ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁନି କେଳୁ ଚରଣ ପାର୍କ : ପାର୍କରେ ଶୌଚାଳୟର ସୁବିଧା ନାହିଁ, ଅଧିକାଂଶ ଅଞ୍ଚଳ ଜଙ୍ଗଲ ହୋଇ ରହିଛି

ଭୁବନେଶ୍ୱର : ରାଜଧାନୀର ଆକାର ବଢ଼ୁଛି। ତା’ସହ ତାଳ ଦେଇ ବିଭିନ୍ନ ସ୍ଥାନରେ ବହୁ ଆବାସିକ ଅଞ୍ଚଳ ଗଢ଼ି ଉଠୁଛି। ଫଳରେ ସହରୀ ଲୋକଙ୍କ ଅବସର ବିନୋଦନର ମୁଖ୍ୟ ମାଧ୍ୟମ ପାର୍କର ଆବଶ୍ୟକତା ପଡ଼ୁଛି। ଏହାକୁ ନଜରରେ ରଖି ବିଡିଏ ପକ୍ଷରୁ ୨୦୧୩ ମସିହାରେ ଗାଡ଼କଣରେ ନିର୍ମାଣ କରାଗଲା ଏକ ବଡ଼ ପାର୍କ। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ଏହାକୁ ନାମିତ କରାଗଲା। ଏହା ମଧ୍ୟରେ ପାଞ୍ଚ ବର୍ଷ ବିତିଯାଇଛି। ପାର୍କକୁ ଆସୁଥିବା ଲୋକଙ୍କ ସଂଖ୍ୟା ବହୁ ଗୁଣରେ ବଢ଼ି ଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ପାର୍କଟି ପୂର୍ଣ୍ଣାଙ୍ଗ ରୂପ ନେଇପାରୁ ନାହିଁ। ଫଳରେ ସ୍ଥାନୀୟ ଲୋକମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।

୨୦ ଏକର ସ୍ଥାନରେ ଗଢ଼ି ଉଠିଛି ଗୁରୁ କେଳୁଚରଣ ମହାପାତ୍ର ପାର୍କ। ସକାଳେ ଓ ସନ୍ଧ୍ୟାରେ ଏଠାରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଛି। ପାର୍କର ପ୍ରଥମ କିଛି ଅଂଶ ବେଶ୍‌ ସାଜସଜ୍ଜା ହୋଇଛି। ଆବଶ୍ୟକ ରକ୍ଷଣାବେକ୍ଷଣ ବି କରାଯାଉଛି। କିନ୍ତୁ ପାର୍କ ପାଇଁ ଉଦ୍ଦିଷ୍ଟ ଥିବା ବହୁ ଅଞ୍ଚଳ ଏକପ୍ରକାର ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ବଡ଼ ବଡ଼ ଗଛ ଓ ଘାସରେ ଭର୍ତ୍ତି ହୋଇଛି ସେହି ସ୍ଥାନ। ପାର୍କର ଏତେ ବଡ଼ ଅଂଶ ଜଙ୍ଗଲ ଥିବାରୁ ପାଖାପାଖି ସ୍ଥାନରେ ବସାଉଠା କରିବାକୁ ଲୋକ ଭୟ କରୁଛନ୍ତି। ଏହା ଦ୍ୱାରା ପାର୍କର ସୌନ୍ଦର୍ଯ୍ୟ ବି ହାନି ହେଉଛି। ସମସ୍ୟା ଏତିକିରେ ଶେଷ ହୋଇ ନାହିଁ। ଏଠାରେ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ ଲାଗିଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ ଅଧିକାଂଶ କଳିଙ୍କି ଲାଗିଗଲାଣି। କିଛି ଦୋଳିର ରଙ୍ଗ ଛାଡ଼ି ଯାଇଥିବାରୁ ତାହା ପାର୍କର ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଉଛି। ଏପରିକି ରୁଫ-େଓ୍ଵଗୁଡ଼ିକ କଳଙ୍କି ଲାଗି ଗଳି ପଡ଼ିବା ଭଳି ଅବସ୍ଥା ହେଲାଣି। ପାର୍କରେ ଲୋକମାନଙ୍କ ବସିବା ପାଇଁ ଖୁବ୍‌ କମ୍‌ ଚେୟାର ନିର୍ମାଣ ହୋଇଛି। ସେଥିରୁ ବି କିଛି ଭାଙ୍ଗି ଯାଇଥିଲା ବେଳେ ଆଉ କିଛି ଚେୟାରରେ ଉଈ ହୁଙ୍କା ମାଡ଼ିଗଲାଣି।

ପାର୍କକୁ ଆସୁଥିବା ଲୋକଙ୍କ କହିବା ଅନୁଯାୟୀ ଏଠାରେ ସବୁଠାରୁ ବଡ଼ ସମସ୍ୟା ହେଲା ଶୌଚାଳୟ। ଏତେ ବଡ଼ ପାର୍କ ଭିତରେ ଗୋଟିଏ ହେଲେ ବି ଶୌଚାଳୟର ସୁବିଧା ନାହିଁ। ଲୋକମାନେ ଅନେକ ସମୟ ଧରି ପାର୍କରେ ବସାଉଠା କରୁଥିବା ବେଳେ ଏହି ସର୍ବନିମ୍ନ ସୁବିଧା ଦେବାକୁ ବିଡିଏ କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି। ସେହିପରି ପାଣି ପିଇବା ପାଇଁ ଟ୍ୟାପ୍‌ର ସୁବିଧା ଥିଲେ ମଧ୍ୟ ବେସିନ୍‌ ଏପରି ଅପରିଷ୍କାର ହୋଇଛି ଯେ ସେଠାରୁ ପାଣି ଆଣି ପିଇଲେ ରୋଗ ହୋଇଯିବାର ଡର ରହୁଛି। ପାର୍କରେ ଥିବା ଲାଇଟ୍‌ଗୁଡ଼ିକ ମଧ୍ୟରୁ କିଛି ଖରାପ ହୋଇଗଲାଣି।

ପାର୍କର ଏହି ସମସ୍ୟା ସମ୍ପର୍କରେ ବିଡିଏର ଉଦ୍ୟାନବିତ୍‌ ଏ. ଏନ୍‌ ଧରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ପାର୍କର କିଛି ସ୍ଥାନ ଜଙ୍ଗଲ ଜମି ହୋଇଥିବାରୁ ତାହାର ବିକାଶ କରାଯାଇ ନାହିଁ। ଯଦି ଆଗକୁ ଏ ନେଇ ନିଷ୍ପତ୍ତି ନିଆଯାଏ, ତେବେ ନିଶ୍ଚିତ ବିକଶିତ କରାଯିବ। ଅନ୍ୟ ସମସ୍ୟାଗୁଡ଼ିକ ଧୀରେ ଧୀରେ ସମାଧାନ କରାଯାଉଛି।

ସମ୍ବନ୍ଧିତ ଖବର