ୍ ଗୁଡୁ(୨୬)। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

ପୁଲିସର ସୂଚନା ଅନୁସାରେ, ଅଭିଯୋଗିକାରୀ ମଞ୍ଚେଶ୍ବର ଚକେଇସିଆଣି ଅଞ୍ଚଳର ନରେଶ ମହାପାତ୍ରଙ୍କର ଗଙ୍ଗୁଆ ବ୍ରିଜ ପାଖରେ ଗୋଟିଏ ଘର ଅଛି ଓ ସେ ତାହାକୁ କେତେକ ଦୋକାନୀଙ୍କୁ ଭଡା ସୂତ୍ରରେ ଦେଇଛନ୍ତି। ସେଠାରେ ରଶ୍ମୀ ରଞ୍ଜନ ଲେଙ୍କା ଗୋଟିଏ ଓମ୍‌ଫେଡ୍‌ ପାର୍ଲର ଖୋଲିଛନ୍ତି। କିଛି ଦିନ ପୂର୍ବରୁ ଦୁଇ ଅଭିଯୁକ୍ତ ତାଙ୍କ ସହଯୋଗୀମାନଙ୍କ ସହ ଆସି ସେଠାରେ ଦାଦାବଟି ମାଗିଥିଲେ। କିନ୍ତୁ ଦୋକାନୀମାନେ ଦେବାକୁ ମନା କରିବାରୁ ସେମାନେ ବାରମ୍ବାର ଧମକ ଦେଇ ଆସୁଥିଲେ। ଗତ ୧୮ ତାରିଖ ସନ୍ଧ୍ୟାରେ ଏହି ଅଭିଯୁକ୍ତମାନେ ତାଙ୍କ ସହଯୋଗୀମାନଙ୍କ ସହିତ ସେହି ଓମଫେଡ୍‌ ପାର୍ଲର ଆସି ୩୭୦ ଟଙ୍କାର ଜଳଖିଆ ଖାଇଲେ। ଦୋକାନୀ ଟଙ୍କା ମାଗିବାରୁ ସେମାନେ ନ ଦେଇ ନିଜକୁ କେବିଏନ୍ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଦୋକାନର ଆସବାବପତ୍ର ଭଙ୍ଗାରୁଜା କରିଥିଲେ।

ଏପରିକି ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ। ତେଣୁ ଦୋକାନୀ ଜଣଙ୍କ ନରେଶଙ୍କୁ ଫୋନ କରି ଜଣେଇବାରୁ ସେ ପିସିଆର ଭ୍ୟାନ୍ ଡକାଇ ଘଟଣାସ୍ଥଳକୁ ଯାଇଥିଲେ। ଭ୍ୟାନ୍ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନରେଶ ସେଠାରୁ ଫେରୁଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ନରେଶ ଏବଂ ତାଙ୍କ ପୁଅ ଆହତ ହୋଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜମା ହୋଇଯିବାରୁ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପୁଲିସ ତଦନ୍ତ କରି ଆଜି ଦୁଇଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତ ତନ୍ମୟ ବେହେରା ୨୦୧୯ ମସିହାରୁ ମଞ୍ଚେଶ୍ବର ଥାନା ଓ ଗୁରୁଡିଝାଟିଆ ଥାନାର ଗୋଟିଏ ମାମଲାରେ ଜଡ଼ିତ ଅଛି। ସେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ତା ବିରୋଧରେ ସିଆରପିସି ଦଫା-୧୧୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର