ଭୁବନେଶ୍ବର: ‘ଖାଇକେ ପାନ୍‌ ବନାରସୱାଲା, ଖୁଲ୍‌ଯାଏ ବନ୍ଦ ଅକଲ୍‌କା ତାଲା...’ ସକାଳେ ଦୋକାନ ଖୋଲିଲେ ଆରମ୍ଭହୁଏ ଏହି ଗୀତ। ସେ ଗୀତ ଓ ଆହୁରି ଅନେକ ପୁରୁଣା ଚିରସବୁଜ ସିନେମା ଗୀତ ଦିନଯାକ ଜାରିରହେ। ପାନ ବିକ୍ରି ଚାଲିଥାଏ ତା’ ଭିତରେ।

Advertisment

ଏସ୍‌କେ ଗୋଫାଲ୍‌ (‘ଗୋପାଲ୍‌’ ନୁହେଁ)ଙ୍କ ପାଇଁ ପାନ ତିଆରିବା କେବଳ ଗୋଟିଏ ପେସା ନୁହେଁ, ଏକ ପାରିବାରିକ ପରମ୍ପରା। ସେଥିପାଇଁ ୟୁନିଟ୍‌-୩ ନିକଟସ୍ଥ ଖାଓଗଳିରେ ଥିବା ତାଙ୍କର ମିଠାପାନ ଦୋକାନଟି ଅନ୍ୟ ପାନ ଦୋକାନଗୁଡ଼ିକଠାରୁ ନିଆରା। ଗୋଫାଲ୍ ନିଜ ପରିବାରର ୭୦ ବ‌ର୍ଷର ପାନ ପରମ୍ପରାକୁ ଜୀବିତ ରଖିଛନ୍ତି। ତାଙ୍କ ଦୋକାନରେ ୩୨ ପ୍ରକାର ମିଠାପାନ ମିଳେ। ଚମତ୍କାର ସ୍ବାଦର ପାନ ସହିତ ତାଙ୍କ ଦୋକାନର ବଡ଼ ବିଶେଷତ୍ବ ହେଲା ତାଙ୍କ ଗୀତ। ସେ ଗୀତ ଅନେକ ଗ୍ରାହକଙ୍କୁ ଦୋକାନକୁ ଟାଣିଆଣେ। ପ୍ରତିଦିନ ଦୋକାନରେ ରଜ ଭଳି ଭିଡ଼ ଜମେ।

ଗୋଫାଲ୍‌ ନିଜ ଦୋକାନରେ ସାଧାରଣ ପାନ କ୍ବଚିତ୍‌ ତିଆରି କରନ୍ତି। ତାଙ୍କ ପାନର ଦାମ୍‌ ୨୦ ଟଙ୍କାରୁ ଆରମ୍ଭକରି ୧୦୦ ଟଙ୍କା ପର୍ଯ୍ୟନ୍ତ। ଅବଶ୍ୟ ପୂର୍ବରୁ ସେ ଅନ୍ୟ ଦୋକାନଗୁଡ଼ିକ ଭଳି ଜର୍ଦା ଓ ଗୁଣ୍ଡି ଆଦିକୁ ନେଇ ଗୋଟିଏ ପ୍ରକାରର ସାଧାରଣ ପାନ ବିକ୍ରି କରୁଥିଲେ। କିନ୍ତୁ ଏବେ ଚାହିଦାକୁ ଦୃ‌ଷ୍ଟିରେ ରଖି କେବଳ ମିଠାପାନ ବିକ୍ରି କରୁଛନ୍ତି, ତା’ପୁଣି ବିଭିନ୍ନ କିସମର। ତାଙ୍କ ପାନରେ ପଡୁଥିବା ମସଲାଗୁଡ଼ିକର ତାଲିକା ବେଶ୍‌ ଲମ୍ବା। ଅନ୍ୟ ସମଲା ସହିତ ସେ ପାନରେ ପକାନ୍ତି ନଡ଼ିଆର ଆଠ ପ୍ରକାର ମସଲା, ମିଠାଚେରିକୁ ମିଶାଇ ଆଠ ରଙ୍ଗର ଚେରି। ତାଙ୍କ ପାଖରେ ସାଧାରଣ ବନାରସୀ ପାନଠୁ ଆରମ୍ଭକରି ପୋଡ଼ପିଠା ପାନ, ତ୍ରିଭୁଜ ପାନ, ଲବଙ୍ଗ ପାନ ଆଦି ମିଳେ।

ଗୋଫାଲ୍‌ କହନ୍ତି, ତାଙ୍କ ବାପା ପ୍ରଥମେ କଟକରେ ଦୋକାନ ଆରମ୍ଭ କରିଥିଲେ। ତାଙ୍କୁ ୧୭ ବର୍ଷ ହୋଇଥିଲା ସେମାନେ ରାଜଧାନୀ ଚାଲି ଆସିଥିଲେ। ଏଠାକୁ ଆସି ବାପା ଏକ ପାନଠେଲା ଖୋଲିଥିଲେ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଗୋଫାଲ ମଧ୍ୟ ପାନ ଭାଙ୍ଗିବା ଶିଖିଲେ। ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଯାତ୍ରାଠାରୁ ନେଇ ବିଭିନ୍ନ ମାର୍କେଟରେ ଠେଲାରେ ବୁଲିବୁଲି ପାନ ବିକ୍ରିକଲେ। ପରେ ସେମାନଙ୍କର ସ୍ଥାୟୀ ଦୋକାନ ହେଲା। ବାପାଙ୍କ ଦେହାନ୍ତ ପରେ ଗୋଫାଲ ନିଜେ ଦୋକାନକୁ ସମ୍ଭାଳିଲେ। ତାଙ୍କୁ ଏବେ ବୟସ ୫୭ବର୍ଷ ହେଲାଣି। ସେ ଦୀର୍ଘ ୪୦ ବର୍ଷ ଧରି ଏହି ପେସାରେ ଅଛନ୍ତି ଓ ତା’କୁ ନେଇ ଖୁବ୍‌ ସନ୍ତୁଷ୍ଟ ମଧ୍ୟ। ଏହି ପାନରୁ ତାଙ୍କ ପରିବାର ଚଳେ। ଏହି ଆୟରୁ ସେ ନିଜର ତିନିଝିଅଙ୍କ ବିବାହ କରିବା ସହ ଏବେ ପତ୍ନୀଙ୍କ ସହିତ ବେଶ୍‌ ଖୁସିରେ ରହୁଛନ୍ତି। ୟୁନିଟ୍‌-୧ ରେ ନିଜେ ଘର କରି ରହୁଛନ୍ତି। ଏ ଦୋକାନରେ ତାଙ୍କ ଜୀବନ କଟିଯିବ ବୋଲି ଗୋଫାଲ୍‌ ଆଶା ରଖିଛନ୍ତି।